ଫିରିଙ୍ଗିଆ ଥାନା ପୋଡ଼ି ଘଟଣା: ଆଇଆଇସିଙ୍କୁ ବଦଳି, ୨ ହୋମଗାର୍ଡ ନିଲମ୍ବିତ

ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇବା ଏବଂ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଆଇଆଇସିଙ୍କ ବଦଳି ହୋଇଛି। ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏଥିହ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏନେଇ ରବିବାର କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି। ଅପରପକ୍ଷେ, ଏହି ଘଟଣାରେ ୧୫ ଜଣକୁ ଅଟକ ରଖି ପୁଲିସ ପଚରାଉଚରା ଜାରି ରଖିଛି। ସେମାନଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଚାଲିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଗଞ୍ଜେଇ କାରବାରରେ ପୁଲିସର ସଂପୃକ୍ତି ଅଭିଯୋଗ କରି ଫିରିଙ୍ଗିଆ ଥାନାରେ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇଆଇସି ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଆକ୍ସନ ନହେବାରୁ ଥାନା ପରିସରରେ ଲୋକଙ୍କ ଗହଳି ହୋଇଥିଲା। ତେବେ ବୁଝାସୁଝା କରିବାକୁ ଯାଇଥିବା ଏସଡିପିଓ ଏବଂ ଅନ୍ୟ ପୁଲିସ ଅଧିକାରୀଙ୍କୁ ଲୋକେ ମାଡ ମାରିଥିଲେ। ଏହାପରେ ଲୋକେ ଥାନାରେ ନିଆଁ ଲଗାଇ ଦେଇଥିଲେ।

 

Comments are closed.