ଚୀନ୍ ବିରୋଧରେ ମେଳି ବାନ୍ଧିଲେ ମିତ୍ରଶକ୍ତି : ନେତୃତ୍ବ ନେବ ଭାରତ

-ଦକ୍ଷିଣ ଏସିଆରେ ଆମେରିକା, ବ୍ରିଟେନର ସୈନ୍ୟ
-ସୁଏଜ କେନାଲରେ ଚୀନ୍ ପଣ୍ୟବାହୀ ଜାହାଜ ଅଟକ
-ନିଜ ଦେଶରେ ଜିନ୍ପିଙ୍ଗ୍ ତୀବ୍ର ବିରୋଧର ସମ୍ମୁଖୀନ
ନୂଆଦିଲ୍ଲୀ : ଭାରତ ସହ ସୀମାରେ ଉତ୍ତେଜନା ସୃଷ୍ଟି କରିବା ଚୀନ୍ ଉପରେ ଭାରି ପଡ଼ିବାରେ ଲାଗିଛି। ପୂର୍ବରୁ ଚୀନ୍ର ଯେତେ ଶତ୍ରୁରାଷ୍ଟ୍ର ଥିଲେ ଏବେ ଏକତ୍ର ହେବାରେ ଲାଗିଛନ୍ତି। ଏହି କ୍ଷୁଦ୍ର ଦେଶଗୁଡ଼ିକୁ ଚୀନ୍ ଆକ୍ରମଣରୁ ରକ୍ଷାକରିବା ପାଇଁ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ର ବ୍ରିଟେନ ଦକ୍ଷିଣ ଏସିଆରେ ସୈନ୍ୟ ମୁତୟନ କରିଛନ୍ତି।
ଭାରତ, ଜାପାନ, ଦକ୍ଷିଣ କୋରିଆ, ବ୍ରୁନେଇ, ତାଇୱାନ, ଭିଏତ୍ନାମ, ମାଲେସିଆ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଆଦି ରାଷ୍ଟ୍ର ଚୀନ୍ର ବିସ୍ତାରବାଦୀ ନୀତିକୁ ବିରୋଧ କରି ଆସୁଛନ୍ତି। ଉପରୋକ୍ତ ଦେଶ ସହ ବ୍ରିଟେନ ଓ ଆମେରିକାର ସମ୍ପର୍କ ଉତ୍ତମ ରହିଛି। ଦୀର୍ଘଦିନ ଧରି ଚୀନ୍ ଏହି ଦେଶ ଗୁଡ଼ିକର ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରି ଆସୁଥିଲା। ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ସାରା ଦୁନିଆ ନଜର ରଖିଥିଲା। ବିଶେଷକରି ଭାରତ ଚୀନ୍ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେ ନେଇ ବିଶ୍ୱର ଅଧିକାଂଶ ଦେଶ ଦୃଷ୍ଟି ରଖିଥିଲେ। କାରଣ ପୂର୍ବରୁ ଯେତେଥର ଭାରତ-ଚୀନ୍ ସୀମା ବିବାଦ ହୋଇଛି କଥାବାର୍ତ୍ତା ଜରିଆରେ ଏହାର ସମାଧାନ ହେଉଥିଲା। ତେବେ ଏଥର ଭାରତୀୟ ଯବାନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ଚୀନ୍ ସୀମାରେ ନିୟୋଜିତ ହୋଇଛନ୍ତି। ଏହି ସଂଘର୍ଷ ପରେ ଆର୍ଥିକ ପକ୍ଷ ଚ୍ଛେଦନ ପାଇଁ ଭାରତ ଚୀନ୍ର ବୃହତ୍ ପ୍ରକଳ୍ପଗୁଡ଼ିକୁ ବାତିଲ୍ କରିବାରେ ଲାଗିଛି। ୫୯ଟି ଚୀନ୍ ଆପ୍ ନିଷିଦ୍ଧ ସହିତ ଅନ୍ୟାନ୍ୟ କ୍ଷେତ୍ରରେ କଠୋର ପଦକ୍ଷେପ ନେଉଛି। ସେହିପରି ଭାରତର ବିଭିନ୍ନ ବନ୍ଦରଗୁଡ଼ିକରେ ଚୀନ୍ର ଏକାଧିକ ପଣ୍ୟବାହୀ ଜାହାଜ ପ୍ରାୟ ୧୫ ଦିନ ଧରି ନଙ୍ଗର ପକାଇ ଅଛନ୍ତି। ଜାହାଜରୁ ଚୀନ୍ ସାମଗ୍ରୀ ଖଲାସ ପାଇଁ କୌଣସି ଭାରତୀୟ ରାଜି