ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ସମୟରେ ଟିକା ସଂକ୍ରାନ୍ତୀୟ କୌଣସି ଉଡାକଥାକୁ ବିଶ୍ୱାସ ନକରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟଗୁଡ଼ିକୁ ପଠାଯାଇଥିବା ମାଗଣା କୋଭିଡ୍ ଟିକା ସବୁ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକମାନେ ସମସ୍ତେ ଶୀଘ୍ର ନେଇଯିବା ଉଚିତ୍। ସେ କହିଛନ୍ତି ମେ ପହିଲା ତାରିଖରୁ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ କୋଭିଡ୍ ଟିକା ଦିଆଯିବ। ବର୍ତ୍ତମାନ କମ୍ପାନୀ ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ନିଜନିଜର କର୍ମଚାରୀ ମାନଙ୍କୁ ମଧ୍ୟ ଟିକା ଦିଆଯାଇ ପାରିବ।
କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିବା ଶହ ପ୍ରଧାନମନ୍ତ୍ରୀ ଅଧିକ ସଂଖ୍ୟାରେ ଲୋକମାନଙ୍କୁ ମାଗଣା ଟିକା ଦେବା ପାଇଁ ରାଜ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି। ଟିକା ନେଇ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିରାପଦରେ ରହିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ‘ଦବାଇ ଭି କଡାଇ ଭି’ ମନ୍ତ୍ରକୁ କେହି ଭୁଲିଯିବା ଉଚିତ୍ ନୁହେଁ। ଆମ୍ଭେମାନେ ଖୁବ୍ଶୀଘ୍ର ଏହି ସଙ୍କଟରୁ ମୁକ୍ତି ପାଇବା ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ମାନଙ୍କର ସବୁ ଉଦ୍ୟମ ପ୍ରତି ଭାରତ ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ନିଜନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇବା ପାଇଁ ରାଜ୍ୟ ସରକାରମାନେ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ସରକାର କଥାବାର୍ତ୍ତା ଜାରି ରଖିଛନ୍ତି। ସେ କହିଛନ୍ତି ଔଷଧପତ୍ର ନିର୍ମାଣକାରୀ ଶିଳ୍ପ, ଟିକା ଉତ୍ପାଦନକାରୀ, ଅକ୍ସିଜେନ୍ ଉତ୍ପାଦନକାରୀ ଓ ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନଙ୍କର ମତାମତକୁ ଗ୍ରହଣ କରି ସରକାର ପଦକ୍ଷେପ ନେଇଛନ୍ତି। ବୈଜ୍ଞାନିକ ଓ ବିଶେଷଜ୍ଞମାନଙ୍କ ଉପଦେଶକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି।
ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ କୋଭିଡ ମହାମାରୀ ବିଷୟରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସେ କରୋନା ଯୋଦ୍ଧାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ମୁମ୍ବାଇର ଡକ୍ଟର ଶଶାଙ୍କ ଯୋଶୀଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ବେଳେ ଶ୍ରୀ ଯୋଶୀ କହିଛନ୍ତି ଭୟଭୀର ହେବାର କୌଣସି କାରଣ ନାହିଁ, କୋଭିଡ ମହାମାରୀ ପରିସ୍ଥିତିରୁ ଆମେ ନିଶ୍ଚିତ ମୁକୁଳିବା। ସେ କହିଛନ୍ତି ସରକାର ଦେଉଥିବା ସୂଚନାଗୁଡ଼ିକୁ ଲୋକମାନେ ପାଳନ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ଡକ୍ଟର ଯୋଶୀ କହିଛନ୍ତି ରେମ୍ଡେସିଭିଲ ଇଞ୍ଜେକ୍ସନର ସୀମିତ ଭୂମିକା ରହିଛି ଏବଂ ଡାକ୍ତରମାନଙ୍କର ଉପଦେଶ କ୍ରମେ ଡାକ୍ତରଖାନାରେ ଅକ୍ସିଜେନ୍ ନେଉଥିବା ରୋଗୀମାନଙ୍କୁ କେବଳ ଏହି ଇଞ୍ଜେକ୍ସନ ଦିଆଯାଇଥାଏ।
ଜାମ୍ମୁ ଓ କାଶ୍ମୀରର ଡକ୍ଟର ନାଭିଦ ନଜିରଙ୍କ ସହ ପ୍ରଧାନମନ୍ତ୍ରୀ ମଧ୍ୟ କଥାବାର୍ତ୍ତା କରିଛନ୍ତି। ଡକ୍ଟର ନଜିର କହିଛନ୍ତି ଆଗଭଳି ଏଥର ମଧ୍ୟ ଡରିବାର କୌଣସି କାରଣ ନାହିଁ। ଲୋକମାନଙ୍କୁ ମାକ୍ସ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ବଜାୟ ରଖିବା ସଙ୍ଗେ ସଙ୍ଗେ ସାମାଜିକ ଉତ୍ସବଗୁଡ଼ିକରେ ଯୋଗ ନଦେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି କରୋନାର ମୁକାବିଲା ପାଇଁ ସକାରାତ୍ମକ ମନୋଭାବର ଆବଶ୍ୟକତା ରହିଛି। ତେଣୁ ସମସ୍ତେ ସକାରାତ୍ମକ ମନୋଭାବ ବଜାୟ ରଖନ୍ତୁ।
ପ୍ରଧାନମନ୍ତ୍ରୀ ଆମ୍ବୁଲାନ୍ସ ଡ୍ରାଇଭର ପ୍ରେମ୍ ବର୍ମାଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ବର୍ମା କହିଛନ୍ତି ଟିକା ନେବାଦ୍ୱାରା ଲୋକମାନଙ୍କର ପରିବାର ଓ ସେମାନଙ୍କର ଭଲ ହେବ। ନିଜ ଜୀବନକୁ ବିପଦରେ ପକାଇ ଆମ୍ବୁଲାନ୍ସ ଡ୍ରାଇଭରମାନେ କରୋନା ବିରୁଦ୍ଧରେ ସଂଗ୍ରାମ ଚଳାଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଚିକିତ୍ସା ଜଗତ ଓ ସମ୍ମୁଖ ଯୋଦ୍ଧାମାନେ ଦିନରାତି ୨୪ଘଣ୍ଟା ଦେଶବାସୀଙ୍କ ସେବାରେ ଲାଗିଛନ୍ତି, ଏଣୁ କେହିହେଲେ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ମଧ୍ୟ ଲୋକମାନଙ୍କୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ କରୋନାରୁ ରକ୍ଷା କରାଯାଇପାରିବ।
ଭଗବାନ ମହାବୀର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଭଗବାନ ମହାବୀରଙ୍କର ବାର୍ତ୍ତା ଆତ୍ମସଂଯମତା ଓ ଧୈର୍ଯ୍ୟ ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅନୁପ୍ରାଣୀତ କରୁଛି। ସେ କହଛନ୍ତି ପବିତ୍ର ରମଜାନ୍ ପର୍ବ ଚାଲିଥିବାବେଳେ ବୁଦ୍ଧପୂର୍ଣ୍ଣିମା, ପୁରୁଚେକ୍ ବାହାଦୁରଙ୍କର ୪୦୦ତମ ପ୍ରକାଶ ପର୍ବ ଓ ଟାଗୋର ଜୟନ୍ତୀ ଆସନ୍ତାମାସରେ ପାଳନ କରାଯିବ। ସେ କହିଛନ୍ତି ସମସ୍ତେ ନିଜନିଜର କର୍ତ୍ତବ୍ୟ ପାଳନ ସହ ନିଜ ଜୀବନକୁ ରକ୍ଷା କରି ଭାରତକୁ ସଙ୍କଟରୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତକୁ ସମୃଦ୍ଧ କରିବା ଲାଗି ଆସ ଆମେ ସମସ୍ତେ ଶପଥ ନେବା।



