ରାଜଗାଙ୍ଗପୁର ବିଧାନସଭା ମଣ୍ଡଳୀ; ସବୁ ଦଳରେ ଆଶାୟୀଙ୍କ ଲମ୍ବା ତାଲିକା
ସୁନ୍ଦରଗଡ/ରାଜଗାଙ୍ଗପୁର: ନିର୍ବାଚନ ତାରିଖ ଘୋଷଣା ହୋଇଯିବା ପରେ ବିଭିନ୍ନ ରାଜନୈତିକ ଦଳର ଗତିବିଧି ବୃଦ୍ଧି ପାଇଛି । ଏ କ୍ରମରେ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ିର ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ସର୍ବାଗ୍ରେ ରହିଛି । ଏହା ପଛକୁ କଂଗ୍ରେସ ଓ ବିଜେପିର ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ଦଳ ପକ୍ଷରୁ ଘଣ୍ଟାଚକଟା ଆରମ୍ଭ ହୋଇଯାଇଛି । ବିଜେଡ଼ି, କଂଗ୍ରେସ ଓ ବିଜେପି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଭିନ୍ନସ୍ତରରେ ସମୀକ୍ଷା କରୁଛନ୍ତି। ତେବେ ସମସ୍ତଙ୍କ ନଜର ଶାସକ ବିଜେଡ଼ି ଦଳର ପୁରୁଖାନେତା, ଜିଲା ବିଜେଡ଼ି ସଭାପତି ତଥା ବିଧାୟକ ମଙ୍ଗଳା କିଶାନଙ୍କ ଉପରେ ରହିଛି । ଏହି ନିର୍ବାଚନ ମଣ୍ଡଳୀରୁ ଶାସକ ବିଜେଡ଼ିର ପ୍ରାର୍ଥୀ ଭାବେ ମଙ୍ଗଳାଙ୍କ ପ୍ରାର୍ଥୀତ୍ବକୁ ଗୁରୁତ୍ବ ଦିଆଯାଉଛି । ସର୍ଭେ ଓ ଅନ୍ୟାନ୍ୟ ରିପୋର୍ଟକୁ ଭିତ୍ତି କରି ତାଙ୍କ ପ୍ରାର୍ଥୀତ୍ବକୁ ନିଶ୍ଚିତ କରିବାର ପ୍ରକ୍ରିୟା ଜାରି ରହିଛି । ତେବେ ଏକ ଅସମର୍ଥିତ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମଙ୍ଗଳା ବାବୁଙ୍କ ପୁଅକୁ ଟିକେଟ ଦେବା ପାଇଁ ବିଭିନ୍ନ ମହଲରେ ଆଲୋଚନା ହେଉଛି । ହେଲେ ଏ ସଂପର୍କରେ ମଙ୍ଗଳା ବାବୁଙ୍କ ନିଜସ୍ବ ମତକୁ ଦଳ ଗୁରୁତ୍ବ ଦେବ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବେନଡ଼ିକ ତିର୍କୀ, ରୁନୁ ଲାକ୍ରା ଆଶାୟୀଙ୍କ ଦୌଡ଼ରେ ସାମିଲ ଥିବାର ଜଣାପଡ଼ିଛି । ସେହିପରି କଂଗ୍ରେସ ଦଳ ପ୍ରାର୍ଥୀଙ୍କ ଆଶାୟୀ ତାଲିକାରେ ପୂର୍ବତନ ସାଂସଦ ଖ୍ରୀଷ୍ଟୋଫର ଏକ୍କାଙ୍କ ପୁତ୍ର ତଥା ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ସେନାରୁ ସ୍ବେଚ୍ଛାକୃତ ଅବସର ନେଇ ଏଲ ଆଣ୍ଡଟିରେ ଡାକ୍ତର ଥିବା ଡା.ରାଜେନ ଏକ୍କା ସର୍ବାଗେ ରହିଛନ୍ତି । ତାଙ୍କ ପ୍ରାର୍ଥୀତ୍ବକୁ ପିସିସି ଓ ହାଇକମାଣ୍ଡ ବେଶ ଗୁରୁତ୍ବ ଦେଉଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ସେହିପରି ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ, ପିସିସି ସଂପାଦିକା ରଜନୀ କୁଲୁଙ୍କ ନାମ ମଧ୍ୟ ପ୍ରାର୍ଥୀତ୍ବ ତାଲିକାରେ ରହିଥିବାର ଜଣାପଡ଼ିଛି । ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଦୁଇ ଦୁଇ ଥର ଏହି ଆସନରୁ ବିଧାୟକ ହୋଇଥିବାରୁ ତାଙ୍କୁ ପୁର୍ନବାର ଟିକେଟ ଦେବା ପାଇଁ ତାଙ୍କ ସର୍ମଥକ ମାନେ ଯୁକ୍ତି ବାଢ଼ିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରୁ ମହିଳା ପ୍ରାର୍ଥୀ ଦେବା ପାଇଁ ବହୁ କର୍ମୀ ଓ ନେତା ଚର୍ଚ୍ଚା କରୁଛନ୍ତି । ଏହିକ୍ରମରେ ରଜନୀ କୁଲୁ ମଧ୍ୟ ନିଜ ପ୍ରାର୍ଥୀତ୍ବ ସଂପର୍କରେ ଲବି ଆରମ୍ଭ କରିବା ସହ ଜିଲାରେ ମହିଳା ପ୍ରାର୍ଥୀ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ୨୦୧୪ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲେ ହିଁ ମଙ୍ଗଳା ବାବୁ ନିଜ ନିକଟତମ ପ୍ରତିଦ୍ବିନ୍ଦୀ କଂଗ୍ରେସର ଗ୍ରେଗୋରୀ ମିଞ୍ଜଠାରୁ ୧୦ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ୨୮୬୯୪ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ । ଜାତୀୟ ରାଜନୀତି ଦୃଶ୍ୟପଟକୁ ଆଧାର କରି ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି । ଉପେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ କୁତ୍ରା ବ୍ଲକ ପ୍ରତିନିଧି ଜୁନାସ ଲୁଗୁନ, ମହିଳା ନେତ୍ରୀ ଫିଲିସିତା ଲାକ୍ରା, ପୁର୍ବତନ ବିଧାୟକ ମହେନ୍ଦ୍ର ମାଝୀ ସମେତ ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘର ସଭାପତି ନରସିଂହ ମିଞ୍ଜଙ୍କ ନାମ ମଧ୍ୟ ଆଶାୟୀ ତାଲିକାରେ ରହିଥିବାର ଜଣାପଡ଼ିଛି । ହେଲେ ଏ କ୍ଷେତ୍ରରେ ଜୁଏଲଙ୍କ ମତାମତକୁ ଦଳ ଅଣଦେଖା ନ କରି କୁଆଡ଼େ ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ହିଁ ପ୍ରାର୍ଥୀ କରିବେ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥକ ମାନେ କହି ବୁଲୁଛନ୍ତି । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ିକୁ ଛାଡ଼ି ଆଉ କିଛି ନୂତନ ସମୀକରଣର ଆଭାସ ମିଳୁନ ଥିବା ବେଳେ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଏତେଟା ସମସ୍ୟା ସୃଷ୍ଟି ହେବା ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।