ଆଉ କେତେ ବର୍ଷ ପରେ ନିର୍ମାଣ ହେବ ରେଲୱେ ଓଭର ବ୍ରିଜ ?

ରେଙ୍ଗାଲିକ୍ୟାମ୍ପ :  ଅତାବିରା- ପାହାଡ଼ଶ୍ରୀଗିଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରହିଥିବା ରେଲୱେ ଗେଟ ପାଇଁ ଅଞ୍ଚଳର ହଜାର ହଜାର ଯାତ୍ରୀ ଲକ୍ଷ୍ୟ ସ୍ଥଳକୁ ଠିକ ସମୟରେ ପହଞ୍ଚି ପାରୁନାହାଁନ୍ତି । ଯାହା ଫଳରେ ଏହି ରେଲୱେ ଗେଟ(୩୬) ପାଖରେ ଗୋଟିଏ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ୨୦୧୭ ମସିହା ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥର ସମ୍ବଲପୁର କାର୍ଯ୍ୟାଳୟରେ ଡିଆରଏମଙ୍କୁ ସାକ୍ଷାତ କରି ଏକ ଲିଖିତ ଦାବିପତ୍ରକୁ ପ୍ରଦାନ କରାଯାଇଥିଲା। ଅଞ୍ଚଳବାସୀଙ୍କ ଏହି ଦାବିପତ୍ରକୁ ଗୁରୁତ୍ୱ ଦେଇ ଡିଆରଏମଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮ ମସିହା ଜାନୁଆରୀ ମାସରେ ଏକ ଟିମ ରେଲୱେ ଗେଟର ପୂର୍ବ ଦିଗରେ (ଅନୁନ୍ୟ ୫୦୦ ମିଟର) ମଧ୍ୟରେ ରେଳପଥର ଉଭୟ ପାର୍ଶ୍ଵରେ ଥିବା ରାସ୍ତାର ଲମ୍ବ, ପ୍ରସ୍ଥ, , ଉଚ୍ଚତା, ଜନବସତି,ଇତ୍ୟାଦିକୁ ନିରୀକ୍ଷଣ କରିବା ପାଇଁ ଆସିଥିଲେ।ଏପରିକି ରେଳପଥ ଦୋହରୀକରଣ ହେବା ସମୟରେ ଗ୍ରାମ୍ୟ ଉନ୍ନୟନ ରାସ୍ତା କଡରେ ଥିବା ଏକ ବିଶାଳକାୟ ଖାଲୁଆ ସ୍ଥାନକୁ ପଥର ପକାଇ ଭର୍ତ୍ତି କରାଯାଇଥିଲା ଓ ଅପର ପାର୍ଶ୍ବର କେନାଲ ପାଖର ଖାଲି ସ୍ଥାନରେ ପଥର ଓ ମାଟି ପଡିଥିଲା। ଯାହାକୁ ଦେଖି ଲୋକଙ୍କ ମଧ୍ୟରେ ରେଲୱେ ଓଭର ବ୍ରିଜ ହେବାର ଆଶା ସଞ୍ଚାର ହୋଇଥିଲା। ଏପରିକି ଯାତ୍ରୀ ମାନଙ୍କ କହିବା ଅନୁଯାୟୀ ରେଲୱେ ଗେଟ ପଡିଥିବା ସମୟରେ ଉଭୟ ପାର୍ଶ୍ବରେ ଅଟକି ରହିଥିବା ଯାତ୍ରୀ ମାନଙ୍କର ଗହଳିକୁ କିଛି ସରକାରୀ ସ୍ତରୟୀ ଅଧିକାରୀ, ଯନ୍ତ୍ରୀ ମାନଙ୍କର ନିରୀକ୍ଷଣ ହୋଇଥିବା ଚର୍ଚ୍ଚା ହେଉଛି।

