www.samajalive.in
Monday, December 8, 2025
27.1 C
Bhubaneswar

ଦଲାଲଙ୍କୁ ଝଟକା : ଧାନ କିଣାବେଳେ ସିଲ୍ ହେବ ସୀମା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ସମୀକ୍ଷା କରି ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।  ବିଶେଷ କରି ଧାନ ସଂଗ୍ରହରେ ହେଉଥିବା ଅନିୟମିତତା, ଦୁର୍ନୀତି ଓ ପ୍ରିୟାପ୍ରୀତିତୋଷଣ ଯେପରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯାଉଛି। ସେଥିପାଇଁ ଚାଷୀମାନଙ୍କ ଭିତରେ ବିପୁଳ ଉତ୍ସାହ ରହିଛି। ତେଣୁ ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ହେବ, ସେଥିପାଇଁ ପ୍ରତ୍ୟେକ ମନ୍ତ୍ରୀ ଗୋଟିଏ ବା ଦୁଇଟି ଜିଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ। ମନ୍ତ୍ରୀମାନେ ଜିଲା ତଥା ବିଭିନ୍ନ ମଣ୍ଡି ଗସ୍ତ କରି ଚାଷୀମାନଙ୍କ କଥା ଶୁଣି ତା’ର ପ୍ରତିକାର କଲେ, ସାଧାରଣ ଜନତା ସରକାରଙ୍କ ଆନ୍ତରିକତା ଅନୁଭବ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେଥିପାଇଁ ପୁରା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସମସ୍ତ ସଂପୃକ୍ତ ବିଭାଗ ଓ ଜିଲାପାଳମାନେ ସମନ୍ୱୟ ରଖି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରୁ ୮୩.୧୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଚାଷୀ। ସେମାନେ ଯେପରି ବିନା କୌଣସି ଅସୁବିଧାରେ ସେମାନଙ୍କ ଧାନ ବିକ୍ରି କରିପାରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ଜିଲାପାଳମାନଙ୍କର। ଧାନ ସଂଗ୍ରହରେ କ୍ଷୁଦ୍ର ଚାଷୀମାନଙ୍କୁ ପ୍ରାଥମିକତା ଦେବା ପାଇଁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଓଡ଼ିଶାରେ ଧାନ କ୍ରୟ ବେଳେ ପଡିଶା ରାଜ୍ୟର କେତେକ ଚାଷୀ କୌଶଳ କରି ଧାନ ବିକ୍ରି କରିଦେଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଚାଷୀଙ୍କଠୁ ଧାନ କିଣିବାବେଳେ ସୀମାନ୍ତ ଅଞ୍ଚଳକୁ ସିଲ୍ କରିବେ । ପୂର୍ବରୁ ଧାନର ମାନ ମଣ୍ଡିରେ ଏବଂ ମିଲରେ ଯାଞ୍ଚ କରାଯାଉଥିଲା ଏବଂ କଟନୀ ଛଟନୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିଲା । ଯାହାଦ୍ବାରା ଚାଷୀମାନେ ମିଲ୍ ମାଲିକଙ୍କ ଶୋଷଣର ଶିକାର ହେଉଥିଲେ । ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ କେବଳ ଥରଟିଏ ମଣ୍ଡିରେ ମାନ ଯାଞ୍ଚ ହେବ ଏବଂ ପରବର୍ତ୍ତୀ ସମୟରେ ଚାଷୀକୁ ଏଥିଲାଗି ହଟହଟା ହେବାକୁ ପଡିବନି । ଧାନ କ୍ରୟ ସମୟ ସୀମାକୁ ସମ୍ପୃକ୍ତ ଜିଲାର ଜିଲାପାଳ ଚାହିଁଲେ ବଢାଇ ପାରିବେ ।

- Advertisement -

ସେହିପରି ଟୋକେନ୍‌ର ଅବଧି ସମ୍ପର୍କରେ କ୍ଷୁଦ୍ର ଚାଷୀମାନେ ବିଶେଷ ସୂଚନା ପାଇ ପାରୁନାହାନ୍ତି । ତେଣୁ ସେମାନଙ୍କୁ ସଚତେନ କରିବା ସହିତ ଆବଶ୍ୟକ ସ୍ଥଳେ ଜିଲାପାଳମାନେ ସେମାନଙ୍କ ଟୋକେନ୍‌ର ଅବଧିକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ମଣ୍ଡି ପରିଚାଳନା ପାଇଁ ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ ଏବଂ ପ୍ରତ୍ୟେକ ଚାରି, ପାଞ୍ଚଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜର ରହିବେ। ଏହା ସହିତ ଗୋଟିଏ କେନ୍ଦ୍ରିୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ମନିଟରିଙ୍ଗ କରାଯିବ। ଏହି ଉଚ୍ଚ ସ୍ତରୀୟ ବୈଠକରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ଆଇନ, ଅବକାରୀ ଏବଂ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସବୁ ଜିଲାର ଜିଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories