ସୁଆଣ୍ଡୋ : ନନ୍ଦୋତ୍ସବ ଉପଲକ୍ଷେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ କୁଳଦେବତା ଶ୍ରୀ ରାଧା ବିନୋଦ ବିହାରୀ ଦେବଙ୍କ ପୀଠରେ ନନ୍ଦୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ସଂକୀର୍ତ୍ତନ ଓ ଘଣ୍ଟ, ଶଙ୍ଖ ନାଦରେ ଠାକୁରଙ୍କ ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି କରାଯିବା ପରେ ନନ୍ଦୋତ୍ସବ ନୀତି ଆରମ୍ଭ ହୋଇଥିଲା। ଠାକୁରଙ୍କ ବିଜେ ପ୍ରତିମା ମଦନମୋହନଙ୍କୁ ପୂଜକ ବାସୁଦେବ ପଣ୍ଡା ଭଦ୍ର ମଣ୍ଡଳରେ ଥିବା ସୁସଜ୍ଜିତ ଖଟୁଲି ଉପରକୁ ବିଜେ କରାଇଥିଲେ । ସେଠାରେ ମହାପ୍ରଭୁ ନୂତନ ବସ୍ତ୍ର ପରିଧାନ କରି ଚନ୍ଦନ ଫୁଲ ତୁଳସୀ ବେଶ କରାଯାଇଥିଲା। ରାଶିକୋରା, ମଗଜଲଡୁ, କ୍ଷୀର, ଉଖୁଡା, ପାଚିଲା କଦଳୀ ସହିତ ନାନାଦି ଫଳମୂଳ ଠାକୁରଙ୍କୁ ଭୋଗଲାଗି ପରେ ଆଳତୀ କରାଯାଇଥିଲା। ପୁରାଣ ପଣ୍ଡିତ ଶ୍ରୀ କୃଷ୍ଣ ଶହସ୍ର ନାମ ସହିତ ଭାଗବତର ନନ୍ଦୋତ୍ସବ ପୁରାଣ ପାଠ କରିଥିଲେ। ଏହି ଅବସରରେ ଠାକୁରଙ୍କ ନନ୍ଦୋତ୍ସବ ନୀତିକାନ୍ତି ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିବା ପରିଲକ୍ଷିତ ହୋଇଛି।
Popular Categories