ଏହାପରେ ଅତାବିରା ରେଲୱେ ଷ୍ଟେସନ ଗସ୍ତରେ ଆସିଥିବା ଡିସିଏମଙ୍କୁ ସାକ୍ଷାତ କରି ଓଭର ବ୍ରିଜ ନିର୍ମାଣ ପାଇଁ ମୌଖିକ ଭାବରେ ଆଲୋଚନା କରାଯାଇଥିଲା।ହେଲେ ଆଜି ପର୍ଯ୍ୟନ୍ତ ଏହି ରେଲୱେ ଓଭର ବ୍ରିଜ ନିର୍ମାଣ ହେବାର ଦାବି ବିଷୟରେ କୌଣସି ସୂଚନା ମିଳୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ସୂଚନାଯୋଗ୍ୟ ଯେ, ଏହି ରେଲୱେ ଗେଟ ଟିର ଗୋଟିଏ ପାର୍ଶ୍ଵରେ ରେଲୱେ ଷ୍ଟେସନ,ଜାତୀୟ ରାଜପଥ ୫୩ ,ଅତାବିରା ବ୍ଳକ, ତହସିଲ, ପୋଲିସ ଷ୍ଟେସନ, ଗୋଷ୍ଟି ଚିକିତ୍ସାଲୟ,ବ୍ୟାଙ୍କ, ସ୍କୁଲ, କଲେଜ, ଧାନ ମାର୍କେଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବା ବେଳେ ଅପରପର୍ଶ୍ୱରେ ଅନୁନ୍ୟ ୭ ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସହିତ ପାହାଡ଼ଶ୍ରୀଗିଡାରେ ବ୍ୟାଙ୍କ, ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର,ସାପ୍ତାହିକ ବଜାର ଭଳି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟାଳୟ ରହିଛି।ଏପରିକି ଏହି ରାସ୍ତା ଦେଇ ହୀରାକୁଦ ଜଳଭଣ୍ଡାରକୁ ଯାତାୟାତ କରିଥାନ୍ତି।ବିଗତ ୪ ମାସ ପୂର୍ବରୁ ଏହି ରାସ୍ତା ଦେଇ ମହାନଦୀ ଟ୍ରିମ୍ୟୁନାଳ ଟିମ ମଧ୍ୟ ଗସ୍ତ କରି ବରଗଡ଼ ମୁଖ୍ୟ କେନାଳ ଓ ହୀରାକୁଦ ଜଳଭଣ୍ଡାରକୁ ନିରୀକ୍ଷଣ କରିଥିଲେ।ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅଟେ ଓ ଏହି ରେଲୱେ ଗେଟ (୩୬) ପାଖରେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଉପଯୁକ୍ତ ସ୍ଥାନ ଅଟେ ବୋଲି ଅଞ୍ଚଳବାସୀ ମଧ୍ୟରେ ଚର୍ଚ୍ଚା ହେଉଛି। ଏବେ  ଡବଲ ରେଳପଥ ହେବାରୁ  ଏହି ସମସ୍ୟା ଆହୁରି ବଢ଼ି ଚାଲିଛି ।ବେଳେ ବେଳେ ଦୁଇଟି ଗାଡ଼ି  ଯିବା ଆସିବା  ପର୍ଯ୍ୟନ୍ତ ଅଧ ଘଣ୍ଟା ଧରି ମଧ୍ୟ ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି ।ଯାହା ଫଳରେ ନିର୍ଦ୍ଧାରିତ ସମୟରେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲ୍ କଲେଜ ତଥା କର୍ମଚାରୀ ମାନଙ୍କୁ ଅଫିସ ରେ ପହଞ୍ଚିବା ବିଳମ୍ବ ହେଉଛି ।ଯାହା ଫଳରେ ସେମାନଙ୍କ ପାଠପଢା ଓ କର୍ମଚାରୀ ମାନଙ୍କ ଚାକିରି ଉପରେ ମଧ୍ୟ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ତୁରନ୍ତ ରେଳବିଭାଗ ପକ୍ଷରୁ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ରହୁଛି ।ନଚେତ୍ ଭବିଷ୍ୟତରେ ଏହା ଜନ ଆନ୍ଦୋଳନ ର ରୂପ ନେବ ବୋଲି ଅଞ୍ଚଳ ବାସୀ  ପ୍ରକାଶ କରିଛନ୍ତି ।

Comments are closed.