କଟକ : କରୋନା ସମୟରେ ଘରୋଇ ସ୍କୁଲ ଫି ଛାଡ଼ କରିବା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ରାଜ୍ୟରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ରାଜସ୍ଥାନ,ପଞ୍ଜାବ ଓ ହରିଆନା ରାଜ୍ୟ ଭଳି, ନିର୍ଦ୍ଦିଷ୍ଟ କେତେ ଟଙ୍କା ସ୍କୁଲ ଫି ଛାଡ଼ କରିବେ ତାହା ସତ୍ୟପାଠ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ରାଜ୍ୟ ସରକାର ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ସଙ୍ଘ ସହ ଏମଓୟୁ ସ୍ବାକ୍ଷର କରିଥିବା ବେଳେ ତାହା ଅନୁଯାୟୀ ହାଇକୋର୍ଟ ନିର୍ଦ୍ଦେଶ ନାମା ଦିଅନ୍ତୁ ବୋଲି ପୂର୍ବରୁ ନିଜର ମତାମତ ରଖିଥିଲେ ରାଜ୍ୟ ସରକାର । ଘରୋଇ ସ୍କୁଲ ଫି ବୃଦ୍ଧି ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ, ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଗ୍ରହଣ କରିଥିବା ନିଷ୍ପତ୍ତିକୁ ହାଇକୋର୍ଟ ଲାଗୁ କରନ୍ତୁ ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।
ସୂଚନାଯୋଗ୍ୟ କରୋନା ଯୋଗୁ ସମସ୍ତ ସ୍କୁଲ ବନ୍ଦ ରହିଛି । ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସୁ ନ ଥିବା ବେଳେ ବେସରକାରୀ ସ୍କୁଲମାନେ ଫି କମାଇବା ନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଏହାକୁ ବିରୋଧ କରି ଅବିଭାବକ ସଂଘ ସ୍କୁଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଅଭିଯୋଗ କରିଥିଲେ କି, ପିଲା ଯେତେବେଳେ ସ୍କୁଲ ଯାଉ ନାହାନ୍ତି ତ ଅବିଭାବକମାନେ କାହିଁକି ମାସିକ ଦେୟ ଦେବେ । ଏ ନେଇ ରାଜ୍ୟସରକାରଙ୍କର କିଛି ସ୍ୱତନ୍ତ୍ର ଗାଇଡଲାଇନ ନ ଥିବା ବେଳେ ବେସରକାରୀ ସ୍କୁଲ ସଂଘ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବା କହିଥିଲେ । ତେଣୁ ଅବିଭାବକମାନେ ମାସିକ ଦେୟ ଦେବାକୁ ବାଧ୍ୟ ବୋଲି ୟୁକ୍ତି ବାଢିଥିଲେ ।



