ଚନ୍ଦନେଶ୍ୱରଙ୍କ ପାଟପର୍ବ : ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ/ଚନ୍ଦନେଶ୍ବର : ଓଡିଶା ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପାଟପର୍ବ ଏକ ମନୋରମ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ଏଥିରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶ୍ରୀ ଜୀଉଙ୍କ ପାଟପର୍ବରେ ଓଡିଶା, ବିହାର, ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ଉପବୀତଧାରୀଙ୍କ ସହିତ ଅସଂଖ୍ୟ ଶ୍ରଦ୍ଧାଳୁ ନିଜ ନିଜର ମାନସିକ କାମନା କରି ଅର୍ଘ୍ୟପିଣ୍ଡରେ ଶେଷ ଅର୍ଘ୍ୟଦାନ କରିଛନ୍ତି। ମାନସିକଧାରୀ ଭକ୍ତାମାନେ କଣ୍ଟା ଫୋଡ଼ି ହାକାଣ୍ଡ ପୋଖରୀଠାରୁ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଦୀର୍ଘ ୧୩ ଦିନ ଧରି ହୁଗୁଳି ଗାଁରେ ବିଜେ ଜଳଯନ୍ତ୍ର ଦେବତା ବାବା ଚନ୍ଦନେଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା, ଜଳାଭିଷେକ ସହିତ ଶିବଧ୍ବନି ଓ ହରିଧ୍ୱନିରେ ପୀଠସ୍ଥଳ ଏବଂ ଆଖପାଖ ଗ୍ରାମଗୁଡିକ ପ୍ରକମ୍ପିତ ହେଉଥିଲା।
ମେଳା ଅବସରରେ ପଶ୍ଚିମବଙ୍ଗ ସୀମାରୁ ଚନ୍ଦନେଶ୍ୱର (୪କିମି), ଥାନାଛକ ଠାରୁ ଚନ୍ଦନେଶ୍ୱର(୮କିମି) ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗିଥିଲା ବେଳେ ପାଟପର୍ବରେ ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ସ୍ଥଗିତ ରଖାଯାଇଛି। ଗୁରୁବାର ପାଟପର୍ବରେ ମନ୍ଦିର ଠାରୁ ଅନତି ଦୂର ଭଟ୍ଟପୁର ଗାଁରେ ଥିବା ହାକାଣ୍ଡ ପୋଖରୀରୁ ଲକ୍ଷାଧିକ ଭକ୍ତ ମାଳା ଓ ଚନ୍ଦନରେ ଭୂଷିତ ହୋଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ଶ୍ରୀଜୀଉଙ୍କ ଶ୍ରେଷ୍ଠଭକ୍ତ (ପାଟଭକ୍ତ) ଦେଉଳିଆ ଶ୍ରୀ ବେକେଡି, ଆଠଲକ୍ଷୀ ଓ ଦଶଲକ୍ଷୀ ଭକ୍ତ ସାହାନାଇର ତାଳେ ତାଳେ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କରି ମନ୍ଦିର ମଧ୍ୟକୁ ପ୍ରବେଶ କରିବାର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ରହିଥିଲା। ଭକ୍ତାମାନେ ତିନୋଟି ବର୍ଗରେ ବିଭାଜିତ ହୋଇ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ ସ୍ବରୂପ ଆବାଳ ବୃଦ୍ଧବନିତାଙ୍କୁ ଖୁସି ବାଣ୍ଟିଥିଲେ। ପ୍ରଥମ ବର୍ଗର ଭକ୍ତା ଶିବ ଦୁର୍ଗା, ରାମ ସୀତା, କୃଷ୍ଣ ବଳରାମ, ହନୁମାନ ଆଦି ପାରମ୍ପରିକ ବେଶକୁ ଆପଣେଇଥିଲେ। ଅନ୍ୟକେତେକ ବିଭିନ୍ନ ପଶୁପକ୍ଷୀଙ୍କ ବେଶ ଧାରଣ କରିଥିବାର ଦେଖିବାକୁ ମିଳିଥିଲା। ଭୋଳାନାଥକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଶତାଧିକ ଭକ୍ତ ଜିହ୍ୱା, ଅଣ୍ଟା, ପିଠିରେ ଶହଶହ କଣ୍ଟା ଫୋଡି ହାକାଣ୍ଡ ପୋଖରୀଠାରୁ ମନ୍ଦିର ପର୍ଯ୍ୟନ୍ତ ଆସିବାର ଦୃଶ୍ୟ ଦର୍ଶକମାନଙ୍କୁ ଚକିତ କରିଛି। ବାବାଙ୍କ ଆଶୀର୍ବାଦରୁ ଶରୀରରେ କଣ୍ଟା ଫୋଡିବାର କଷ୍ଟ ଅନୁଭବ ହେଉନାହିଁ ବୋଲି ଅନେକ ଭକ୍ତ କହିଛନ୍ତି। ବିଶେଷ କରି କେତେଜଣ ଅଳ୍ପ ବୟସର ବାଳକ ନିଜ ଶରୀରରେ ଅନେକ କଣ୍ଟାଫୋଡି ସାହସିକତାର ସହ କ୍ଷୀପ୍ରଗତିରେ ଆଗଭର ହେବା ଦେଖାଯାଇଥିଲା। କେତେକ ଭକ୍ତ ମାନସିକ ପୂରଣ ପାଇଁ ମୁଣ୍ଡରେ ପ୍ରଜ୍ୱଳିତ ଝୁଣାଆଟିକା ମୁଣ୍ଡାଇ ମନ୍ଦିର ପରିକ୍ରମା କରିଥିଲେ। ପରେ ଭକ୍ତମାନେ ମନ୍ଦିର ପରିକ୍ରମା କରିବା ସହିତ ଶେଷ ଅର୍ଘ୍ୟଦାନ କରି ବ୍ରତ ଉଦ୍ୟାପନ କରିଥିଲେ। କିଛି ଭକ୍ତ ଅସୁସ୍ଥ ହୋଇ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ହୋଇଥିଲେ। ବାଲେଶ୍ୱର ଏସପି ବି ଯୁଗଳ କିଶୋର କୁମାର ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର ସନତ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ତଥା ସେବାୟତ ତପନ କୁମାର ପଣ୍ଡା, ମୌରସୀ ଜୟନାରାୟଣ ପଣ୍ଡା, ପୂର୍ବତନ ସରପଞ୍ଚ କାହ୍ନୁଗୋପାଳ ଶତପଥୀ, ସମିତି ସଦସ୍ୟା କାମିନୀ ପ୍ରଧାନ ପ୍ରମୁଖ ପରିଚାଳନା କରୁଛନ୍ତି।
ସେହିପରି ମେଳାରେ ଭୋଗରାଇ ନାଗରିକ ସୁରକ୍ଷା ପରିଷଦ , ବାଲେଶ୍ୱର ସତ୍ୟସାଇ ସେବା ସଂଗଠନ, ସାଗରସାଥୀ କ୍ଲବ ସାହାବାଜିପୁର,ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍କାଉଟ ଓ ଗାଇଡ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଦି ସଂଗଠନ ପକ୍ଷରୁ ଲୋକଙ୍କୁ ପାଣି, ବୁଟ, ଘୋଳଦହି ଦାନ କରିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାରେ ସହଯୋଗ କରିଥିଲେ। ଚଳିତ ବର୍ଷ କାଳବୈଶାଖୀ ପ୍ରଭାବ ଯୋଗୁଁ ଅସ୍ଥାୟୀ ଶିବିରରେ ରହୁଥିବା ଭକ୍ତ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ବର୍ଷା ପାଇଁ ବିଶେଷ ଗରମ ଅନୁଭୂତ ହୋଇନଥିଲା। ଏହି ପ୍ରସିଦ୍ଧ ମେଳାରେ ପୁଲିସ ପ୍ରଶାସନ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳପରିମଳ ବିଭାଗ ସହାୟତା ଯୋଗାଇଥିଲେ।

Comments are closed.