ଭୁବନେଶ୍ଵର: କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ଡାଉନ କରିଛନ୍ତି। ଅର୍ଥାତ୍ ପୂରା ୩୦ ଜିଲାରେ ତାଲା ବନ୍ଦ। ପୂର୍ବରୁ ୧୪ଟି ଜିଲାକୁ ଲକ୍ଡାଉନ କରାଯାଇଥିବାବେଳେ ମଙ୍ଗଳବାର ଆଉ ୧୬ ଜିଲାରେ ଏହାକୁ ଲାଗୁ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଏକ ଜରୁରୀ ଖବରଦାତା ସମ୍ମିଳନୀରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଜି ମଧ୍ୟରାତ୍ରିରୁ ଆସନ୍ତା ୨୯ ତାରିଖ ମଧ୍ୟରାତ୍ରି ଯାଏ ରାଜ୍ୟରେ ଲାକ୍ଡାଉନ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେଉଥିବା ଦୋକାନଗୁଡ଼ିକୁ ବାଦ୍ ଦେଲେ ଅନ୍ୟ କୌଣସି ଦୋକାଦ ଖୋଲିବ ନାହିଁ ବୋଲି ସରକାର ନିର୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଆଉ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିନାହିଁ। ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓଡ଼ିଶାରେ ଏହା ସ୍ଥିର ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ସହିତ ପରିସ୍ଥିତି ସଫଳତାର ସହିତ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପସ୍ବରୂପ ସମ୍ପୂର୍ଣ୍ଣ ୩୦ ଜିଲାକୁ ଲକ୍ଡାଉନ କରିଥିବା ଜଣାପଡ଼ିଛି। ଆଜି ଅପରାହ୍ନ ସାଢ଼େ ୪ଟାରେ ରାଜ୍ୟ ସରକାର କିଛି ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିବେ ବୋଲି ବାଗ୍ଚୀ ସୂଚନା ଦେଇଛନ୍ତି।



