ଭୁବନେଶ୍ୱର : ଚଳିତ ପୁରୁଷ ହକି ବିଶ୍ୱକପର ମଙ୍ଗଳବାର ୨ଟି କ୍ରସ ଓଭର ମ୍ୟାଚ ଖେଳାଯିବ। ପ୍ରଥମ କ୍ରସ ଓଭର ମ୍ୟାଚରେ ବେଲଜିୟମ -ପାକିସ୍ତାନକୁ ଓ ଦ୍ୱିତୀୟ କ୍ରସ ଓଭର ମ୍ୟାଚରେ କାନାଡ଼ା – ନେଦରଲାଣ୍ଡକୁ ଭେଟିବ। ବିଜୟୀ ଦଳ କ୍ୱାଟର ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ପାକିସ୍ତାନ ବିପକ୍ଷରେ ଅଲିମ୍ପିକ୍ ରନର୍ସଅପ ତଥା ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମକୁ ଫେବରିଟ୍ ମନେ କରାଯାଉଛି। ବେଲଜିୟମ ଚଳିତ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଅପରାଜୟ ରହିଛି। ପୁଲ-ସିର ପ୍ରଥମ ମ୍ୟାଚରେ କାନଡ଼ାକୁ ୨-୧ ଗୋଲ, ଭାରତ ସହିତ ୨-୨ ଗୋଲ ବରାବର ରଖିଥିବାବେଳେ ଅନ୍ତିମ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା। ଦଳ ମୋଟ ୯ଟି ଗୋଲ ଦେଇଥିବାବେଳେ ୪ଟି ବରଣ କରିଛି। ଆଲେକ୍ଜାଣ୍ଡାର ହେଣ୍ଡ୍ରରିକ ୩ଟି ଗୋଲ ଦେଇଥିବାବେଳେ ଲୁଇକ୍ ଲୁପେଟ, ଅଧିନାୟକ ଥୋମାସ ବ୍ରିଏଲ୍ସ, ସିମନ ଗୌଗୁନାର୍ଡ ପ୍ରମୁଖ ଗୋଲ ସ୍କୋର କରିଛନ୍ତି। ପ୍ରଶିକ୍ଷକ ସେନ୍ ମ୍ୟାକ୍ଲଏଡ୍ ଦଳ ନକ୍ଆଉଟ୍ ଖେଳିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତି ଅଛି ବୋଲି କହିଛନ୍ତି। ସେହିପରି ପୁଲ-ଡିର ଅନ୍ତିମ ସ୍ଥାନରେ ରହି କ୍ରସ ଓଭରକୁ ଉନ୍ନୀତ ହୋଇଥିବା ପାକିସ୍ତାନକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ। ଚଳିତ ପ୍ରତିଯୋଗିତାରେ ପାକିସ୍ତାନ ଯେଭଳି ପ୍ରଦର୍ଶନ କରୁଛି ତାହା ବେଲଜିୟମକୁ ପରାସ୍ତ କରିବା କଷ୍ଟକର ମନେ କରାଯାଉଛି। ଦଳ ଲିଗ୍ ପର୍ଯ୍ୟାୟରେ ଜର୍ମାନୀ ନିକଟରୁ ୧-୦ ଗୋଲରେ ପରାସ୍ତ ହୋଇଥିବା ବେଳେ ମାଲେସିଆ ସହିତ ୧-୧ ଗୋଲ ବରାବର ରଖିଥିଲା। ଅନ୍ତିମ ଲିଗ୍ ମ୍ୟାଚରେ ନେଦରଲାଣ୍ଡସ୍ ନିକଟରୁ ୫-୧ ଗୋଲରେ ପରାଜୟ ବରଣ କରିଥିଲା। ଦଳକୁ ବିଜୟୀ ହେବା ଲାଗି ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଶିକ୍ଷକ ରିହାନ୍ ବଟ୍ଟ କହିଛନ୍ତି ଦଳକୁ ଏବେ ନକ୍ଆଉଟ୍ ଖେଳିବାକୁ ପଡ଼ିବ। ସେଥିପାଇଁ ଆମକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାର ସମୟ ଆସିଛି।
Popular Categories



