ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଟଙ୍କା କାରବାର!

ପୁରୀ : ଭୈମୀ ଏକାଦଶୀ ଏବଂ ଛୁଟିଦିନ ଯୋଗୁଁ ଶ୍ରୀମନ୍ଦିରରେ ଶନିବାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସିଂହଦ୍ବାର ବ୍ୟାରିକେଡଠାରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁ ଛିଡ଼ା ହୋଇ ରହିଥିଲେ। ଏହି ସୁଯୋଗରେ ସେବାୟତଙ୍କ ଯାତାୟାତ ପାଇଁ ଥିବା ସିଂହଦ୍ବାର ସାମ୍ନା ବ୍ୟାରିକେଡ୍‌ରେ ଗଳାବାଟ ଦେଇ କିଛି ସେବାୟତ, ଯାତ୍ରୀ ଗୁମାସ୍ତା ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ବେଆଇନ ଭାବେ ପ୍ରବେଶ କରାଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ କିଛି ଗୋଷ୍ଠୀ ଏଭଳି ଗଳାବାଟ ତିଆରି କରି କରିଥିବା ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି।

ଏହି ବେଆଇନ ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଛି। ଏହାକୁ ଟଙ୍କା ଆଦାୟ କରୁଥିବା କିଛି ସେବାୟତ ଏବଂ ଯାତ୍ରୀ ଗୁମାସ୍ତା ଖୋଲାଖୋଲି ସ୍ବୀକାର ମଧ୍ୟ କରୁଛନ୍ତି। ବ୍ୟାରିକେଡ୍‌ ନିକଟରେ ମୁତୟନ ହୋଇଥିବା ଜେଟିପି ଓ ପୁଲିସ କର୍ମଚାରୀ ନିରବଦ୍ରଷ୍ଟା ସାଜିଛନ୍ତି। ଶ୍ରଦ୍ଧାଳୁଙ୍କଠାରୁ ଆଦାୟ ହେଉଥିବା ଟଙ୍କା କେବଳ କିଛି ସେବାୟତ ନୁହେଁ, ସେଠାରେ ମୁତୟନ ପୁଲିସ ଏବଂ ଜେଟିପିଙ୍କ ପକେଟକୁ ଭାଗବଣ୍ଟା ହୋଇ ଯାଉଥିବା ଅଭିଯୋଗ ହେଉଛି।

ପ୍ରକାଶଯୋଗ୍ୟ, ଗତବର୍ଷ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପ୍ରବଳ ଠେଲାପେଲା ହେବା ସହ ଶ୍ରଦ୍ଧାଳୁ ଏକାଧିକ ଥର ବ୍ୟାରିକେଡ୍‌ ମଧ୍ୟରେ ଧସେଇ ପଶିଥିଲେ। ଏହି ସମୟରେ କିଛି ସେବାୟତ, ଯାତ୍ରୀ ଗୁମାସ୍ତା ଏବଂ ପୁଲିସ କର୍ମଚାରୀ ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଥିବା ଅଭିଯୋଗ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।

ପରଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଭିଯୋଗର ଗୁରୁତ୍ବକୁ ଅନୁଧ୍ୟାନ କରି ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ୍‌ ନିକଟରେ ସିସି କ୍ୟାମେରା ଲଗାଇଥିଲେ। ଫଳରେ ବେଆଇନ ଅନୁପ୍ରବେଶ ବନ୍ଦ ହେବା ସହ କାର୍ଯ୍ୟରତ ସେବାୟତ ଏବଂ ପୁଲିସ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନଜର ରଖାଯାଇ ପାରୁଥିଲା। କିନ୍ତୁ ବର୍ତ୍ତମାନ ସିସି କ୍ୟାମେରା କାର୍ଯ୍ୟକ୍ଷମ ରହିଛି କି ନାହିଁ ଜଣାପଡ଼ି ନାହିଁ।

କିଛି ସେବାୟତ, ଯାତ୍ରୀ ଗୁମାସ୍ତା ଭିଡ଼କୁ ଦେଖି ସିସି କ୍ୟାମେରାକୁ ଭୟ ନକରି ପୁଲିସଙ୍କ ସାମ୍ନାରେ ବେଧଡ଼କ ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରାଉଛନ୍ତି। ସିସି କ୍ୟାମେରା ନିୟନ୍ତ୍ରଣ କକ୍ଷ ଦାୟିତ୍ବରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତୁରନ୍ତ ଘଟଣା ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବାକୁ ଶ୍ରଦ୍ଧାଳୁଙ୍କ ମହଲରେ ଦାବି କରାଯାଉଛି।

ଏନେଇ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିରରେ ଦର୍ଶନ ଭିଡ଼ ସମୟରେ ସିଂହଦ୍ବାର ବ୍ୟାରିକେଡ୍‌ ମଧ୍ୟ ଦେଇ ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଯାଉଥିବା ଅଭିଯୋଗ ହେଉଛି। ଏନେଇ ତଦାରଖ କରି ପଦକ୍ଷେପ ଗ୍ରହଣ କରାଯିବ।

ପଶ୍ଚିମ ଦ୍ବାରରେ ଠେଲାପେଲା, ୨ ଆହତ

ଶ୍ରୀମନ୍ଦିରରେ ଶନିବାର ପ୍ରବଳ ଭିଡ଼ ହୋଇଥିବାବେଳେ ପଶ୍ଚିମ ଦ୍ବାରରେ ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଡ୍‌ ନିକଟରେ ଠେଲାପେଲା ଯୋଗୁଁ କିଛି ପୁଲିସ କର୍ମଚାରୀ ତଳେ ପଡ଼ିଯାଇଥିଲେ। ପରେ ମୁତୟନ ହୋଇଥିବା ପୁଲିସ କର୍ମଚାରୀ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଠେଲାପେଲା କରିବା ଯୋଗୁଁ ଅନେକ ଭକ୍ତ ତଳେ ପଡ଼ି ଆହତ ହୋଇଥିଲେ। କଟକରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବସନ୍ତ କୁମାର ରାଉତ(୭୧) ତଳେ ପଡ଼ିଯାଇ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଶ୍ରୀମନ୍ଦିର ରୋଗୀବୁହା ଯାନରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକର ଏଲିନା ବେହେରା(୨୫) ଠେଲାପେଲାରେ ତଳେ ପଡ଼ି ଅଚେତ ହୋଇଥିଲେ। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Comments are closed.