ଲାଞ୍ଜିଗଡ଼ : ଜଙ୍ଗଲରୁ ଚାର, ମହୁଲ, ପଣସ, ସପୁରି ପଣସ, ଆମ୍ବ, ତେନ୍ତୁଳି ସମେତ ଫୁଲଝାଡୁ, ସିଆଳି ପତ୍ର ଆଦି ସଂଗ୍ରହ ଓ ଉତ୍ପାଦନ କରି ବିଶ୍ୱର ଆଦିମ ଜନଜାତି ଭାବେ ପରିଗଣିତ କୁଟିଆ ଓ ଝରଣିଆ କନ୍ଧମାନେ ନିଜର ଜୀବିକା ନିର୍ବାହ କରନ୍ତି। ତେବେ କଳାହାଣ୍ଡି ଜିଲାର ଆଦିବାସୀ ବହୁଳ ଓ ନିୟମଗିରି ପର୍ବତ ସଂଲଗ୍ନ ୧୧୨ଟି ଗାଁରେ ରହୁଥିବା ଏହି ଜନଜାତିର ଲୋକେ ବର୍ଷବର୍ଷ ଧରି ଦଲାଲ ଓ ଆନ୍ଧ୍ର ବେପାରିଙ୍କ ଦ୍ୱାରା ଶୋଷିତ ହେଉଥିବା ଅଭିଯୋଗ ହୋଇଆସୁଛି।

ଏହାକୁ ଦୃଷ୍ଟିରେ ରଖି ଚଳିତ ଲକଡାଉନ୍ ବେଳେ ସରକାରୀ ପ୍ରାୟୋଜିତ ସଂସ୍ଥା ଟିଡିସିସି, କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ଲାଞ୍ଜିଗଡସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ସେମାନଙ୍କଠାରୁ ଧାର୍ଯ୍ୟ ମୂଲ୍ୟରେ ଜଙ୍ଗଲଜାତ ଦ୍ରବ୍ୟ କିଣିବାକୁ ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ଜିଲା ପ୍ରଶାସନ ଉତ୍ଫୁଲ୍ଲିତ ହେଉଥିବାବେଳେ ଏବେ ଏହାର ଅପକାରିତା ସାମ୍ନାକୁ ଆସିଛି। କାରଣ ଟିଡିସିସି କିମ୍ବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦାୟିତ୍ୱ ନେଇଥିଲେ ହେଁ ଏଥିରେ ଅବହେଳା କରୁଥିବା, ପୁଣି ପୂର୍ବରୁ ଦଲାଲ ଓ ଆନ୍ଧ୍ର ବେପାରିମାନେ ଅଞ୍ଚଳରେ ଆଡ୍ଡା ଜମାଇଥିବାରୁ ଏବେ ବି ଅନେକ ଲୋକେ ସେମାନଙ୍କ କଷ୍ଟ ଉପାର୍ଜିତ ଦ୍ରବ୍ୟକୁ ଦଲାଲ ହାତରେ ଟେକି ଦେଉଥିବା ଜଣାପଡିଛି। ଏପରିକି ଦଲାଲମାନେ ବହୁ ପୂର୍ବରୁ ମାଣ୍ଡିଆ, କାନ୍ଦୁଲ, ଝୁଣଙ୍ଗ, କଟିନ୍ ଆଦି ଶସ୍ତା ଦରରେ କିଣି ନେଇ ସାରିବା ପରେ ଏବେ ସରକାରୀ ବ୍ୟବସ୍ଥା କେଉଁ କାମକୁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏପରିକି ଲାଞ୍ଜିଗଡଠାରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରଶାସନକୁ ଚକମା ଦେଖାଇ ମାତ୍ର ଗୋଟେ ଦୁଇଟି ପ୍ରକଳ୍ପ ଦେଖାଇ ଅନ୍ୟ ପ୍ରକଳ୍ପରେ ଆଦିବାସୀଙ୍କ ପାଇଁ ଆସିଥିବା ଅନୁଦାନ ହରିଲୁଟ୍ କରୁଥିବା ଭଳି ଗୁରୁତର ଅଭିଯୋଗ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି।

ଏସବୁ ଜାଣିବା ସତ୍ବେ ଜିଲା ପ୍ରଶାସନ ଏହି ସଂସ୍ଥାର କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ କିଭଳି ମାତ୍ରାଧିକ ଭରସା କରୁଛି ତାହା ବୁଝା ପଡୁନାହିଁ। ଏଣୁ ଆଦିବାସୀଙ୍କ ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟର ବିକ୍ରିବଟା ପାଇଁ ପ୍ରଶାସନ ବର୍ଷ ଆରମ୍ଭରୁ ଯୋଜନା କରିବା ସହିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ବଦଳରେ ଆଉ କୌଣସି ନିରପେକ୍ଷ ସଂସ୍ଥାକୁ ଦାୟିତ୍ୱ ଦେବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି। ତେବେ ଖୁସିର ବିଷୟ ହେଲା ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଥିଲେ ହେଁ ଏହି କାର୍ଯ୍ୟକ୍ରମ ବିଳମ୍ବ ହେତୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହର ହାର କମ୍ ଥିବା ଜଣାପଡିଛି। ଏହିପରି ଭାବେ ନିୟମଗିରି ଅପରପାର୍ଶ୍ବରେ ଥିବା ରାୟଗଡା ଜିଲା ବିଷମକଟକ ବ୍ଲକ ଚାଟିକଣାସ୍ଥିତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଆଦିବାସୀଙ୍କ ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରିବଟା ପାଇଁ ଯୋଜନା କରାଯିବା ସହ ଚାଟିକଣା ଗଦଗଦା ଜଳପ୍ରପାତ ନିକଟରେ ସ୍ୱତନ୍ତ୍ର ଭାବେ ଆଦିବାସୀ ବଜାର ନିର୍ମାଣ କରାଯାଇଥିଲା। କିନ୍ତୁ ଚାରିବର୍ଷ ତଳେ ତିଆରି ହୋଇଥିବା ଏହି ବଜାର ସେମିତି ଖୋଲା ପଡିଥିବାବେଳେ ଆଜି ଆନ୍ଧ୍ର ଓ ଛତିଶଗଡ ବେପାରିଙ୍କ କବଜାରେ ଜଙ୍ଗଲଜାତ ଦ୍ରବ୍ୟ ରହିଛି। ଏଣୁ ଯୋଜନାବଦ୍ଧ ପ୍ରୟାସ ନହେଲେ ଏଠାରେ ବି ସେମିତି ପରିସ୍ଥିତି ଦେଖାଦେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ସଂପର୍କରେ ରାଜ୍ୟ ଟିଡିସିସି ଅଧ୍ୟକ୍ଷ ଡମ୍ବରୁଧର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହରେ ଟିଡିସିସି ଦାୟିତ୍ୱ ନେଇଥିଲେ ହେଁ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀ ହିଁ ଆମକୁ ସଫଳତା ଆଣିଦେବ ଓ ଏହାକୁ ନେଇ ମୁଁ ବେଶ୍ ଆଶାବାଦୀ ବୋଲି ସେ କହିଛନ୍ତି।