ହେଉନାହାନ୍ତି। ଏପଟେ ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀମାରେ ପହଞ୍ଚି ସୈନ୍ୟଙ୍କ ମନୋବଳ ବଢ଼ାଇଛନ୍ତି। ‘ବହୁତ ହୋଇଗଲା, ଆଉ ନୁହେଁ; ଏଥର ଚୀନ୍କୁ ଯେପରି ହେଉ ଜବାବ ଦେବାକୁ ପଡ଼ିବ’ ଏହି ନିଷ୍ପତ୍ତିରେ ଭାରତ ସରକାର ଅଟଳ ଅଛନ୍ତି। ଭାରତର ଏପରି ଆଭିମୁଖ୍ୟ ପରେ ଚୀନ୍ ବିରୋଧୀ ଶକ୍ତି ଏକତ୍ର ହେବାରେ ଲାଗିଛନ୍ତି।
ବାଣିଜ୍ୟିକ ଲଢେଇରେ ଚୀନ୍କୁ ଦମନ କରିବା ପାଇଁ ଆମେରିକା ଯେଉଁ ସୁଯୋଗ ଚାହୁଁଥିଲା ଭାରତ ପାଇଁ
ତାହା ଆଜି ସୃଷ୍ଟି ହୋଇଛି। ମିତ୍ରରାଷ୍ଟ୍ର ବ୍ରିଟେନ ମଧ୍ୟ ଆମେରିକା ସହ ହାତ ମିଳାଇଛି। ଉଭୟ ଦେଶର ସେନା ଏବେ ଦକ୍ଷିଣ ଚୀନ୍ ସାଗରରେ ମୁତୟନ ହେବାରେ ଲାଗିଛନ୍ତି। ଏମାନଙ୍କୁ ଜାପାନ, ତାଇୱାନ ଓ ଦକ୍ଷିଣ କୋରିଆ ସେନା ସହଯୋଗ କରୁଛନ୍ତି। ଚୀନ୍ ଏବେ ନିଜ ଜାଲରେ ନିଜେ ଫସି ଯାଇଛି। ଚୀନ୍ ରାଷ୍ଟ୍ରପତି ନିଜ ଦେଶରେ ସମାଲୋଚିତ ହେବାକୁ ପଡ଼ିଛି। କରୋନା କାଳ ପୂର୍ବରୁ ୟୁରୋପର କେତେକ ରାଷ୍ଟ୍ର ସହ ଚୀନ୍ର ଉତ୍ତମ ସମ୍ପର୍କ ଥିଲା। ତେବେ କରୋନା ସଂକ୍ରାନ୍ତ ତଥ୍ୟ ଲୁଚାଇଥିବାରୁ ଏହି ରାଷ୍ଟ୍ରମାନେ ଚୀନ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କଲେଣି। ୟୁରୋପର ଶକ୍ତିଶାଳୀ ଦେଶ ତଥା ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଫ୍ରାନ୍ସ ଭାରତକୁ ସୈନ୍ୟ ସହାୟତା ଯୋଗାଇ ଦେବ ବୋଲି ଖୋଲାଖୋଲି କହିସାରିଛି। ଏପଟେ ଆମେରିକା ଓ ବ୍ରିଟେନ ଜାତିସଂଘ ସୁରକ୍ଷା ପରିଷଦର ଦୁଇ ସ୍ଥାୟୀ ସଦସ୍ୟ ଚୀନ୍ ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଛନ୍ତି। ସେହିପରି ଭାରତର ପୁରାତନ ବନ୍ଧୁ ତଥା ସୁରକ୍ଷା ପରିଷଦର ଅନ୍ୟତମ ରାଷ୍ଟ୍ର ରୁଷ୍ ମଧ୍ୟ ଭାରତକୁ ସାମରିକ ସହାୟତା ଯୋଗାଇ ଦେବାକୁ ଯାଉଛି। ଏପରି କ୍ଷେତ୍ରରେ ଚୀନ୍ ଏବେ ସମ୍ପୂର୍ଣ୍ଣ ଏକ ଘରକିଆ ହୋଇଯାଇଛି। ଏଥିପାଇଁ ଚୀନ୍ କମ୍ୟୁନିଷ୍ଟ ପାର୍ଟିର କିଛି ବରିଷ୍ଠ ନେତା ଦେଶର ରାଷ୍ଟ୍ରପତିଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ନିଜ ଦଳ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ବିରୋଧର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଦୁଇ ପାଦ ଆଗକୁ ଓ ପାଦେ ପଛକୁ ନୀତିରେ ଭାରତ ରାଜି ହୋଇ ଯିବ ବୋଲି ସେ ଭାବିଥିଲେ। ତେବେ ଏଥର ତାଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଛି। ଏହି ସୀମା ସଂଘର୍ଷ ଦିନେ କି ଦୁଇ ଦିନ ପାଇଁ ନୁହେଁ, ବରଂ ଦୀର୍ଘଦିନ ଲାଗି ରହିବ ବୋଲି ଅନୁମାନ କରାଯାଉଛି। କାରଣ ଯୁଦ୍ଧ ପୂର୍ବରୁ ଯେପରି ସାମରିକ ଭିତ୍ତିଭୂମିକୁ ସଶକ୍ତ କରାଯାଏ ଭାରତ ତାହା କରିବାରେ ଲାଗିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି ସମୟରେ ଜାତିସଂଘର ୪ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ବ୍ୟତୀତ ବିଶ୍ୱର ଅଧିକାଂଶ ଦେଶ ଭାରତକୁ ସମର୍ଥନ କରୁଛନ୍ତି। କେବଳ ପାକିସ୍ତାନ ଓ ଇରାନ ଚୀନ୍କୁ ସହଯୋଗ କରିପାରନ୍ତି। ତେବେ ଇରାନ ଖୋଲାଖୋଲି ଏ ପ୍ରସଙ୍ଗରେ କିଛି କହିନାହିଁ। କାରଣ ଭାରତକୁ ଇରାନ୍ ବିରୋଧ କଲେ ବ୍ୟାବସାୟିକ ଦୃଷ୍ଟିକୋଣରୁ ଗୁରୁତର କ୍ଷତିଗ୍ରସ୍ତ ହେବ।
ଅନ୍ୟପଟେ ବ୍ରିଟେନ ସେନା ସୁଏଜ କେନାଲରେ ଚୀନ୍ର ପଣ୍ୟବାହୀ ଜାହାଜଗୁଡ଼ିକୁ ଅଟକାଇ ରଖିଛନ୍ତି। ଏହି କେନାଲ ମଧ୍ୟ ଦେଇ ଚୀନ୍ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ବାଣିଜ୍ୟ କାରବାର କରିଥାଏ। ହଂକଂ ଓ ତାଇୱାନ ପ୍ରସଙ୍ଗକୁ ନେଇ ବ୍ରିଟେନ ଚୀନ୍ ଉପରେ କ୍ଷୁବ୍ଧ ଅଛି। ତେଣୁ ବ୍ରିଟିଶ ରୟାଲ ଆର୍ମି ସୁଏଜ କେନାଲରେ ଚୀନ୍ର ପଣ୍ୟବାହୀ ଜାହାଜ ଗୁଡ଼ିକୁ ଯା’ଆସ କରିବାକୁ ଦେଉନାହାନ୍ତି। ସେହିପରି ଆମେରିକା ସହ ମିଳିତ ଭାବେ ବ୍ରିଟେନ ତା’ର ସେନା ତାଇୱାନ ଉପକୂଳକୁ ପଠାଇଛି। ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ କୋରିଆ, ତାଇୱାନ, ବ୍ରିଟେନ, ଆମେରିକା, ଭାରତ, ମାଲେସିଆ, ଫିଲିପାଇନ୍ସ ଓ ଇଣ୍ଡୋନେସିଆ ପରି ରାଷ୍ଟ୍ର ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍କୁ ଘେରି ରହିଛନ୍ତି। ଚୀନ୍ ପାଇଁ ଏପରି ବିଷମ ପରିସ୍ଥିତି କେବେ ସୃଷ୍ଟି ହୋଇ ନଥିଲା। ଏହି ସଂଘର୍ଷର ନେତୃତ୍ୱ ଯଦି ଭାରତ ନିଏ, ତେବେ ଉପରୋକ୍ତ ରାଷ୍ଟ୍ର ଗୁଡ଼ିକ ଚୀନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଓ କୂଟନୀତିଜ୍ଞଙ୍କ ମତ ପ୍ରକାଶ ପାଇଛି।
Comments are closed.