ଅନଲାଇନରେ ବିକ୍ରି ହେଉଛି ଗୋଧି ଅଙ୍ଗ, ବନ ବିଭାଗ ନିରବ

- ବେପାରର ପର୍ଦାଫାସ୍ କରିଛନ୍ତି ସ୍ବେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ

ଗୋଧିମାନଙ୍କୁ ଅତି ନିର୍ମମ ଭାବରେ ଶୀକାର କରୁଛନ୍ତି ଶିକାରୀ। ସାଧାରଣତଃ କେଳା ସମ୍ପ୍ରଦାୟର ଲୋକମାନେ ଗାଁ ଗାଁ ବୁଲି ବିଲମାଳରୁ ଗୋଧି ଶୀକାର କରିଥାନ୍ତି। ସେମାନେ ଗୋଧି ମାଂସ ଖାଆନ୍ତି ଓ ଚମଡା ବିକ୍ରି କରିଦିଅନ୍ତି। ଗୋଧିକୁ ଧରିବା ପରେ ତାର ଲାଞ୍ଜକୁ ପେଟ ପଟେ ନେଇ ବେକ ଚାରିପଟେ ବୁଲେଇ, ଆଗ ଗୋଡ଼ର ନଖକୁ ଭାଙ୍ଗି ଲାଞ୍ଜରେ ଏପଟ ସେପଟ ଫୁଟେଇ ମୋଡି ଦିଅନ୍ତି। ନଖକୁ ଲାଗିଥିବା ଗଣ୍ଠି ପଛରେ ଥିବା ଲିଗାମେଣ୍ଟ ଏକ ଦଉଡି ଭଳି ଗୋଧିକୁ ବାନ୍ଧିବା କାମ କରେ। ଏହା ପରେ ଆଉ ଗୋଧିର ହଲଚଲ ହେବାର ବାଟ ନଥାଏ। ଯଦି ଭୁଲରେ ବି ଗୋଧିଟି ହଲିଗଲା, ଅକଥନୀୟ କଷ୍ଟ ପାଇଥାଏ ଏବଂ ନିଶ୍ଚଳ ହେଇ ପଡି ରହିଥାଏ। ଆଗରୁ ବାଉଁଶରେ ବାହୁଙ୍ଗୀ କରି ଭାର ଆକାରରେ ଗୋଧିଙ୍କୁ ଝୁଲେଇ କରି ନେଉଥିଲେ। ଏବେ ଅଖା ଭିତରେ ଲୁଚେଇ କରି ନେଉଛନ୍ତି। ଗୋଧି ଶୀକାର କିନ୍ତୁ କମିବାର ନାଁ ନେଉନାହିଁ ।

ଏହାର ଏକ କାରଣ ସାମାଜିକ ସଚେତନତାର ଅଭାବ ଏବଂ ବନ ବିଭାଗର ଉଦାସୀନତା। ଗୋଧି ବନ୍ୟପ୍ରାଣୀ ସଂରକ୍ଷଣ ଆଇନରେ ସିଡ୍ୟୁଲ ୧ ସରୀସୃପ ହେଇଥିଲେ ମଧ୍ୟ ଲୋକମାନେ ଗୋଧି ମାଂସ ଖାଉଛନ୍ତି। ଏଣେ ଯଦିଓ ଆଇନ ଆଖିରେ ବାଘ ବା ହାତୀ ସହ ଗୋଧି ମଧ୍ୟ ସମାନ, ହେଲେ ବନ ବିଭାଗ ଆଖିରେ ସେଇଆ ନୁହେଁ। ହାତୀ ଦିବସ ବା ବାଘ ଦିବସକୁ ବନବିଭାଗ ଯେଉଁଭଳି ଆଡ଼ମ୍ବର ସହକାରେ ପାଳନ କରେ, ଗୋଧି ବା ଅନ୍ୟ ସରୀସୃପ ପାଇଁ ଆଦୌ ଧ୍ୟାନ ଦିଏ ନାହିଁ ।

ଏବେ ଅନଲାଇନରେ ବିକ୍ରି ହେଉଛି ଗୋଧି ଯୌନାଙ୍ଗ। ’ହାତ ଯୋଡ଼ି’ ନାମରେ ହେଉଛି ବିକ୍ରି। ପବିତ୍ର ଗଛର ଚେର ନାଁରେ ବିକ୍ରି ହେଉଛି ଅପବିତ୍ର ପ୍ରାଣୀର ଅଙ୍ଗ। ଧର୍ମ ନାମରେ ହେଉଛି ଅଧର୍ମ। ୨୦୧୭ ମସିହାରେ ୱ।ଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ହସ୍ତକ୍ଷେପ ଫଳରେ ଆମାଜନ, ଫ୍ଲିପକାର୍ଟ, ଇତ୍ୟାଦି ସଂସ୍ଥାମାନେ ହାତଯୋଡି ବେପାର ବନ୍ଦ କରିଦେଇଥିଲେ। ହେଲେ ୩ ବର୍ଷ ନ ପୁରୁଣୁ ବେପାରି ମାନେ ୟୁଟ୍ୟୁବ ଜରିଆରେ ଆରମ୍ବ କରିଦେଇଛନ୍ତି ବେପାର। ୟୁଟ୍ୟୁବରେ ସ୍ୱତନ୍ତ୍ର ଚ୍ୟାନେଲ ଖୋଲା ଯାଇଛି। ଲୋକଙ୍କୁ ବୁଝେଉ ଦିଆଯାଉଛି ହାତଯୋଡିର ମିଛ ମାହାତ୍ମ୍ୟ। ଲୋକଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଉଛି ୟୁଟ୍ୟୁବ ଭିଡ଼ିଓ। ସେ ୟୁଟ୍ୟୁବରେ ମୋବାଇଲ ଫୋନ ଏବଂ ହ୍ଵାଟ୍ସଆପ ନମ୍ବର ଦେଇ ଦିଆ ଯାଉଛି। ବାସ୍! ଏଥର ସୁରୁଖୁରୁରେ ଚାଲୁଛି ବେପାର।

ଏହି ବେପାରର ପର୍ଦାଫାସ୍ କରିଛନ୍ତି ସ୍ବେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ। ତଥ୍ୟ ପ୍ରମାଣ ସହ ଅନେକ ମୋବାଇଲ ନମ୍ବର ସଂଗ୍ରହ କରି ପତ୍ର ଲେଖିଛନ୍ତି ୱ।ଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଅତିରିକ୍ତ ନିର୍ଦେଶକ ତିଲୋତ୍ତମା ବର୍ମାଙ୍କୁ। ୟୁଟ୍ୟୁବରେ ଗୋଧି ଯୌନାଙ୍ଗର ବେପାର ଉପରେ ଅଙ୍କୁଶ ଲଗେଇବା ସହ ୟୁଟ୍ୟୁବ କମ୍ପାନୀର ଭାରତୀୟ ମୁଖ୍ୟଙ୍କୁ ଏହି ଅପରାଧ ପାଇଁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଗିରଫ କରିବା ପାଇଁ ମଧ୍ୟ ଦାବୀ ଜଣେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭାରତରେ ଗୋଧିମାନେ ଭାରତୀୟ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ସଂରକ୍ଷିତ। ଭାରତରେ ୩ ପ୍ରକାର ଗୋଧି ଦେଖା ଯାଆନ୍ତି। ୱାଟର ମନିଟର, ବେଙ୍ଗଲ ମନିଟର ଓ ୟେଲୋ ମନିଟର। ଏହି ୩ଟି ପ୍ରଜାତିର ଗୋଧି ବନ୍ୟପ୍ରାଣୀ ଆଇନରେ ତଫସିଲ ୧ ଅନ୍ତର୍ଗତ ସରୀସୃପ। ଗୋଧି ଶୀକାର କରିବା ବାଘ ବା ହାତୀ ଶୀକାର ସହ ସମାନ। ତଥାପି ଗୋଧି ଶୀକାରକୁ ରୋକିବା ଭାରତରେ ସମ୍ଭବ ହେଉନି।

କଣ ଏଇ ହାତଯୋଡ଼ି। ଗୋଧିକୁ ମାରି ତାର ଚମଡା ଛାଲ ଉତ୍ତାରିବା ବେଳେ, ଲାଂଞ୍ଜର ଉଭୟ ପାର୍ଶ୍ଵରେ ଥିବା ୨ ଟି ହେମି ପେନିସକୁ ଯତ୍ନର ସହ ବାହାର କରାଯାଏ। ତା ଭିତରେ ଶୁଖିଲା କାଠି ପୁରା ଯାଇ ଖରାରେ ଶୁଖାଇ ଦିଆଯାଏ। ସମ୍ପୂର୍ଣ୍ଣ ଶୁଖିଯିବା ପରେ ଏହା ଏକ ଗଛର ଚେର ଭଳି ଦେଖାଯାଏ। ତେବେ, ମାଂସ ଗନ୍ଧକୁ ଲୁଚେଇବା ପାଇଁ କିଛି ସେଣ୍ଟ ମଧ୍ୟ ପକେଇ ଏହାକୁ ସିନ୍ଦୁର ଡବାରେ ରଖାଯାଏ। ଫଳରେ ଲୋକମାନେ ଏହା ଗୋଧି ଯୌନାଙ୍ଗ ବୋଲି ଜାଣିବାର ବାଟ ନଥାଏ।

Comments are closed.