କଂଟାବାଞ୍ଜି : ପଶ୍ଚିମ ଓଡ଼ିଶାର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବର୍ତ୍ତମାନ ପାରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ସ୍ଥିତିରେ ବେଆଇନ ଇଟା ଭାଟି ଗାଁ ଲୋକଙ୍କ କଷ୍ଟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ରାସ୍ତା ଉପରେ ଇଟା ଭାଟି ଜଳୁଥିବା ଯୋଗୁଁ ସେହି ରାସ୍ତା ତଥା ଆଖପାଖ ଅଞ୍ଚଳ ଗରମ ତାୱାରେ ଭାଜି ହେଲା ସଦୃଶ୍ୟ ଲାଗୁଛି ।
ତୁରେକେଲା ବ୍ଲକ ଚଟୁଅନକା ପଂଚାୟତର ବେହେରେନସିଲେଟ ଗାଁ । ସହରରୁ ମାତ୍ର ୩ କିମି ଦୁରରେ ଥିବା ଏହି ଗାଁକୁ ଯିବାକୁ ହେଲେ କଚ୍ଚା ରାସ୍ତା ଦେଇ ଯିବାକୁ ପଡେ। ଗାଁ ଲୋକ କଂଟାବାଞ୍ଜି ସହର ଉପରେ ନିର୍ଭର କରୁଥିବା ଯୋଗୁଁ ପ୍ରାୟ ସମୟରେ ସହରକୁ ଯିବା ଆସିବା କରିଥାନ୍ତି । ଗାଁକୁ ଯାଉଥିବା ରାସ୍ତା ମଝିରେ ବେଆଇନ ଭାବେ ଏକ ଇଟା ଭାଟି ରହିଛି । ପ୍ରଥମେ ପ୍ରଥମେ ଇଟା ଭାଟି ମାଲିକ ଏକ ଚାଷ ଜମିରେ ଇଟା କାମ କରୁଥିବା ବେଲେ କିଛି ମାସ ହେବ ସେ ରାସ୍ତା ଉପରେ ଇଟା ଭାଟି କରି ନିଜର ବ୍ୟବସାୟ କରୁଛନ୍ତି। ଯାହା ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଇଟାଭାଟିର ଇଟା ଜଳୁଥିବା ଯୋଗୁଁ ଏହି ସ୍ଥାନ ସହ ଆଖପାଖ ଅଂଚଳରେ ସବୁ ସମୟରେ ଗରମ ପବନ ପ୍ରବାହିତ ହେଉଛି । ଗାଁ ଲୋକ ପ୍ରଥମେ ଏହି ଇଟା ଭାଟି କାରବାରକୁ ନେଇ ନବ ନିର୍ବାଚିତ ସରପଂଚ ଏବଂ ସମିତିଙ୍କୁ ଅଭିଯୋଗ କରିଥିଲେ। ସରପଂଚ ଜ୍ଞାନ ରଂଜନ ତାଣ୍ଡି ଓ ସମିତି ସଭ୍ୟ ପୁର୍ଣ୍ଣଚନ୍ଦ୍ର ମାଝି ଗାଁ ଲୋକଙ୍କ ସହ ରାସ୍ତାରୁ ଇଟା ଭାଟି ହଟେଇବାକୁ ମାଲିକକୁ ଅନୁରୋଧ କରିଥିଲେ। କିନ୍ତୁ ଏହା ଏଯାଏଁ ବନ୍ଦ ହୋଇନି,ଫଳରେ ଗାଁ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ଦେଖିବାକୁ ମିଲିଛି । ବେଆଇନ ଇଟା ଭାଟି କାରବାର ଚଲାଉଥିବା ମାଲିକ ଶୀଘ୍ର ରାସ୍ତାରୁ ଇଟା ଭାଟି ନ ହଟାଇଲେ ଆଗାମୀ ଦିନରେ ଗାଁ ଲୋକ ଆନ୍ଦୋଲନର ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି । ତେବେ ଏନେଇ କଂଟାବାଞ୍ଜି ତହସିଲଦାର ସମୀର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ, ସେ ଏହା ଉପରେ ନିଶ୍ଚିତ ଭାବେ ଧ୍ୟାନ ଦେବେ ବୋଲି କହିଥିଲେ। ତେବେ ତୁରନ୍ତ ରାଜସ୍ବ ବିଭାଗ ତଥା ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଛି।



