ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାରପ୍ରସାର ଓଡ଼ିଶା ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଅନ୍ୟତମ ଅଂଶବିଶେଷ। ଏହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିବେ। ଏହି ଐତିହାସିକ ମୁହୂର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି। ଏହି ମୁହୂର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ୍‌ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହିକ୍ରମରେ ଶନିବାରଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ଏବଂ ବ୍ଲକ୍‌ରେ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ପଞ୍ଚାୟତ ସମିତିର ଯୋଜନା ପ୍ରକାରେ ତିନିଟି ଅର୍ପଣ ରଥ ୦୬.୦୧.୨୦୨୪ ଠାରୁ ୧୪.୦୧.୨୦୨୪ ତାରିଖ ପର୍ୟ୍ୟନ୍ତ ପଞ୍ଚାୟତ ସମିତିର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରରୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରଥମ ଦିବସରେ ତିନି ଅର୍ପଣ ରଥ ନନ୍ଦିକ ଗ୍ରାମ/ କଞ୍ଚୁରୁ ଗ୍ରାମ/ଦୟାପଲ୍ଲୀ ଗ୍ରାମ ଓ ଗୋଦରାପଲ୍ଲୀ ଗ୍ରାମରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କ ଠାରୁ ଭକ୍ତିପୂର୍ଣ୍ଣ ପରିବେଶରେ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରିଛନ୍ତି। ନନ୍ଦିକ ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଗଞ୍ଜାମ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍ ଶୁଭାରମ୍ଭ କରିଥିଲେ। ପ୍ରଥମେ ନନ୍ଦିକ ଗ୍ରାମସ୍ଥିତ ସୁନ୍ଦର ମାଧବ ମନ୍ଦିରରୁ ପ୍ରଭୁଙ୍କର ଆଜ୍ଞାମାଳ ଅଣାଯାଇ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ କରାଯାଇଥିଲା। ଅର୍ପଣ ରଥ ସହିତ ଉକ୍ତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିପଣନ ସଂସ୍ଥାର ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନ, ୬୮ ନଂ ଜିଲା ପରିଷଦ ଜୋନ ସଭ୍ୟ ଏଳା ସୁଦର୍ଶନ, ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ, ସମିତି ସଭ୍ୟା ପ୍ରତିନିଧି ସୁନିଲ ପରିଡ଼ା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ସିଡିପିଓ ଗଙ୍ଗୀ ସୁବୁଦ୍ଧି, ପିଇଓ ବିଜୟ ସେଠୀ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଦ୍ବିିତୀୟ ଅର୍ପଣ ରଥଟି କଞ୍ଚୁରୁ ଗ୍ରାମ ଜଗନ୍ନାଥ ମନ୍ଦିର ଠାରୁ ଯାତ୍ରା ଶୁଭାରମ୍ଭ କରି କଞ୍ଚୁରୁ ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ, ଜିଲା ଯୋଜନା ବୋର୍ଡର ବରିଷ୍ଠ ସଦସ୍ୟ ଏନ୍ ରଘୁନାଥ, ୬୭ ନଂ ଜିଲା ପରିଷଦ ଜୋନ ସଭ୍ୟା ବାଇ ଗୀତାଞ୍ଜଳି, ସରପଞ୍ଚ ମଦନ ସେଠୀ, ପିଇଓ ପ୍ରତାପ ସାହୁ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ତୃତୀୟ ଅର୍ପଣ ରଥଟି ଦୟାପଲ୍ଲୀ ଗ୍ରାମର ବାଲୁଙ୍କେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଯାତ୍ରା ଶୁଭାରମ୍ଭ କରି ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ୬୯ ନଂ ଜିଲା ପରିଷଦ ଜୋନ ସଭ୍ୟା ପ୍ରୀତି ସାହୁ, ସରପଞ୍ଚ ବି ସଞ୍ଜିତା, ସମିତି ସଭ୍ୟ ଇପିଲି ରାଜରାଓ, ପିଇଓ ଶଙ୍କର ରାଓ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଅପରାହ୍ଣରେ ଏହି ଅର୍ପଣ ରଥଟି ଦୁର୍ବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମରେ ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସନ୍ତୋଷ ସାହୁ, ସମିତି ସଭ୍ୟ ଜଗବନ୍ଧୁ ସାହୁ, ପିଇଓ ପ୍ରତାପ ସାହୁ, ଅଭିମନ୍ୟୁ ସାହୁ, ରାମହରି ଶର୍ମା ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ରବିବାର ଅର୍ପଣ ରଥ ତ୍ରୟ କଞ୍ଚୁରୁ ଗ୍ରାମ ପଞ୍ଚାୟତର ଅବଶିଷ୍ଟ ଗ୍ରାମ, ରାଲବ ଗ୍ରାମ ଓ ଦୁର୍ବନ୍ଧ ଗ୍ରାମରେ ପରିକ୍ରମା କରିବେ।

Comments are closed.