www.samajalive.in
Sunday, November 16, 2025
15.1 C
Bhubaneswar

ଜଟଣୀ ବେଣାମଞ୍ଜରୀ ଗାଁରେ ଶିକ୍ଷକଙ୍କ ପୁଅକୁ ଛୁରି ଭୁଷି ହତ୍ୟା

ଜଟଣୀ: ଜଟଣୀ ବେଣାପଞ୍ଜରୀ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଘରେ ପଶି ଜଣେ ନାବାଳକକୁ ଛୁରା ମାଡ଼ କରି ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛି। ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ହେଲେ ବେଣାପଞ୍ଜରୀ ଗାଁର ମନୋରଞ୍ଜନ ପାଲଟାସିଂହଙ୍କ ପୁଅ ଶୁଭମ୍‌ ସ୍ବରୂପ (୧୪)। ଶୁଭମ୍‌ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ଥିଲେ। ବାପା ମନୋରଞ୍ଜନ ଶିକ୍ଷକ ଚାକିରି କରିଛନ୍ତି। ଘରର ତଳମହଲାରେ ବସି ପାଠ ପଢ଼ୁଥିବା ବେଳେ ଜଣେ ଅଜଣା ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଛୁରାମାଡ଼ କରି ଚାଲି ଯାଇଥିଲା। ପୁଅର ଚିତ୍କାର ଶୁଣି ଉପର ମହଲରେ ଥିବା ମା’ ଓ ଭଉଣୀ ଦୌଡ଼ି ଆସିବାରୁ ଦୁର୍ବୃତ୍ତ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲା। ପରିବାର ଲୋକ ଶୁଭମ୍‌କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଖବରପାଇ ଜଟଣୀ ଥାନା ପୁଲିସ ଓ ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ଲାଗି ଡାକ୍ତରଖାନା ପଠାଇଛି। ସମ୍ପୃକ୍ତ ହତ୍ୟାକାରୀକୁ ଧରିବା ଲାଗି ପୁଲିସ ତଦନ୍ତ ଚଳାଇଛି। ଛୁରାମାଡ଼ର କାରଣ ଜଣାପଡ଼ିନାହିଁ।

ପୁଅ ଶୁଭମ୍‌, ଝିଅ ଓ ପତ୍ନୀକୁ ନେଇ ମନୋରଞ୍ଜନଙ୍କ ପରିବାର। ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଉପର ମହଲାରେ ମନୋରଞ୍ଜନ ପିଲାଙ୍କୁ ଟ୍ୟୁସନ କରୁଥିଲେ। ସେଠାରେ ପତ୍ନୀ ଓ ଝିଅ ମଧ୍ୟ ଥିଲେ। ତଳ ମହଲାରେ ଶୁଭମ୍‌ ଏକାକୀ ବସି ପଢ଼ୁଥିଲେ। ଏହି ସମୟରେ ଜଣେ ଅଜଣା ଦୁର୍ବୃତ୍ତ ହଠାତ ଘରକୁ ପଶି ଯାଇଥିଲା। ଶୁଭମ୍‌ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ଏକ ଧାରୁଆ ଛୁରୀରେ ତାଙ୍କୁ ଆକ୍ରମଣ ପରେ ଆକ୍ରମଣ କରି ଚାଲିଥିଲା। ତାଙ୍କ ବେକ, ଛାତି, ମୁହଁ ଓ ପେଟକୁ ଦୁର୍ବୃତ୍ତ ଛୁରାମାଡ଼ କରିଥିଲା। ଶୁଭମ୍‌ଙ୍କ ଶରୀରରେ ପ୍ରାୟ ୮ଟି ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ଜୀବନ ବଞ୍ଚାଇବା ଲାଗି ଶୁଭମ୍‌ ଚିତ୍କାର କରିଥିଲେ। ତାଙ୍କ ପାଟିଶୁଣି ମା’ ଓ ଭଉଣୀ ତଳ ମହଲାକୁ ଦୌଡ଼ି ଆସିଥିଲେ। ସେମାନେ ଆସିବା ଜାଣି ପାରି ଦୁର୍ବୃତ୍ତ ଛୁରୀ ପକାଇ ଦୌଡ଼ି ପଳାଇଥିଲା। କେହି ଜଣେ ଦୌଡ଼ି ପଳାଇବା ମା’ ଦେଖିଥିଲେ। ହେଲେ ରକ୍ତାକ୍ତ ଅବସ୍ଥାରେ ପୁଅକୁ ଦେଖି ମା’ ହତ୍‌ବାକ୍‌ ହୋଇ ଯାଇଥିଲେ। ପରିବାର ଲୋକଙ୍କ ପାଟି ଶୁଣି ପଡ଼ୋଶୀ ଘଟଣାସ୍ଥଳକୁ ପଳାଇ ଆସିଥିଲେ। ନାବାଳକକୁ ଉଦ୍ଧାର କରି ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମନୋରଞ୍ଜନଙ୍କର କାହା ସହିତ ଶତ୍ରୁତା ନ ଥିଲା। ଶୁଭମ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କୁ ଏପରି କାହିଁକି ଓ କିଏ ହତ୍ୟା କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଅନ୍‌ଲାଇନ ଗେମ୍‌କୁ ନେଇ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ସୌମ୍ୟକାନ୍ତ ବଲିୟାରସିଂହ କହିଛନ୍ତି, ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ। ସମ୍ପୃକ୍ତ ଅଭିଯୁକ୍ତକୁ ଧରିବା ଲାଗି ତଦନ୍ତ ଜାରି ରହିଛି। ଖୁବଶୀଘ୍ର ହତ୍ୟାକାଣ୍ଡ ପଛର କାରଣ ଉପରୁ ପରଦା ହଟିବ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories