ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପାକିସ୍ତାନ ସେନା ଘୋର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନକୁ ଏ ନେଇ ସ୍ପଷ୍ଟ ଜଣାଇ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୂଚନା ଦେଇଛନ୍ତି।
ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ଗତ କିଛି ଘଣ୍ଟା ମଧ୍ୟରେ ଆଜି ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିବା ପାରସ୍ପରିକ ବୁଝାମଣା ବାରମ୍ବାର ଉଲ୍ଲଂଘନ ହୋଇଛି। ଏହା ଆଜି ହୋଇଥିବା ଚୁକ୍ତିନାମାର ଏକ ଗମ୍ଭୀର ଉଲ୍ଲଂଘନ। ଆମର ସଶସ୍ତ୍ର ବାହିନୀ ଏହି ଉଲ୍ଲଂଘନର ଉପଯୁକ୍ତ ଏବଂ ପ୍ରଭାବଶାଳୀ ଜବାବ ଦେଉଛନ୍ତି ଏବଂ ଭାରତ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଉଛନ୍ତି।
ଆମେ ପାକିସ୍ତାନକୁ ଏହି ଉଲ୍ଲଂଘନ ବନ୍ଦ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଏହି ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରତା ଏବଂ ଦାୟିତ୍ୱର ସହିତ ମୁକାବିଲା କରିବାକୁ ନିବେଦନ କରୁଛୁ। ଆମର ସଶସ୍ତ୍ର ବାହିନୀ ସଜାଗ ଅଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ଉଭୟରେ ପୁନରାବୃତ୍ତି ହେଲେ କଠୋର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଳି ସେ ପ୍ରକାଶ କରିଛନ୍ତି।
ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବାରୁ ସେନା ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।। ସେନା ଏହା ଉପରେ କଡ଼ା ନଜର ରଖିଛି। ପରିସ୍ଥିତିର ଦୃଢ଼ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେବାକୁ ସେନାକୁ ନିର୍ଦେଶ ଦିଆଯାଇଛି। ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ। ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ଗୁରୁତର ସହିତ ଭାରତ ନେଇଛି। ପାକିସ୍ତାନ ଆକ୍ରମଣର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।



