ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ୫୩ ନଂ. ଜାତୀୟ ରାଜପଥ କଡ଼ ସର୍ଭିସ୍ ରାସ୍ତାରେ ଜନତା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରହିଛି ଯାତ୍ରୀଙ୍କ ପାଇଁ ଏକ ଅସ୍ଥାୟୀ ପ୍ରତୀକ୍ଷାଳୟ। ଯାହା ଏକ ରାସ୍ତା ନିର୍ମାଣକାରୀ ସଂସ୍ଥା ଦ୍ଵାରା ନିର୍ମିତ ହୋଇଥିଲା। ଏହି ପ୍ରତୀକ୍ଷାଳୟ ଏବେ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ପ୍ରତିକ୍ଷାଳୟ ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲ ସଦୃଶ ହୋଇଛି। ବର୍ଷା ପାଣି ସହ ପ୍ଲାଷ୍ଟିକ ବୋତଲ, ଗ୍ଲାସ୍ ଆଦି ଜମା ହୋଇ ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି। ନିକଟରେ ସ୍କୁଲ, କଲେଜ ରହିଥିବାବେଳେ ଅନେକ ଉଠା ଜଳଖିଆ ଦୋକାନ ମଧ୍ୟ ଖୋଲୁଛି। ଦୋକାନରେ ପ୍ରାୟ ସବୁବେଳେ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକଙ୍କ ଭିଡ ଜମିଥାଏ। ଏହି ପ୍ରତୀକ୍ଷାଳୟରେ ବିଶେଷ କରି କଲେଜ ଛାତ୍ରଛାତ୍ରୀମାନେ ଅପେକ୍ଷା କରିଥାନ୍ତି। ଅନେକ ବୃଦ୍ଧବୃଦ୍ଧା ଖରା ବର୍ଷାରେ ଏଠି ଟିକେ ଆଶ୍ରୟ ନେଇଥାଆନ୍ତି। କିନ୍ତୁ ଏବେ ତାହା ସମ୍ଭବ ବି ହେଉନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତିକ୍ଷୟାଳୟଟି ଯେଉଁ ସ୍ଥାନରେ ନିର୍ମାଣ ହେବା ହେବା କଥା ସେଠାରେ କରାଯାଇ ନାହିଁ। ଅତାବିରା ଅଞ୍ଚଳର ରେଙ୍ଗାଲିକ୍ୟାମ୍ପ, ସରଣ୍ଡା ଓ ଗୋଡଭଗାରେ ଯେଉଁ ଅସ୍ଥାୟୀ ପ୍ରତିକ୍ଷାଳୟଗୁଡ଼ିକ ରହିଛି, ତାହା ବସ ରହଣିସ୍ଥଳଠାରୁ ବହୁ ଦୂରରେ ନିର୍ମାଣ କରାଯାଇଛି। କେବଳ ନାମକୁ ମାତ୍ର ଯିବା ଆସିବା ଲୋକେ ଥକି ଗଲେ ସେଠାରେ ଆଶ୍ରୟ ନେଇଥାଆନ୍ତି। କିନ୍ତୁ ସେଥିପାଇଁ ମଧ୍ୟ ଏଗୁଡ଼ିକ ଆଉ ଯୋଗ୍ୟ ହୋଇନାହିଁ। କେଉଁଠି ପ୍ରତିକ୍ଷାସ୍ଥଳ ଉପର ଚାଦର ଉଠିଯାଇଛି ତ ଆଉ କେଉଁଠି ବସିବା ବେଞ୍ଚଗୁଡ଼ିକ ଭାଙ୍ଗି ଗଲାଣି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ଯାତ୍ରୀ ମହଲରେ ଦାବି ହେଉଛି।



