କଲମପୁର: ଗତ ଦୁଇ ଦିନ ଧରି ରାମ ନାମରେ ପ୍ରକମ୍ପିତ ହେଉଥିଲା ଗୁମାବାହାଲ। ସମସ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକଭାବ ଜାଗ୍ରତ ହୋଇଥିଲା। ମଙ୍ଗଳବାର ସଂଧ୍ୟାରେ ମୁଖ୍ୟ ପୂଜକ ପ୍ରସନ୍ନ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାମର ଗୌନ୍ତିଆ ରାମ ଚନ୍ଦ୍ର ପଣ୍ଡା ଏବଂ ତାଙ୍କ ଧର୍ମପତ୍ନୀ ସ୍ନେହଲତା ପଣ୍ଡା କର୍ତ୍ତାର ଦାୟିତ୍ୱ ସମ୍ପାଦିତ କରିଥିଲେ। ଶତାଧିକ ମହିଳା ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରାରେ ଲିଟିଜୋର ଏବଂ କୁଲେଇଜୋର ସଙ୍ଗମସ୍ଥଳରୁ ପବିତ୍ର ଜଳ କଳଶ ଉଠାଇ ଯଜ୍ଞସ୍ଥଳକୁ ଆଣିଥିଲେ।।
ଜଳକଳଶ ସ୍ଥାପନ ପରେ ଅଧିବାସ କାର୍ଯ୍ୟ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଅନୁସାରେ ବୁଧବାର ସକାଳ ୭ଟାରୁ ନାମ ଯଜ୍ଞ ଆରମ୍ଭ ହେଇଥିଲା। ବିଧି ବିଧାନ ଅନୁସାରେ ଆଠଟି ପ୍ରହର ବିଭିନ୍ନ ଭୋଗ ଅର୍ପଣ କରାଯାଇ ପୂଜା ଏବଂ ହୋମଯଜ୍ଞ କରାଯାଇଥିଲା। ଏଥିରେ ୭ଗୋଟି ସଂକୀର୍ତ୍ତନ ଦଳ ଯୋଗ ଦେଇ ନାମ ଯଜ୍ଞରେ ସାମିଲ ହେଇଥିଲେ। ଅଞ୍ଚଳର ବହୁ ଲୋକଙ୍କ ସମାଗମ ହେଇଥିଲା। ଗୁରୁବାର ସକାଳେ ନାମ ଯଜ୍ଞ ସମାପନ ହେଇଥିଲା। ଏହାପରେ ଦହିହାଣ୍ଡିକୁ ମୁଣ୍ଡେଇ ଗ୍ରାମ ପରିକ୍ରମା କରିବା ପରେ ପୁନଃ ଯଜ୍ଞ ସ୍ଥଳକୁ ନିଆଯାଇ ଦହିହାଣ୍ଡି ଭଙ୍ଗାଯାଇଥିଲା ଏବଂ ଅଷ୍ଟ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଥିଲା।



