ଭୁବନେଶ୍ୱର:ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଛି । ଆଜି ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ସେ ୧୯୪୦ ମସିହା ଅଗଷ୍ଟ ୧୫ ତାରିଖରେ ଜନ୍ମଲାଭ କରିଥିଲେ । ଗଞ୍ଜାମ ଜିଲ୍ଲା କୋଦଳା ନିର୍ବାଚନମଣ୍ଡଳିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ରାମକୃଷ୍ଣ । କୋଦଳା ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ ଥିବା ରାମକୃଷ୍ଣଙ୍କୁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳିଛି । ୧୯୭୭, ୧୯୮୦, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ କୋଦଳା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ସେ ୧୯୯୦-୯୫ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଥିଲେ।
ପରେ ୨୦୦୦ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରରେ ଅର୍ଥମନ୍ତ୍ରୀ ହୋଇଥିଲେ। ରାମକୃଷ୍ଣ ଜନତା ଦଳ, ଜନତା ପାର୍ଟି ଓ ବିଜୁ ଜନତା ଦଳରୁ ବିଧାୟକ ହୋଇଛନ୍ତି। ୧୯୯୬ରୁ ୧୯୯୭ ଯାଏଁ ବିରୋଧୀ ଦଳ ନେତା ରହିଥିଲେ ରାମକୃଷ୍ଣ। ରାମକୃଷ୍ଣଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ । ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।



