www.samajalive.in
Monday, December 8, 2025
20.1 C
Bhubaneswar

ବେକାବୁ ହେଲାଣି ଆଳୁ, ପିଆଜ : କୁଆଡ଼େ ଗଲା ମିଶନ?

ଭୁବନେଶ୍ୱର : ଚିନ୍ତା ବଢ଼ାଇଲାଣି ଆଳୁ, ପିଆଜ। ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ପଡ଼ିବା ବର୍ଷ ହିଁ ସବୁଠୁ ମୁସ୍କିଲ ସ୍ଥିତି ସୃଷ୍ଟି କରିଛି ଏହି ଜରୁରୀ ପରିବା। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ବାଣିଜ୍ୟ କେନ୍ଦ୍ର କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଏପରିକି କୋରାପୁଟ ଆଦି ଅଞ୍ଚଳରେ ପିଆଜ କିଲୋ ୫୦ରୁ ୬୦ଟଙ୍କା ଏବଂ ଆଳୁ କିଲୋ ୪୦ଟଙ୍କାକୁ ମୁହାଁଇଲାଣି। ସବୁଠୁ ଅଧିକ ନିର୍ଭର କରୁଥିବା ପରିବା ହାତ ପାଆନ୍ତାରୁ ଦୂରକୁ ଚାଲିଯିବାରୁ ଲୋକେ ଅତିଷ୍ଠ ହେଲେଣି।
ଆଳୁ ଏବଂ ପିଆଜ ଉତ୍ପାଦନ, ଯୋଗାଣ ଏବଂ ଦର ନିର୍ଦ୍ଧାରଣ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବା ଭଳି ମନେହେଉଛି। ଲୋକଙ୍କ ସମସ୍ୟାକୁ ମୁକାବିଲା କରିବା, ଅଭାବ ସମସ୍ୟା ସୁଧାରିବା ପାଇଁ ସରକାରଙ୍କ ପାଖରେ ସାଧନ ନାହିଁ। ଯାହାକିଛି ସାଧନ ରହିଛି ତାହାକୁ ସରକାର ବା ଯୋଗାଣ ବିଭାଗ ପ୍ରୟୋଗ ନକରି ସବୁ ଦେଖୁଛନ୍ତି। ହେଲେ ଏ ବିଷୟରେ ନା ମନ୍ତ୍ରୀ ନା ସଚିବ କେହି ତୁଣ୍ଡ ଖୋଲୁନାହାନ୍ତି। ଅତୀତରେ ପିଆଜ ଓ ଆଳୁ ଅଭାବ ସ୍ଥିତି ସୁଧାରିବା ଓ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପିଆଜ ଓ ଆଳୁ ମିଶନ ଗଠନ ପାଇଁ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ବ୍ୟାପକ ଯୋଜନା ହୋଇଥିଲା।
ହେଲେ ବର୍ଷେ ଦି ବର୍ଷ ତତ୍ପରତା ଦେଖାଇବା ପରେ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସେମାନଙ୍କ ବିଭାଗୀୟ ଅଧିକାରୀ ସମସ୍ତେ ଶିଥିଳ ପଡ଼ିଗଲେ। ଦୁଇ ବର୍ଷ ହେଲା କ୍ରମାଗତ ଭାବେ ଏସବୁ ପରିବା ଅମଳ ସମୟରେ ଅଭାବୀ ବିକ୍ରି ଚାଲିଥିବାବେଳେ ତିରୋଟ ସମୟରେ ଅଗଷ୍ଟରୁ ନଭେମ୍ବର ଭିତରେ ଦର ହୁ ହୁ ହୋଇ ବଢ଼ୁଛି। ଆଳୁର ବଫର ଷ୍ଟକ, ପିଆଜ ରଖିବା ପାଇଁ ଗୋଦାମ ଘର ଆଦି ସରକାର ଯେତେ ସବୁ ଯୋଜନା କରିଥିଲେ ତାହା ସରକାରଙ୍କ ନାଲିଫିତା ତଳେ ବନ୍ଧା ହୋଇପଡ଼ିଛି। ଏବେ ଲୋକେ କୋଭିଡ଼ ଭଳି ପରିସ୍ଥିତିରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି। ଏସବୁ ଭିତରେ ରାଜ୍ୟ ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆଳୁ ପିଆଜ ଚାଷ ପାଇଁ ବିହନ ଯୋଗାଇଦେବାକୁ ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦେଶକଙ୍କୁ ଚିଠି ଲେଖାଯାଇଛି। ୨୦୨୦-୨୧ ରବି ଋତୁ ପାଇଁ ୮୦କୁଇଣ୍ଟାଲ ପିଆଜ ଏବଂ ୧୧୩୨.