ନୂଆଦିଲ୍ଲୀ : ଆଉ ଅପେକ୍ଷା ନକରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୨ଶ ସଂସ୍କରଣର ଖେଳସୂଚୀ ଘୋଷଣା କରିଛି ବିସିସିଆଇ। ତେବେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ନେଇ କୌଣସି ନିର୍ଦିଷ୍ଟ ସୂଚନା ନଥିବାରୁ ଏହାର ଆୟୋଜକ ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ ସପ୍ତାହର ଖେଳସୂଚୀ ଘୋଷଣା କରିଛନ୍ତି। ଆଇପିଏଲ୍ ଇତିହାସରେ ଏହା ପ୍ରଥମଥର ଘଟିଛି ଯେ ଏହାର ଆଂଶିକ ଖେଳସୂଚୀ ଘୋଷଣା କରାଯାଇଛି। ଏହି ୨ ସପ୍ତାହରେ ମୋଟ ୧୭ଟି ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୨୩ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମଧ୍ୟରେ ଆଇପିଏଲ୍-୧୨ର ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ।
ଏହି ୨ ସପ୍ତାହର ଖେଳସୂଚୀ ଘୋଷଣାକରି ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଏହା ଚୂଡ଼ାନ୍ତ ଖେଳସୂଚୀ ନୁହେଁ। ସାଧାରଣ ନିର୍ବାଚନ ବର୍ଷ ଥିବାରୁ ଆଇପିଏଲ୍ର ୨୦୧୯ ସଂସ୍କରଣ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବ ଘୋଷଣା ଅନୁସାରେ, ଆଇପିଏଲ୍-୧୨ ମାର୍ଚ୍ଚ ୨୩ରୁ ଆରମ୍ଭହେବ। ସାଧାରଣ ନିର୍ବାଚନ ତାରିଖ ଘୋଷଷା ହେବା ପରେ ଘୋଷିତ ଏହି ପ୍ରାଥମିକ ଖେଳସୂଚୀକୁ ତର୍ଜମା କରାଯିବ। ଯଦି ଆବଶ୍ୟକ ପଡ଼େ; ଏହି ଖେଳସୂଚୀରେ ମଧ୍ୟ ପରିବର୍ତ୍ତନ କରାଯିବ। ଘୋଷିତ ପ୍ରଥମ ୨ ସପ୍ତାହର ଖେଳସୂଚୀ ଅନୁସାରେ ଏହି ୧୭ଟି ମ୍ୟାଚ୍ ୮ଟି ବିଭିନ୍ନ ସହରରେ ଖେଳାଯିବ। ଏହି ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ୫ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଅନ୍ୟ ୬ଟି ଦଳ ୪ଟି ଲେଖାଏଁ ମ୍ୟାଚ୍ ଖେଳିବ। ଏହି ୨ ସପ୍ତାହରେ ପ୍ରତ୍ୟେକ ଦଳ ଅତିକମ୍ରେ ୨ଟି ଘରୋଇ ଓ ୨ଟି ବାହାର ମ୍ୟାଚ୍ ଖେଳିବେ। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ସମୟରେ ୩ଟି ଘରୋଇ ମ୍ୟାଚ୍ ଏବଂ ଆର୍ସିବି ୩ଟି ବାହାର ମ୍ୟାଚ୍ ଖେଳିବ। ନିର୍ବାଚନ ତାରିଖ ଘୋଷଣା କରିବା ପରେ ମଙ୍ଗଳବାର ଘୋଷଣା କରା ଯାଇଥିବା ପ୍ରଥମ ପର୍ଯ୍ୟାୟ ଖେଳସୂଚୀକୁ ତର୍ଜମା କରାଯିବା ପରେ ପୂରା ସିଜିନ୍ର ଖେଳସୂଚୀ ଘୋଷଣା କରାଯିବ। ପୁଣି ଯେଉଁ ଅଞ୍ଚଳରେ ଯେଉଁ ସମୟରେ ନିର୍ବାଚନ ହେବ; ସେଠାରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ଅସମ୍ଭବ। ତେଣୁ ମୋଟ ୧୩ଟି ସହରର ଷ୍ଟାଡିୟମ୍କୁ ସମ୍ଭାବ୍ୟ ଆୟୋଜକ ଭାବେ ବିସିସିଆଇ ରଖିଛି। ଏହି ୧୩ଟି ସହର ମଧ୍ୟରେ ଓଡ଼ିଶାର କଟକ ମଧ୍ୟ ରହିଛି।
ଆଇପିଏଲ୍-୧୨: ଚେନ୍ନଇ-ବାଙ୍ଗାଲୋର ଉଦ୍ଘାଟନୀ ମୁକାବିଲା
Popular Categories



