ସମାଜ ପୋର୍ଟାଲ ଡେସ୍କ: କରୋନା ଭାଇରସ୍ ରୋଗର ଚିକିତ୍ସା ପାଇଁ ପ୍ଲାଜମା ଥେରାପି ବ୍ୟବହାର କରାଯାଇ ପାରିବ ବୋଲି କୌଣସି ପ୍ରମାଣ ନାହିଁ। ତେବେ ଏହି ଥେରାପି ପରୀକ୍ଷଣ ସ୍ଥରରେ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଆଜି ନୂଆଦିଲ୍ଲୀରେ ସେମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ପ୍ଲାଜ୍ମା ଥେରାପି ପରୀକ୍ଷଣ କରାଯାଉଛି, ତଥାପି ଏହାର କୌଣସି ପ୍ରମାଣ ନାହିଁ ଯେ ଏହାକୁ କୋଭିଡ-୧୯ ସଂକ୍ରମଣ ପାଇଁ ଚିକିତ୍ସା ଭାବରେ ବ୍ୟବହାର କରାଯାଇପାରିବ।
ଲବ ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ପ୍ଲାଜ୍ମା ଥେରାପି ଉପଯୁକ୍ତ ଢଙ୍ଗରେ ବ୍ୟବହାର ନ ହେବ, ତେବେ ତାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଆଇସିଏମଆର ଏହି ବିଷୟ ଉପରେ ଅଧ୍ୟୟନ ଶେଷ ନ କରିଛି ଏବଂ ଏକ ଦୃଢ ବୈଜ୍ଞାନିକ ପ୍ରମାଣ ନ ବାହାରିଛି, ପ୍ଲାଜମା ଥେରାପି କେବଳ ଅନୁସନ୍ଧାନ କିମ୍ବା ପରୀକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବା ଆବଶ୍ୟକ। ସେ କହିଛନ୍ତି ଯେ ଯଦି ଉପଯୁକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ଲାଜମା ଥେରାପି ବ୍ୟବହାର କରାଯାଏ ନାହିଁ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।
ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାର ଚାରିଜଣ କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ପରୀକ୍ଷା ଉତ୍ସାହଜନକ ଫଳାଫଳ ଦେଇଛି। କେଜରିୱାଲ କହିଥିଲେ ଯେ କେନ୍ଦ୍ର ସରକାର କେବଳ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ଡାକ୍ତରଖାନାରେ ଗୁରୁତର ରୋଗୀଙ୍କ ଉପରେ ପ୍ଲାଜମା ଥେରାପିର ସୀମିତ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି। ସେହି ଡାକ୍ତରଖାନାର ଚାରିଜଣ ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରାଯାଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଫଳାଫଳ ଉତ୍ସାହଜନକ ରହିଥିବା କେଜରିୱାଲ କହିଛନ୍ତି।
ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ପ୍ଲାଜମା ଥେରାପି ପ୍ରୟୋଗ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ମହାରାଷ୍ଟ୍ର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଅମିତ ଦେଶମୁଖ କହିଛନ୍ତି ଯେ ଏହି ପରୀକ୍ଷା ଖୁବ ଶୀଘ୍ର ମୁମ୍ବାଇ, ପୁଣେ, ନାଗପୁର ଏବଂ ସୋଲାପୁରରେ ଆରମ୍ଭ ହେବ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି ଓ ଦେଶରେ ସମୁଦାୟ କୋଭିଡ-୧୯ ସକରାତ୍ମକ ମାମଲା ୨୯ହଜାର ୪୩୫ରେ ପହଂଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୮୪ ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। କୋଭିଡ-୧୯ ସଂକ୍ରମିତଙ୍କ ଆରୋଗ୍ୟ ହାର ୨୩.୩ ପ୍ରତିଶତକୁ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।