୮୦ ମେଟ୍ରିକ ଟନ ଆଳୁ ବିହନ ଯୋଗାଇଦେବା ପାଇଁ କୁହାଯାଇଛି। ଅକ୍ଟୋବର ୧ ସୁଦ୍ଧା ଜିଲା ଓ ସବଡ଼ିଭିଜନ ସ୍ତରରେ ଉଦ୍ୟାନକୃଷି ଅଧିକାରୀଙ୍କୁ ଏସବୁ ଯୋଗାଇଦେବାକୁ ଜଣାଇଛନ୍ତି ବିଭାଗୀୟ ନିର୍ଦେଶକ। ସୂଚନାଯୋଗ୍ୟ ଯେ ଆଳୁ ଓ ପିଆଜ ମିଶନ ଗଠନ ହୋଇଥିଲା ୨୦୧୫ରେ। ପିଆଜ ମୂଲ୍ୟ କିଲୋ ପିଛା ୪୫ଟଙ୍କା ଟପିବା ପରେ ୨୦୧୫ରେ ରାଜ୍ୟ ସରକାର ମିଶନ କରିବାକୁ ସ୍ଥିର କଲେ। କୁହାଯାଉଛି ବାର୍ଷିକ ରାଜ୍ୟରେ ୩ଲକ୍ଷ ଟନ ପିଆଜର ଆବଶ୍ୟକତା ଥିବାବେଳେ ଉତ୍ପାଦନ ହେଉଛି ପ୍ରାୟ ୪ଲକ୍ଷ ଟନ୍‍। କିନ୍ତୁ ପିଆଜ ସଂରକ୍ଷଣ ସୁବିଧା ନଥିବାରୁ ଏହାକୁ ଉତ୍ପାଦନ କାଳରେ ଶାଗ ମାଛ ଦାମରେ ବାହାର ଛତିଶଗଡ଼ ଓ ମଧ୍ୟପ୍ରଦେଶ ବେପାରୀଙ୍କୁ ଚାଷୀମାନେ ବିକିଦେବାକୁ ବାଧ୍ୟ ହେଉଛନ୍ତି। ଆଉ ଅଭାବ ପଡ଼ିଲେ,ସେଇ ବେପାରୀଙ୍କଠାରୁ ମାତ୍ରାଧିକ ମୂଲ୍ୟ ଦେଇ କିଣିବାକୁ ପଡ଼ୁଛି।ସେହିପରି ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ୨୦୧୫ରେ ମିଶନ ଗଠନ କରିବା ସହିତ ଏ ବାବଦରେ ୮୯୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ୨୦୧୫ରେ ଆଳୁ ଉତ୍ପାଦନ ୨,୭୮ଲକ୍ଷ ଟନ ଥିବାବେଳେ ୨୦୧୭ରେ ଏହା ୨.୫ଲକ୍ଷ ଟନକୁ ଖସିଯାଇଥିଲା। ଉତ୍ପାଦନ ଅଞ୍ଚଳ ବି ୨୫ହଜାରରୁ ୨୨ହଜାର ହେକ୍ଟରକୁ କମିଯାଇଥିଲା। ମିଶନର ଲକ୍ଷ୍ୟ ଥିଲା ବାର୍ଷିକ ୧୦ଲକ୍ଷ ଟନ ଆଳୁ ଉତ୍ପାଦନ କରିବା। କାରଣ ଓଡ଼ିଶାରେ ବାର୍ଷିକ ୧୦ରୁ ୧୨ ଲକ୍ଷ ଟନ ଭିତରେ ଚାହିଦା ରହିଛି। ଉତ୍ପାଦନ ୬୦ହଜାର ହେକ୍ଟର ଜମିରେ କରିବାକୁ ବି ଲକ୍ଷ୍ୟ ଥିଲା। କିନ୍ତୁ ଏସବୁ ଯୋଜନା ଓ ଲକ୍ଷ୍ୟ କେବଳ ଯୋଜନାରେ ରହିଗଲା। ମନ୍ତ୍ରୀ ପରେ ମନ୍ତ୍ରୀ ଏବଂ ସଚିବଙ୍କ ପରେ ସଚିବ ବଦଳିଲେ ହେଲେ ଆଳୁ ପିଆଜର ଭାଗ୍ୟ ବଦଳିଲାନି। ଚାଷୀ ଯେଉଁ ତିମିରେକୁ ଯେଇ ତିମିରେ ରହିଲେ। ଉପଭୋକ୍ତାଙ୍କ ସଙ୍କଟ ବର୍ଷକୁ ବର୍ଷ ଅଧିକ ଜଟିଳ ହେଉଛି। ହେଲେ ସରକାରଙ୍କ ଯୋଗାଣ କିମ୍ବା ସମବାୟ ବିଭାଗ କାହାରି ନିଦ ଭାଙ୍ଗୁନି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories