ଦିଅଁ ନଥିବା ଦେଉଳରେ ଭକ୍ତଙ୍କ ଭିଡ

ରେଙ୍ଗାଲି : ଦେଉଳ ଅଛି କିନ୍ତୁ ଦିଅଁ ନାହାନ୍ତି । ଦିଅଁ ଦେବତା ନଥିଲେ ବି ଦେଉଳରେ ସବୁ ସମୟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି । ହୀରାକୁଦ ଜଳଭଣ୍ଡାରରେ ଜଳମଗ୍ନ ହୋଇଥିବା ଗାଁ ରମ୍ପେଲା ଗ୍ରାମର ଶିବ ମନ୍ଦିରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଗାଁ ପାଣିରେ ବୁଡିଯିବା ଫଳରେ ଗ୍ରାମବାସୀଙ୍କ ସହ ଶିବ ମହାପ୍ରଭୁ ମନ୍ଦିର ଛାଡି ବିସ୍ଥାପିତ ହୋଇଥିଲେ । ଦେବତା ନଥିଲେ ବି ଶ୍ରଦ୍ଧାଳୁମାନଙ୍କ ପାଇଁ ଆସ୍ଥା, ବିଶ୍ବାସ ଓ  ଆକର୍ଷଣର  ପ୍ରତୀକ ସାଜିଛି ଏହି ମନ୍ଦିର । ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି ଉପରେ ଡଙ୍ଗାରେ ବସି ଶ୍ରଦ୍ଧାଳୁ ମନ୍ଦିରକୁ ପହଞ୍ଚି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରୁଥିବା ଦେଖିବାକୁ ମିଳୁଛି ।

ଜଳଭଣ୍ଡାର ଉପରେ ନିର୍ମିତ ସପନେ ସେତୁ ପାର୍ଶ୍ବରେ ଥିବା ଏହି ମନ୍ଦିରକୁ ସେହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ହାତ ଯୋଡି ମନ୍ଦିରକୁ ଭକ୍ତିପୂତ  ପ୍ରଣାମ ଜଣାଉଥିବା ଦେଖିବାକୁ ମିଳେ। ସେତୁରୁ ମନ୍ଦିରକୁ ଯାତାୟତ ପାଇଁ ସିଡି ବ୍ୟବସ୍ଥା କରାଗଲେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସୁବିଧା ହୁଅନ୍ତା ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।ରମ୍ପେଲାର ଶିବ ମନ୍ଦିର ଷୋଡଶ ଶତାଦ୍ଦୀରେ ନିର୍ମିତ ହୋଇଥିବାର କୁହାଯାଏ। ହୀରାକୁଦ ନଦୀବନ୍ଧ ଯୋଜନାରେ ଜଳମଗ୍ନ ହୋଇଥିବା ୨୯୪ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସରକାରୀ ହିସାବରେ ଜଳଭଣ୍ଡାରରେ ୮୦ ଟି ମନ୍ଦିର ଜଳମଗ୍ନ ହୋଇଥିବା ସୂଚନା ଅଧିକାର ଆଇନରେ ପ୍ରାପ୍ତ ସୂଚନାରେ ଉଲ୍ଲେଖ ଅଛି। କିନ୍ତୁ ବାସ୍ତବରେ ଶତାଧିକ ମନ୍ଦିର ଜଳଭଣ୍ଡାରରେ ଜଳମଗ୍ନ ହୋଇଛି ବୋଲି କୁହନ୍ତି  ଐତିହାସିକ ଦୀପକ କୁମାର ପଣ୍ଡା ।

ଜଳଭଣ୍ଡାରରେ ବୁଡି ଯାଇଥିବା ୨୯୪ ରାଜସ୍ବ ଗ୍ରାମ ମଧ୍ୟରୁ ରମ୍ପେଲା ଗ୍ରାମର ଏକ ସ୍ଵତନ୍ତ୍ର ପରିଚୟ ଓ ପ୍ରସିଦ୍ଧି ରହିଥିଲା ।  ରମ୍ପେଲାର କଂସା କାରିଗରୀ ରାଜ୍ୟରେ ପ୍ରସିଦ୍ଧ ଥିଲା। ପାଠ୍ୟ ପୁସ୍ତକରେ ଏହା ସ୍ଥାନିତ ଥିଲା। ରମ୍ପେଲାର ଜଗନ୍ନାଥ ମନ୍ଦିର, ସମଲେଶ୍ବରୀ ମନ୍ଦିର, ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିଲା। ତେବେ  ସ୍ବାଧୀନୋତ୍ତର ଭାରତର ପ୍ରଥମ ବହୁମୁଖୀ ଯୋଜନା ହୀରାକୁଦ ନଦୀବନ୍ଧ ଯୋଗୁଁ ସବୁ ଛିନ୍ନ ଛତ୍ର ହୋଇଗଲା। ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ରମ୍ପେଲା ଗ୍ରାମର ଲୋକେ  ସମ୍ବଲପୁର, ଝାରସୁଗୁଡା, ରେଙ୍ଗାଲି, ରମ୍ପେଲାକେମ୍ପ, ଗଣେଶନଗର, ରାମଚନ୍ଦ୍ର ନଗର ଆଦି ବିଭିନ୍ନ ସ୍ଥାନରେ ଯିଏ ଯେଉଁଠି ପୁନର୍ବସତି ସ୍ଥାପନ କରି ରହିଲେ।

ଗାଁରେ ଥିବା ଦେବାଦେବୀ ମଧ୍ୟ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହେଲେ। ରମ୍ପେଲା ଗ୍ରାମରେ ଥିବା ଶିବ ମହାପ୍ରଭୁଙ୍କ ପାଇଁ ରେଙ୍ଗାଲି ହରିହର ଧର୍ମଶାଳା ପାର୍ଶ୍ବରେ ଏକ ମନ୍ଦିର ନିର୍ମାଣ କରଯାଇ ପୂଜା ଅର୍ଚ୍ଚନା ଧାରା ଜାରି ରହିଛି। ଜଳଭଣ୍ଡାରରେ ବୁଡି ରହିଥିବା ମନ୍ଦିରରେ ଦିଅଁ ଦେବତା ନଥିଲେ ବି ହୀରାକୁଦ ବିସ୍ଥାପିତ ପରିବାର ବର୍ଗ ଉତ୍ତରାଧିକାରୀଙ୍କ ପାଇଁ ସେମାନଙ୍କ ପୂର୍ବଜଙ୍କ ଭିଟାମାଟିର ସ୍ମାରକୀ ଓ ସ୍ମୃତିର ସନ୍ତକ ରୂପେ ଦଣ୍ଡାୟମାନ।  ଏସବୁ ପୁରାତନ ଐତିହ ଗୁଡିକର ସଂରକ୍ଷଣ ଦିଗରେ ଫଳପ୍ରଦ ଯୋଜନା କାର୍ଯ୍ୟକ୍ଷମ କରାଯାଉ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି।

Comments are closed.