ଟିଟିଲାଗଡ: ଅସହ୍ୟ ତାତିରେ କଳବଳ ଟିଟିଲାଗଡବାସୀଙ୍କୁ ରାଜ୍ୟ ମହିଲା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୫ କୋଟି ଟଙ୍କାର ଯୋଜନା ଭେଟି ଦେଇଛନ୍ତି। ବୁଧବାର ବିଶ୍ୱ ପର୍ଯ୍ୟାବରଣ ଦିବସ ଅବସରରେ ପର୍ଯ୍ୟଟନ କ୍ଷେତ୍ର କୁମୁଡା ପାହାଡ ପାଦ ଦେଶରେ ସ୍ଥାନୀୟ କୁମୁଡା ପାହାଡ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତି ସାହୁ ଏ ନେଇ ଘୋଷଣା କରିବା ସହ ଆଗାମୀ ଦିନରେ ଟିଟିଲାଗଡ ନିର୍ବାଚନ ମଣ୍ଡଳି ଅଂଚଳର ସାମଗ୍ରୀକ ବିକାଶ ପାଇଁ ସେ ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି।
ଏହି ଶିତଳିକରଣ ଯୋଜନାରେ କୁମୁଡା ପାହାଡରେ ସବୁଜିମା ସୃଷ୍ଟି, ଉଷ୍ମ ବାୟୁ ପ୍ରବାହ ହେଉଥିବା ଦକ୍ଷିଣ ପଶ୍ଚିମ ପଟ ମୁରିବାହାଲ ତଥା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳ ପର୍ଯ୍ୟନ୍ତ ବନୀକରଣ, ସଂରକ୍ଷିତ ଜଙ୍ଗଲ ଅଂଚଳର ଖାଲି ସ୍ଥାନରେ ବୃକ୍ଷ ସୃଷ୍ଟି, ଜଳାଶୟଗୁଡିକର ଉନ୍ନତିକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମ୍ମାନୀତ ଅତିଥି ବଲାଙ୍ଗିର ଜିଲା ବନଖଣ୍ଡ ଅଧିକାରୀ ସୁଚନା ଦେଇଛନ୍ତି।


