କଲ୍ୟାଣସିଂହପୁର/ଶିକରପାଇ: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦିନକୁ ଦିନ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବାରମ୍ୱାର ଚୋରି ହେଉଥିଲେ ମଧ୍ୟ ପୁଲିସ ଚୋରଙ୍କୁ ଧରିବାରେ ବାରମ୍ବାର ବିଫଳ ହେଉଛି। ପୁଲିସକୁ ଚ୍ୟାଲେଞ୍ଜ କରି ପ୍ରତିଦିନ ଚୋର ଚୋରି କରିବାରେ ସଫଳ ହେଉଛି। ଗୁରୁବାର ରାତିରେ କଲ୍ୟାଣସିଂହପୁର ବ୍ଲକ ସିକରପାଇ ମୁଖ୍ୟ ସଡ଼କରେ ରହିଆସୁଥିବା ଲାଡି ବାସୁଦେବ ରାଓଙ୍କ ଘରର ପାଞ୍ଚଟି କବାଟ ଭାଙ୍ଗି ଆଲମାରୀରୁ ୪୦ ତୋଳା ସୁନା, ୨୦ ତୋଳା ରୁପାଗହଣା ସହ ନଗଦ ଏକ ଲକ୍ଷ ଟଙ୍କା ଦୁର୍ବୃତ୍ତ ଚୋରି କରି ଚମ୍ପଟ ହୋଇଯାଇଛନ୍ତି।
ଲାଡି ବାସୁଦେବଙ୍କ କହିବା ଅନୁଯାୟୀ, ଗତ ରାତିରେ ସ୍ବାମୀ, ସ୍ତ୍ରୀ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ ଦୁର୍ବୃତ୍ତମାନେ ବାଡି ପଟେ ପଶି ପାଞ୍ଚଟି କବାଟ ଭାଙ୍ଗି ଶୟନ କକ୍ଷରେ ଥିବା ଆଲମାରୀ ଭାଙ୍ଗି ପ୍ରାୟ ୪୦ତୋଳା ସୁନା ଓ ୨୦ ତୋଳା ରୁପା ଗହଣା ସହ ନଗଦ ଏକ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ ମଧ୍ୟ ସ୍ବାମୀ, ସ୍ତ୍ରୀ ଜାଣି ପାରିନଥିଲେ। ଦୁର୍ବୃତ୍ତମାନେ ଘରେ ପଶିବା ପରେ କୌଣସି ରାସାୟନିକ ପାଉଡର ବ୍ୟବହାର କରି ଚୋରିକରି ନେଇଥିବା ଅନୁମାନ କରାଯାଉଛି। ସ୍ବାମୀ, ସ୍ତ୍ରୀ ସକାଳୁ ଉଠିବାପରେ ଆଲମାରୀ କବାଟ ଭାଙ୍ଗିଥିବା ଦେଖିବା ପରେ କଲ୍ୟାଣସିଂହପୁର ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଅଧିକାରୀ ସୁମନ୍ତି ମହାନ୍ତି, ଏସଆଇ ଶିବ ସାହୁ, ସଞ୍ଜୟ କୁମାର ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ରାୟଗଡାରୁ ସନ୍ଧାନୀ କୁକୁର ଆସିବା ପରେ ପିଙ୍ଗର ପ୍ରିଣ୍ଟ ନେବା ସହ ତଦନ୍ତ ଚଳାଇଛନ୍ତି।
ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏଭଳି କଲ୍ୟାଣସିଂହପୁରରେ ପ୍ରତିଦିନ ଗାଡି ବ୍ୟାଟେରୀ, ବାଇକ ଆଦି ଚୋରି ହେଉଥିଲେ ମଧ୍ୟ ଚୋରକୁ ପୁଲିସ ଧରିବାରେ ବିଫଳ ହେଉଛି ।



