www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱରରେ ଓଡ଼ିଶା-ଗୋଆ ରଣଜୀ ମୁକାବିଲା

ଭୁବନେଶ୍ୱର : ୨୦୧୯ରେ ପ୍ରଥମଥର ଏବଂ ଚଳିତ ସିଜିନରେ ଶେଷଥର ପାଇଁ ଓଡ଼ିଶା ରଣଜୀ ଟ୍ରଫି ଦଳ ପଡ଼ିଆକୁ ଓହ୍ଲାଇବାକୁ ଯାଉଛି। ସୋମବାରଠାରୁ ଭୁବନେଶ୍ୱରର ବିକାଶ ଗ୍ରାଉଣ୍ଡରେ ଗୋଆ ବିପକ୍ଷରେ ଓଡ଼ିଶା ଦଳ ତା’ର ୯ମ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ ଖେଳିବାକୁ ଯାଉଛି। ପୁଣି ନୂଆ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅଧୀନରେ ଓଡ଼ିଶା ପ୍ରଥମଥର ଏହି ମ୍ୟାଚ୍‍ ଖେଳିବ। ପୁଣି ପ୍ରଥମଥର ଅନୁରାଗ ଷଡ଼ଙ୍ଗୀ ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଏହାସହ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଦଳରୁ ବାଦ୍‍ ପଡ଼ିଛନ୍ତି। ଚଳିତ ସିଜିନ୍‍ରେ ଓଡ଼ିଶାର ପ୍ରଦର୍ଶନ ସେତେ ଭଲ ନ ହେଲେ ବି ସେତେ ଖରାପ ମଧ୍ୟ ହୋଇନାହିଁ। ଗତ ୮ଟି ମ୍ୟାଚ୍‍ରୁ ଓଡ଼ିଶା ୩ଟି ଲେଖାଏଁ ବିଜୟ ଓ ପରାଜୟ ଏବଂ ୨ଟି ଡ୍ର ସହ ୨୦ ପଏଣ୍ଟ ପାଇ ୧୦ଟି ଦଳଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛି। ଶେଷ ମ୍ୟାଚ୍‍ରେ ଗୋଆକୁ ବୋନସ୍‍ ପଏଣ୍ଟ ସହ ପରାସ୍ତକଲେ ମଧ୍ୟ ଓଡ଼ିଶାର କ୍ୱାର୍ଟରଫାଇନାଲ ଖେଳିବା ସମ୍ଭାବନା ନାହିଁ। ତେବେ ବିଜୟ ସହ ମୁଣ୍ଡ ଉଚ୍ଚାକରି ସିଜିନ୍‍ ଶେଷ କରିବାକୁ ଓଡ଼ିଶା ଚାହିଁବ। ସମ୍ମୁଖରେ ଏଲିଟ୍‍ ଗ୍ରୁପ୍‍ ‘ସି’ରେ ଥିବା ଦୁର୍ବଳତମ ଦଳ ଗୋଆ। ୮ଟି ମ୍ୟାଚ୍‍ରୁ ୬ଟି ପରାଜୟ ଓ ୨ଟି ଡ୍ର ସହ ମାତ୍ର ୬ ପଏଣ୍ଟ ପାଇ ୧୦ମ ତଥା ସର୍ବନିମ୍ନ ସ୍ଥାନରେ ଗୋଆ ରହିଛି।
ତେଣୁ ଏହି ମ୍ୟାଚରେ  ଗୋଆ ବିପକ୍ଷରେ ଓଡ଼ିଶା ନିଶ୍ଚିତ ଭାବେ ଫେଭରିଟ୍‍। ମ୍ୟାଚରେ ବିଜୟୀ ନହେଲେ ଓଡ଼ିଶା ଦଳକୁ ଏହା ନିରାଶ କରିବ। ଚଳିତ ସିଜିନରେ ଓଡ଼ିଶାର ପ୍ରଦର୍ଶନ ଆଶାଠାରୁ ଉନ୍ନତ ହୋଇଛି। ବୋଧହୁଏ ୨ଟି ମ୍ୟାଚ୍‍ର ଫଳାଫଳ ଓଡ଼ିଶା ସପକ୍ଷରେ ଯାଇଥିଲେ ଓଡ଼ିଶା କ୍ୱାର୍ଟରଫାଇନାଲ ଖେଳିଥାଆନ୍ତା। ଝାଡ଼ଖଣ୍ଡଠାରୁ ଓଡ଼ିଶା ମାତ୍ର ୨ ରନ୍‍ରେ ପରାସ୍ତ ହୋଇଥିବା ବେଳେ ରାଜସ୍ଥାନଠାରୁ ୩୫ ରନ୍‍ରେ ଓଡ଼ିଶା ହାରିଥିଲା। ଗତ ମ୍ୟାଚ୍‍ରେ ସର୍ଭିସେସ୍‍ ବିପକ୍ଷରେ ଓଡ଼ିଶା ଏକଦା ଚାପରେ ପଡ଼ି ଯାଇଥିଲେ ହେଁ ୨ୟ ଇନିଂସରେ ଦେବାଶିଷ ସାମନ୍ତରାୟଙ୍କ ଲଢ଼ୁଆ ଶତକ ବଳରେ ଓଡ଼ିଶା ପରାଜୟ ଏଡ଼ାଇ ପାରିଥିଲା। ଚଳିତ ସିଜିନ୍‍ ଅଧାରେ ରଣଜୀ ପଦାର୍ପଣ କରିଥିବା ଦେବାଶିଷ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗତ ୩ଟି ମ୍ୟାଚ୍‍ ଖେଳି ଦେବାଶିଷ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୫୭ ଆଭ୍‍ରେଜରେ ୨୮୪ ରନ୍‍ କରିଛନ୍ତି। ତେବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛନ୍ତି ବିପ୍ଳବ ସାମନ୍ତରାୟ। ପ୍ରଥମ ୪ଟି ମ୍ୟାଚ୍‍ରୁ ୨୮୫ ରନ୍‍ କରିଥିବା ବିପ୍ଳବ ପରବର୍ତ୍ତୀ ୪ଟି ମ୍ୟାଚ୍‍ରେ ମାତ୍ର ୯୯ ରନ୍‍ କରିଛନ୍ତି। ଏଥିପାଇଁ ସେ ନେତୃତ୍ୱ ହରାଇଛନ୍ତି। ତାଙ୍କ ସ୍ଥାନରେ ଅଧିନାୟକ ନିଯୁକ୍ତ ହୋଇଥିବା ଶୁଭ୍ରାଂଶୁ ସେନାପତି ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସହ ୫୦ରୁ ଅଧିକ ଆଭ୍‍ରେଜରେ ୬ ଶହରୁ ଅଧିକ ରନ୍‍ କରିଛନ୍ତି। ଅନୁରାଗ ଷଡ଼ଙ୍ଗୀ ୪୬୫ ରନ୍‍ କରିଥିବା ବେଳେ ଅଭିଷେକ ରାଉତ ୩୪୮ ଓ ଶାନ୍ତନୁ ମିଶ୍ର ୨୮୧ ରନ୍‍ କରିଛନ୍ତି। ପେସ୍‍ ବୋଲର ଓଡ଼ିଶା ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବସନ୍ତ ମହାନ୍ତି ଓ ରାଜେଶ ମହାନ୍ତି ୭ଟି ଲେଖାଏଁ ମ୍ୟାଚ୍‍ ଖେଳି ଯଥାକ୍ରମେ ୩୮ଟି ଓ ୩୨ଟି ୱିକେଟ ନେଇଛନ୍ତି। ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ମ୍ୟାଚ୍‍ରୁ ୨୦ଟି ୱିକେଟ ନେଇଛନ୍ତି। ଅନ୍ୟପକ୍ଷରେ ଗୋଆ ବ୍ୟାଟିଂରେ ସେପରି ଖରାପ ପ୍ରଦର୍ଶନ କରିନାହିଁ। ବୋଲର ହିଁ ଦଳକୁ ନିରାଶ କରିଛନ୍ତି। ପୂର୍ବରୁ କର୍ଣ୍ଣାଟକ ପାଇଁ ଖେଳିଥିବା ଅମିତ ବର୍ମା ୨ଟି ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ୫୩୯ ରନ୍‍ କରିଛନ୍ତି। ସ୍ନେହଲ କୌଥାଙ୍କର ୪୯୪ ଓ ସଗୁନ୍‍ କାମତ ୪୨୬ ରନ୍‍ କରିଛନ୍ତି। ଦର୍ଶନ ମିସାଲ ଓ ସୁମିରନ ଅମୋନକର ୩ ଶହରୁ ଅଧିକ ରନ୍‍ କରିଛନ୍ତି। ଦୁଇ ପେସ୍‍ ବୋଲର ଲକ୍ଷ୍ୟ ଗର୍ଗ (୨୯ଟି) ଓ ପୂର୍ବରୁ ଆସାମ ପାଇଁ ଖେଳିଥିବା କ୍ରିଷ୍ଣା ଦାସ (୨୦ଟି)ଙ୍କୁ ଛାଡ଼ି କେହି ଭଲ ବୋଲିଂ କରିନାହାନ୍ତି। ଓଡ଼ିଶା ପୂରା ପଏଣ୍ଟର ଆଶା ରଖିଥିବାରୁ ପେସ୍‍ ବୋଲିଂ ଉପଯୋଗୀ ପିଚ୍‍ ପ୍ରସ୍ତୁତ ହୋଇଛି। ତେଣୁ ଉଭୟ ଦଳ ଟସ୍‍ ଜିତି ବ୍ୟାଟିଂ କରିବାକୁ ଚାହିଁବେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories