ଫୁଲବାଣୀ: : ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ବରିଷ୍ଠ ନାଗରିକଙ୍କତୀର୍ଥ ଯାତ୍ରା ଯୋଜନାରେ କନ୍ଧମାଳ ଜିଲାର ୮୭ ବରିଷ୍ଠ ନାଗରିକ ଦକ୍ଷିଣ ଭାରତ ଯାତ୍ରାରେ ବାହାରିଛନ୍ତି। ଫୁଲବାଣୀ ସହର ଉପକଣ୍ଠ ସାର୍ତ୍ତାଗୁଡା ବୃଦ୍ଧାଶ୍ରମ ପରିସରରୁ ଦୁଇଟି ବସ ସେମାନଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀଙ୍କ ସହ ଜିଲ୍ଲା ପ୍ରଶାସନର ୫ଜଣ ଅଧିକାରୀ ପଥ ପ୍ରଦର୍ଶକ ଭାବେ ସେମାନଙ୍କ ସହ ଯାଇଛନ୍ତି କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବରିଷ୍ଠ ନାଗରିକମାନେ କନ୍ୟାକୁମାରୀ ଓ ତ୍ରିଭେନ୍ଦ୍ରମ ଯାତ୍ର କରିବେ।
ସାର୍ତ୍ତାଗୁଡା ବୃଦ୍ଧାଶ୍ରମ ପରିସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରଶାସକ ସମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ପ୍ରବୀଣ କୁମାର ବଣୁଆ,ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଡି ମାଲେଶ୍ୱର ପାତ୍ର, ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର ପ୍ରମୁଖ ଉପସ୍ଥିତ ଥିଲେ। ଏହି ତୀର୍ଥ ଯାତ୍ରା ପାଇଁ ୧୧୪ଜଣଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭ ଜଣ ସୋମବାର ଦିନ ଯାତ୍ରା କରିଥିବା କହିଛନ୍ତି ଜିଲା ପର୍ଯ୍ୟଟନ ଅଧିକାରୀ। ଆସନ୍ତା୧୫ତାରିଖରେ ସେମାନେ ଫୁଲବାଣୀ ଫେରିବା କାର୍ଯ୍ୟକ୍ରମ ରହିଛି।



