ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ, ଯାଞ୍ଚ ଓ ଚଢଉକୁ କଡାକଡି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏହି ପରିପ୍ରେକ୍ଷୀରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ବୈଠକରେ ବିଭିନ୍ନ ଯାଞ୍ଚ ଓ ଚଢଉ ଦାୟିତ୍ୱରେ ଥିବା ଏନଫୋର୍ସମେଣ୍ଟ କମିଟିର ସଦସ୍ୟମାନଙ୍କ ସହିତ ସଦ୍ୟତମ ସ୍ଥିତି ଯାଂଚ କରାଯାଇଥିଲା । ଆଗାମୀ ସାଧାରଣ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା, ନିର୍ବାଚନ ଆଦର୍ଶ ଆଚରଣବିଧିକୁ କଡାକଡ଼ି ଅନୁପାଳନ କରାଯିବା ନେଇ ଗଠିତ ରାଜ୍ୟସ୍ତରୀୟ କମିଟିର ସଭ୍ୟମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାରେ ରହିଥିବା ଯାଞ୍ଚ ଓ ଚଢଉ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣପ୍ରଶାସନଓସାଧାରଣଅଭିଯୋଗବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ, ଜିଏସଟି କମିଶନର, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ, ପରିବହନ ବିଭାଗ କମିଶନର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ,ଓଡିଶା ପ୍ରମୁଖ ସଦସ୍ୟମାନେ ଯୋଗ ଦେଇଥିଲେ।
ବୈଠକରେ ପୁଲିସ୍ ପ୍ରଶାସନ ତରଫରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଆଇନ୍ ଶୃଙ୍ଖଳାସ୍ଥିତି, ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଅନୁପ୍ରବେଶକାରୀ ଏବଂ ଉଗ୍ରବାଦୀ କାର୍ୟ୍ୟକଳାପର ମୁକାବିଲା କରିବା ପାଇଁ ପୁଲିସ ତରଫରୁ କାର୍ୟ୍ୟାନୁଷ୍ଠାନ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।ବିଭିନ୍ନ ଅପରାଧିକ ମାମଲାରେ ପୁଲିସ ତରଫରୁ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ, ନିର୍ବାଚନ ଘୋଷଣା ପରଠାରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଇତ୍ୟାଦି ଜବତ, ମଦ ଓ ନିଶାଦ୍ରବ୍ୟ ମାମଲାରେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ବିଭିନ୍ନ ଜିଲାରେ ପୁଲିସ୍ ମୁତୟନ, ଆନ୍ତଃରାଜ୍ୟ ସୀମାରେ ପୁଲିସଚେକ୍ ପୋଷ୍ଟ, ଅବକାରୀ ଚେକ୍ ପୋଷ୍ଟ, ଜଙ୍ଗଲ ବିଭାଗ ଚେକ୍ ପୋଷ୍ଟ ଆଦିରେ କଡ଼ାକଡ଼ି ନଜର ରଖାଯିବା, ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଅନୁପ୍ରବେଶକାରୀ, ବେଆଇନମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ ନଗଦଟଙ୍କା କାରବାର ଉପରେ କଡ଼ା ନଜର ରଖିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି କଡାକଡି ଅନୁପାଳନ ପାଇଁ ସଂପୃକ୍ତ ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଆଦି ବିଭିନ୍ନ ବିଭାଗରେ ମୁଖ୍ୟମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବେଆଇନ ମାଦକ ଦ୍ରବ୍ୟ ଜବତ ସଂପର୍କରେ ଅବକାରୀ ବିଭାଗ ତରଫରୁ ଅଦ୍ୟାବଧି ନିଆଯ।ଇଥିବା କାର୍ୟ୍ୟନୁଷ୍ଠାନ ସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ସୂଚନା ପ୍ରଦାନ କରିଥିଲେ। ସେହିପରି ଜିଏସଟି କମିଶନର ଦ୍ରବ୍ୟ ଓ ସେବାକର ଆଇନ୍ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏ ସଂପର୍କରେ ନିୟମିତ ଆନ୍ତଃ-ରାଜ୍ୟ ସମନ୍ୱୟ ବୈଠକ ନିୟମିତ ଅନୁଷ୍ଠିତ ହେଉଥିବା, ବାଣିଜ୍ୟ ଓ ପରିବହନ ବିଭାଗ ସମନ୍ୱୟରେ ମିଳିତ ଚଢଉ କରାଯାଉଥିବା ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ ।

Comments are closed.