ପଟାଙ୍ଗି: କୋରାପୁଟ ଜିଲା ପଟାଙ୍ଗି ଥାନାରେ କାର୍ଯ୍ୟରତ ଜଣେ ପୁଲିସ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। କୋରାପୁଟ ଜିଲା ଲକ୍ଷ୍ମୀପୁର, ନାରାୟଣପାଟଣା ଓ ବନ୍ଦୁଗାଁ ବ୍ଲକର କିଛି ଭଦ୍ରବ୍ୟକ୍ତି ସୋମବାର ଜିଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲିଙ୍କୁ ସାକ୍ଷାତ କରି ଦୁଇ ପୃଷ୍ଠା ବିଶିଷ୍ଟ ଲିଖିତ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ଠକି ନେଇଥିବା ଉକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ କରି ଟଙ୍କା ଫେରସ୍ତ ଆଣିବା ପାଇଁ ଦାବି କରାଯାଇଛି।
ପଟାଙ୍ଗି ଥାନାରେ କାର୍ଯ୍ୟରତ ଜଣେ ଏଏସଆଇ ୨୦୦୯ ମସିହାରେ ପୁଲିସ ବିଭାଗର ସ୍ପେଶାଲ ବ୍ରାଞ୍ଚରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବା ସମୟରେ ଉକ୍ତ ୩ ବ୍ଲକର ପ୍ରାୟ ୧୫ ଜଣଙ୍କଠାରୁ ରେଳବାଇ ବିଭାଗରେ ଚାକିରି କରାଇଦେବା ନା’ରେ ପ୍ରତି ଲୋକଙ୍କ ପିଛା ୬୦ ହଜାର ଟଙ୍କା ଆଦାୟ କରିଥିଲେ। କୋରାପୁଟ ସଦର ମହକୁମାରେ ରହୁଥିବା ସମୟରେ ଟଙ୍କା ପ୍ରଦାନ କରାଯାଇଥିଲା। ଲୋକଙ୍କୁ ଡକାଇ ମେଡ଼ିକାଲ ସ୍ବାସ୍ଥ୍ୟ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା କୌଣସି ଚାକିରି ଯୋଗାଇ ଦେବାରେ ସକ୍ଷମ ହୋଇ ପାରିନାହାନ୍ତି। ଟଙ୍କା ଦେଇଥିବା ତିନି ବ୍ଲକର ସମ୍ପୃକ୍ତ ଲୋକ ଉକ୍ତ ପୁଲିସ ଅଧିକାରୀଙ୍କ ନିକଟରେ ପହଞ୍ଚି ଦେଇଥିବା ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଅଧିକାରୀ ଜଣକ ଟଙ୍କା ଫେରସ୍ତ କରିବା ତ ଦୂରର କଥା ମୁ ଜଣେ ପୁଲିସ ଅଧିକାରୀ େମାତେ ଟଙ୍କା ପାଇଁ ବାଧ୍ୟ କଲେ ତୁମମାନଙ୍କ ନାମରେ ମାମଲା ରୁଜୁ କରିବି ବୋଲି ଧମକ ଦେଇ ଫେରାଇ ଦେଇଥିଲେ। ଲୋକେ ସେହି ସମୟରେ ନାରାୟଣପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୌଣସି ସୁଫଳ ମିଳି ନ ଥିଲା। ଦୀର୍ଘ ୧୦ରୁ ୧୨ ବର୍ଷ ପରେ ପୁଣି ଉକ୍ତ ସମସ୍ୟାକୁ ନେଇ ଗତ ୧୫।୦୪।୨୦୨୧ ତାରିଖରେ ନାରାୟଣପାଟଣା ଥାନାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିବାକୁ ଉକ୍ତ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ। ତିନି ବ୍ଲକର ଦୁର୍ଗା ପ୍ରସାଦ ମହାପାତ୍ର, ଶିବପ୍ରସାଦ ନନ୍ଦ, ଏନ ଗୋବିନ୍ଦ ରେଡ୍ଡୀ ପ୍ରମୁଖ ୬ ଜଣ ସୋମବାର ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ପ୍ରକାଶ କରିବା ସହ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗକୁ ଭିତ୍ତିକରି ଆରକ୍ଷୀ ଅଧିକ୍ଷକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ୧୫ ଦିନ ମଧ୍ୟରେ ଆସିଥିବା ଲିଖିତ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିବାକୁ ଯାଇଥିବା ବ୍ୟକ୍ତି ବିଶେଷ ଏଏସଆଇ ଜଣଙ୍କ ୩୦ରୁ ୩୫ ଜଣଙ୍କଠାରୁ ଚାକିରି କରାଇଦେବା ନା’ରେ ୬୦ ହଜାର ଲେଖାଏଁ ଆଦାୟ କରି ନେଇଥିବା ଅଭିଯୋଗ କରିଛନ୍ତି।



