ଦୁବାଇ : ଚଳିତ ଆଇପିଏଲ୍ରେ ସୋମବାର ବିଜୟ ହାସଲ କରିଛି ସନ୍ରାଇଜର୍ସ ହାଇଦରାବାଦ ଦଳ । ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ସନ୍ରାଇଜର୍ସ ପରାସ୍ତ କରିଛି। ଦୁଇ ପୂର୍ବତନ ଚମ୍ପିଆନ୍ଙ୍କ ଏହି ମୁକାବିଲାରେ ଅଧିନାୟକ ସଞ୍ଜୁ ସାମ୍ସନଙ୍କ ବିସ୍ଫୋରକ ୮୨ ରନ୍ ବଳେର ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୫ ୱିକେଟରେ ୧୬୪ ରନ୍ କରିଥିଲା। ପରେ ଜେସନ୍ରୟ ଓ କେନ୍ ୱିଲିୟମ୍ସନଙ୍କ ଅର୍ଦ୍ଧଶତକ ବଳରେ ସନ୍ରାଇଜର୍ସ ୧୮.୩ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ୧୦ମ ମ୍ୟାଚ୍ରେ ୨ୟ ବିଜୟ ପରେ ସନ୍ରାଇଜର୍ସ ଅନ୍ତିମ ସ୍ଥାନରେ ରହିଛି। ତେବେ ୧୦ମ ମ୍ୟାଚ୍ରେ ୬ଷ୍ଠ ପରାଜୟ ପରେ ରାଜସ୍ଥାନ ଚିନ୍ତାରେ ପଡ଼ିଯାଇଛି।
ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ସନ୍ରାଇଜର୍ସ ହାଇଦରାବାଦ ଦୃଢ଼ତାର ସହ ୧୬୫ ରନ୍ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଦୁଇ ଓପ୍ନର ଜେସନ୍ ରୟ ଓ ଋଦ୍ଧିମାନ ଶାହା ୫ ଓଭରରେ ସନ୍ରାଇଜର୍ସକୁ ୫୭ ରନ୍ରେ ପହଞ୍ଚାଇଥିଲେ। ୧୧ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍କରି ଋଦ୍ଧିମାନ ଆଉଟ ହୋଇଥିଲେ। ଡେଭିଡ୍ ୱାର୍ଣ୍ଣରଙ୍କ ସ୍ଥାନରେ ଖେଳିଥିବା ଜେସନ୍ ରୟ ଓ ଅଧିନାୟକ କେନ୍ ୱିଲିୟମ୍ସନ ବିଧ୍ବଂସୀ ବ୍ୟାଟିଂକରି ୩ୟ ୱିକେଟ ପାଇଁ ୫୭ ରନ୍ ଯୋଡ଼ିଥିଲେ। ରୟ ୪୨ ବଲ୍ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୦ ରନ୍ କରିଥିଲେ। ପ୍ରିୟମ୍ ଗର୍ଗ ବିନା ସ୍କୋର୍ରେ ଆଉଟ ହୋଇଥିଲେ। ପରେ ୱିଲିୟମ୍ସନ ଓ ଅଭିଷେକ ଶର୍ମା ଦଳକୁ ବିଜୟୀ କରିଥିଲେ। ଅଭିଷେକ ୧୬ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍ରେ ଅପରାଜିତ ଥିଲେ। ୱିଲିୟମ୍ସନ ୪୧ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୧ ରନ୍କରି ଅପରାଜିତ ଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିଥିଲା। ୱେଷ୍ଟଇଣ୍ଡିଜ୍ର ଓପ୍ନର ଏଭିନ୍ ଲୁଇସ୍ ୬ ରନ୍କରି ଆଉଟ ହୋଇଥିଲେ। ତେବେ ୨ୟ ୱିକେଟ ପାଇଁ ଓପ୍ନର ଯଶସ୍ବୀ ଜୟସୱାଲ ଓ ସଞ୍ଜୁ ସାମ୍ସନ ୪୫ ବଲ୍ରୁ ୫୬ ରନ୍ ଯୋଡ଼ିଥିଲେ। ଜୟସୱାଲ ଆକର୍ଷଣୀୟ ବ୍ୟାଟିଂକରି ୨୩ ବଲ୍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍ କରିଥିଲେ। ୧୦ ଓଭରରେ ୭୭ ରନ୍ ସ୍କୋର ହୋଇଥିଲା। ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୪ ରନ୍କରି ଆଉଟ ହୋଇଥିଲେ। ୪ର୍ଥ ୱିକେଟ ଭାଗିଦାରୀ ରାଜସ୍ଥାନ ପାଇଁ ଫଳପ୍ରସୂ ହୋଇଥିଲା ଓ ଏଥିରେ ସାମ୍ସନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସାମ୍ସନ ଓ ମହିପାଳ ଲୋମରର୍ ୫୫ ବଲ୍ରୁ ୮୪ ରନ୍ ଯୋଡ଼ିଥିଲେ। ସଞ୍ଜୁ ସାମ୍ସନ ବିସ୍ଫୋରକ ବ୍ୟାଟିଂକରି ୫୭ ବଲ୍ରୁ ୩ଟି ଛକା ଓ ୭ଟି ଚୌକା ସହ ୮୨ ରନ୍କରି ଅନ୍ତିମ ଓଭରରେ ଆଉଟ ହୋଇଥିଲେ। ଲୋମରର୍ ୨୮ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍କରି ଅପରାଜିତ ଥିଲେ। ସିଦ୍ଧାର୍ଥ କୌଲ ୨ଟି ୱିକେଟ ପାଇଥିଲେ।
ଆଇପିଏଲ୍ : ରାଜସ୍ଥାନ ପରାସ୍ତ ; ସନ୍ରାଇଜର୍ସର ୨ୟ ବିଜୟ
Popular Categories



