‘ମୋ-ଘର’କୁ ୧୦୦ଦିନ ; ୧ ଲକ୍ଷ ହିତାଧିକାରୀଙ୍କୁ ଘର ଲାଗି ବିଡିଓଙ୍କ ସୁପାରିସ
୮ଜିଲାରେ ବ୍ୟାଙ୍କ ହାତ ଖୋଲୁନି
ଭୁବନେଶ୍ବର : ରାଜ୍ୟରେ ଜଣେ ହେଲେ ବି ଗରିବ ଖୋଲା ଆକାଶ ତଳେ ରହିବେ ନାହିଁ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ନ କଲେ ମଧ୍ୟ ଓଡ଼ିଶା ସରକାର ରାଜ୍ୟର ଅବହେଳିତ ଓ ଅସହାୟ ବର୍ଗଙ୍କୁ ‘ମୋ-ଘର’ ଯୋଜନାରେ ଛାତ ତଳେ ରଖିବା ପାଇଁ ପଣ ମେ’ ୨୯ରେ ଯୋଜନା କଲେ। ଯୋଜନାର ୧୦୦ ଦିନ ଏବଂ ଆବେଦନ ଗ୍ରହଣର ୯୦ ଦିନ ପରେ ମଧ୍ୟ ଲକ୍ଷାଧିକ ଗରିବ ଛାତ ପାଇଁ ଆକାଶକୁ ଚାହିଁଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ କଥା ଶୁଣୁ ନାହାନ୍ତି। ଇତିମଧ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ବ୍ୟାଙ୍କ ସହିତ କଥାବାର୍ତ୍ତା ଶେଷ ହେଲାଣି, ହେଲେ ଏତେବଡ଼ ଭାର କିଏ ବୋହିବ ବୋଲି ରାଷ୍ଟ୍ରାୟତ୍ତ ଏବଂ କେତେକ ଘରୋଇ ବ୍ୟାଙ୍କର ପ୍ରମୁଖ ଅଧିକାରୀମାନେ କହୁଛନ୍ତି। ଲକ୍ଷାଧିକ ଗରିବଙ୍କ ଆବେଦନକୁ ସରକାର ବ୍ୟାଙ୍କଗୁଡ଼ିକୁ ପଠାଇ ଋଣ ପ୍ରଦାନ କରିବାକୁ ବାରମ୍ବାର ସୁପାରିସ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ୧ପ୍ରତିଶତ ଗରିବଙ୍କୁ ବ୍ୟାଙ୍କ ଋଣ ମିଳିପାରି ନାହିଁ। ୮ଟି ଜିଲାରେ ହଜାର ହଜାର ହିତାଧିକାରୀଙ୍କୁ ଋଣ ପାଇଁ ସୁପାରିସ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଜଣଙ୍କୁ ମଧ୍ୟ ଗୋଟିଏ ବ୍ୟାଙ୍କ ଋଣ ଦେଇ ନ ଥିବାବେଳେ ୧୬ ଜିଲାରେ ନୈରାଶ୍ୟଜନକ ସ୍ଥିତି ରହିଛି। କେବଳ ୬ଟି ଜିଲାରେ ଦୁଇ ଅଙ୍କ ସଂଖ୍ୟକ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଥିବା ପଞ୍ଚାୟତିରାଜ ବିଭାଗ ତଥ୍ୟରୁ ଜଣାଯାଇଛି। ଆଗକୁ ସାଧାରଣ ନିର୍ବାଚନ, ବ୍ୟାଙ୍କ କର୍ତ୍ତୃପକ୍ଷ ଯଦି ଯୋଜନାର ସଫଳ ରୂପାୟନ ଦିଗରେ ସହଯୋଗ ନ କରିବେ ତେବେ ତାହା ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ।
ରାଜ୍ୟର ୨ଲକ୍ଷ କୋଟି ଟଙ୍କାକୁ ରାଜ୍ୟ ସରକାର ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କରେ ଠୁଳ କରୁଛନ୍ତି। ହେଲେ ସରକାରଙ୍କ ଯୋଜନାକୁ କାହିଁକି ସଫଳ କରିବାରେ ବ୍ୟାଙ୍କଗୁଡ଼ିକ ଆନ୍ତରିକତା ଦେଖାଉ ନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେଉଁ ଅଧିକାରୀମାନେ ବ୍ୟାଙ୍କରେ ସରକାରୀ ଅର୍ଥକୁ ଠୁଳ(ପାର୍କିଂ) କରିବାପାଇଁ ଆଗ୍ରହ ଦେଖାଉଛନ୍ତି ଋଣ ଦେବା ବେଳକୁ କାହିଁକି ତାଙ୍କ ଉପରେ ଚାପ ପକାଉ ନାହାନ୍ତି ବୋଲି ସରକାରଙ୍କ ଜଣେ ବରିଷ୍ଠ ପ୍ରଶାସକ କହିଛନ୍ତି।
ସୂଚନା ଅନୁଯାୟୀ, ଚଳିତମାସ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ ୪ଲକ୍ଷ ୬୦ହଜାର ହିତାଧିକାରୀ ‘ମୋ-ଘର’ ଯୋଜନାରେ ଘର ପାଇବା ପାଇଁ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରେ ପୁରୀର ସର୍ବାଧିକ ୪୪ହଜାର ୯୮୩ଜଣ ରହିଥିବାବେଳେ କଟକର ୪୧ହଜାର ୩୦୮, ଯାଜପୁରର ୪୦ହଜାର ୧୩୪, କେନ୍ଦ୍ରାପଡା ୩୧ହଜାର ୯୫୯, ଭଦ୍ରକ ୩୦ହଜାର ରହିଥିବାବେଳେ ସୁବର୍ଣ୍ଣପୁର, କେନ୍ଦୁଝର, ବଲାଙ୍ଗୀର, ଖୋର୍ଦ୍ଧା, ଅନୁଗୋଳ,ଗଞ୍ଜାମ, ଢ଼େଙ୍କାନାଳ, ବାଲେଶ୍ବର, ଜଗତସିଂହପୁର ପ୍ରଭୃତି ଜିଲାରେ ୧୦ହଜାର ଉପରକୁ ପଞ୍ଜୀକରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହ ସୁଦ୍ଧା ୩ଲକ୍ଷ ୩୬ହଜାର ଆବେଦନ ସରକାରଙ୍କ ହସ୍ତଗତ ହୋଇଥିଲା। ସେଥିମଧ୍ୟରେ ପୁରୀର ସର୍ବାଧିକ ୩୭ହଜାର ୧୩୯, ଯାଜପୁରର ୩୧ହଜାର ୬୩୦, କେନ୍ଦ୍ରାପଡ଼ା ୨୫ହଜାର ୩୩୩, ଭଦ୍ରକର ୨୩ହଜାର ୪୮ ହିତାଧିକାରୀ ରହିଥିବାବେଳେ ନୂଆପଡ଼ାରେ ସର୍ବନିମ୍ନ ୧୭୮୬ ହିତାଧିକାରୀ ରହିଛନ୍ତି। ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ଆବେଦନ ଯାଞ୍ଚ କରାଯିବା ପରେ ୧ଲକ୍ଷ ୪୪ହଜାର ହିତାଧିକାରୀ ଯୋଗ୍ୟ ବୋଲି ଧରାଯାଇଛି। ଏଥିରୁ ୧ଲକ୍ଷ ୨୫ହଜାର ହିତାଧିକାରୀଙ୍କ ଘର ନିର୍ମାଣ ଯୋଜନା ଏବଂ ସରକାରଙ୍କ ପକ୍ଷରୁ କିଏ କେତେ ଟଙ୍କାର ଋଣ ନେବେ ସେସବୁର ଟିକିନିଖି ହିସାବ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କେତେ ଟଙ୍କାର ରିଆତି ଯୋଗାଇ ଦିଆଯିବ, କେଉଁ ଜିଲାର କେଉଁ ବ୍ୟାଙ୍କକୁ ତାଲିକା ପ୍ରଦାନ କରାଯିବ ତାହା ମଧ୍ୟ ସ୍ଥିରୀକୃତ ହୋଇଛି। ଏହାକୁ ନେଇ ସବୁ ଜିଲାର ବିଭିନ୍ନ ବ୍ଲକର ବିଡିଓମାନେ ହିତାଧିକାରୀଙ୍କ ଆବେଦନକୁ ବ୍ୟାଙ୍କକୁ ସୁପାରିସ କରିବା ଆରମ୍ଭ କରିଛନ୍ତି। ଇତିମଧ୍ୟରେ ପ୍ରାୟ ୧ଲକ୍ଷ ହିତାଧିକାରୀଙ୍କୁ ‘ମୋ-ଘର’ ଯୋଜନାରେ ଋଣ ଯୋଗାଇବାକୁ ବିଡିଓମାନେ ବ୍ୟାଙ୍କକୁ ପ୍ରଦାନ କଲେଣି। ସମୟ ଗଡ଼ି ଚାଲିଛି, ହେଲେ ଅଦ୍ୟାବଧି ମାତ୍ର ୪୨୮ଜଣ ହିତାଧିକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ଋଣ ପ୍ରଦାନ ଆରମ୍ଭ ହୋଇଛି। ୮ଟି ଜିଲାରେ ଗୋଟିଏ ବି ବ୍ୟାଙ୍କ ଜଣେ ବି ହିତାଧିକାରୀଙ୍କୁ ଋଣ ଦେବାପାଇଁ ଆଗଭର ହୋଇ ନ ଥିବାବେଳେ ଅବଶିଷ୍ଟ ୨୨ଟି ଜିଲାରେ ନୈରାଶ୍ୟଜନକ ସ୍ଥିତି ଦେଖିବାକୁ ମିଳିଛି। ତଥ୍ୟ ଅନୁଯାୟୀ, ପୁରୀରେ ସର୍ବାଧିକ ୧୦୨ଜଣ ହିତାଧିକାରୀଙ୍କୁ ‘ମୋ-ଘର’ ଯୋଜନାରେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପ୍ରଦାନ କରିଥିବାବେଳେ କେନ୍ଦ୍ରାପଡ଼ାରେ ୯୧, ଜଗତସିଂହପୁରରେ ୮୫, ଯାଜପୁରରେ ୪୮, କଳାହାଣ୍ଡିରେ ୩୧, କଟକରେ ୨୧ ଜଣ ହିତାଧିକାରୀ ରହିଛନ୍ତି। ଅବଶିଷ୍ଟ ୧୬ଟି ଜିଲାରେ ଏକ ଅଙ୍କର ହିତାଧିକାରୀଙ୍କୁ ଋଣ ମଞ୍ଜୁର ହୋଇଛି। ଚଳିତମାସ ୭ରେ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ ବୈଠକରେ ଏହା ଉପରେ ଗୁରୁତ୍ବ ଦିଆଯାଇଥିଲା। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ଅର୍ଥବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ବୈଠକ ବାରମ୍ବାର ବସୁଥିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଏଭଳି ଅସହଯୋଗ କାରଣରୁ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.