ଭୁବନେଶ୍ବର : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ବର ଠାରେ ପହଞ୍ଚିଛନ୍ତି। କେଜ୍ରିୱାଲ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆମ ଆଦମୀ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତାଙ୍କୁ ଆପ୍ ଓ ସାମାଜିକ ନ୍ୟାୟ ଅଭିଯାନର ସଦସ୍ୟମାନେ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ନେଇଛନ୍ତି। ପରେ ସେ ମାଷ୍ଟର କ୍ୟାଣ୍ଟିନ ଠାରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କେଜ୍ରିୱାଲଙ୍କ ସହ ରାଜ୍ୟସଭାର ସାଂସଦ ସଞ୍ଜୟ ସିଂହ ମଧ୍ୟ ଆସିଥିବାର ସୂଚନା ମିଳିଛି।
ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସଭାରେ ଉଦ୍ବୋଧନ ଦେବା ପରେ ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ଆପ୍ର ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂ, ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ଦଳିତ ନେତା ଅକ୍ଷୟ ମଲିକ ଓ ଦେବୀ ପୃଷ୍ଟି ଏହି ସଭାରେ ଯୋଗଦେବେ ବୋଲି କୁହାଯାଇଛି।



