ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବାର ଉଦ୍ୟମରେ ଭାରତ ପୁଣି ଗୋଟିଏ ପାଦ ଆଗେଇଛି। କୁଟନୈତିକ ସ୍ତରରେ ପାକିସ୍ତାନକୁ ଆଉ ଏକ ଝଟ୍କା ମିଳିଛି ଏବଂ ଭାରତର ବିଜୟ ହୋଇଛି। ଶୁକ୍ରବାର ଆବୁଧାବିରେ ଅନୁଷ୍ଠିତ ଓଆଇସି(ଇସଲାମିକ ସହଯୋଗୀ ସଂଗଠନ ସମ୍ମିଳନୀ)ରେ ଭାରତୀୟ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଆମନ୍ତ୍ରଣ କରାଯାଇଥିବାରୁ ପାକିସ୍ତାନ ନିଜକୁ ଲଜ୍ଜିତ ଅନୁଭବ କରିବା ସହ ସମ୍ମିଳନୀକୁ ବର୍ଜନ କରିଛି। ସୁଷମା ଓଆଇସିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି, ଯାହାକୁ ସହ୍ୟ କରିପାରି ନାହିଁ ପାକିସ୍ତାନ। ଫଳରେ ପାକ୍ ବୈଦେଶିକ ମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।
ଅନ୍ୟପଟେ କୁହାଯାଉଛି ଯେ, ସୁଷମା ଓଆଇସିରେ ଯୋଗଦେବା ଅବସରରେ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏବଂ ନିଜ ଦେଶରେ ଆତଙ୍କବାଦୀ ସୃଷ୍ଟି କରୁଥିବା ପ୍ରସଙ୍ଗରେ ଉଦବୋଧନ ଦେବେ। ତେଣୁ ପାକିସ୍ତାନ ସମ୍ମିଳନୀରେ ଯୋଗଦେଇଥିଲେ ନିଶ୍ଚୟ ଅପମାନିତ ହୋଇଥାନ୍ତା। ଏଥିରୁ ବର୍ତ୍ତିବା ଲାଗି କ୍ୟୁରେଶୀ ସମ୍ମିଳନୀକୁ ବର୍ଜନ କରିଛନ୍ତି। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ମୁହଁ ଲୁଚାଇବାକୁ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।



