କଲ୍ୟାଣସିଙ୍ଗପୁର: ଅଙ୍ଗନବାଡ଼ି କେନ୍ଦ୍ର ଗୃହ କାନ୍ଥର ଛାତ ତଳୁ ଝରୁଛି ବର୍ଷାପାଣି। ସିମେଣ୍ଟ ଖଣ୍ଡ ପଡିଥିବା ଭୟରେ ୪୪ ଜଣ ଛୋଟ ଛୋଟ କୋମଳମତି ଛାତ୍ରଛାତ୍ରୀ। କେତେବେଳେ କ’ଣ ଅଘଟଣ ଘଟିବ ତାହା କହିହେବ ନାହିଁ। ଭଗବାନଙ୍କ ଭରସାରେ ଶିଶୁମାନେ ସେହି ଘରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ। ସାମାନ୍ୟ ବର୍ଷା ହେଲେ ବିପଦ ମାଡ଼ି ଆସୁଛି। ସିମେଣ୍ଟ ଖଣ୍ଡ ପଡ଼ିବା ସହ ଛାତରୁ ପାଣି ଝରୁଛି। ଏହି ସମସ୍ୟା ଦୀର୍ଘ ୪ ବର୍ଷରୁ ଲାଗି ରହିଥିବା ବେଳେ ଏଥିପ୍ରତି ସିଡିପିଓ ଓ ବ୍ଲକ ପ୍ରଶାସନକୁ ଗ୍ରାମବାସୀମାନେ ଅଭିଯୋଗ କରି ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା କହିଛନ୍ତି।
୧୯୯୭/୯୮ରେ ଅଙ୍ଗନବାଡ଼ି କେନ୍ଦ୍ରଟି ସ୍ଥାପିତ ହୋଇଥିଲା। ୨୬ବର୍ଷ ହେବାପରେ ମଧ୍ୟ ଏହି ଅଙ୍ଗନବାଡ଼ି କେନ୍ଦ୍ର ଉପରେ କାହାର ଦୃଷ୍ଟି ପଡୁନଥିବା ଗ୍ରାମବାସୀ କହିଛନ୍ତି। ଅଙ୍ଗନବାଡ଼ିକେନ୍ଦ୍ର ବାହାରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ହୋଇଯାଉଥିବାରୁ କୋମଳମତି ଶିଶୁମାନେ ବାଧ୍ୟ ହୋଇ କିଛି ଇଟା ସଜେଇ ରଖି ଏହି ପାଣିରେ ପଶି କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି। ସାମ୍ନାରେ ପାଣି ଜମି ରହିବାରୁ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଥିବା ଦେଖାଯାଉଛି। ତେଣୁ ଛୋଟ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡୁଛି। ସାଧାରଣତଃ ଏହି ବୟସରେ ପିଲାମାନେ ଖେଳ କୁଦରେ ବେଶୀ ମନ ଲଗାଇ ଥାଆନ୍ତି। ଖେଳ ମାଧ୍ୟମରେ ଅନେକ କଥା ଶିଖି ପାରନ୍ତି। କିନ୍ତୁ ଏଠି ପିଲାମାନେ ଖୁସିରେ ଟିକେ ଖେଳି ପାରୁନାହାନ୍ତି। ଏଣୁ ଜିଲା ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବା ସହ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି।



