କଟକ : ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। । ତୃତୀୟ ଥର ପାଇଁ କଟକଠାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଆଜିର ଉଦ୍ଘାଟନୀ ସମାରୋହରେ ବିଧାୟିକା, କଟକ ବାରବାଟୀ ସୋଫିଆ ଫିର୍ଦୋଷ, କ୍ରୀଡା ବିଭାଗ ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ହକି ପ୍ରମୋସନ କାଉନସିଲ ଅଫ ଓଡିଶାର ସିଇଓ ଦୀପଙ୍କର ମହାପାତ୍ର , କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, କଟକ ଡିସିପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟାଡ଼ମିଣ୍ଟନ ଆସୋସିଏସନ୍ ଅଫ୍ ଇଣ୍ଡିଆ ଓ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନ୍ର ମିଳିତ ସହଭାଗିତାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷା ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡ଼େନମାର୍କ ଆଦି ସମୁଦାୟ ୨୯ଟି ଦେଶରୁ ପ୍ରାୟ ୩୦୦ କ୍ରୀଡ଼ାବିତ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟର ସମୁଦାୟ ପୁରସ୍କାର ଧନରାଶି 100,000 USD Dollar ରହିଛି।



