www.samajalive.in
Sunday, December 7, 2025
15.1 C
Bhubaneswar

କରୋନା ଭୂତାଣୁ ମୁକାବିଲା : ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀର ପ୍ରଥମ ବୈଠକ

 ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀର ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ସୋମବାର ଦେଶରେ କରୋନା ଭୂତାଣୁ ମୁକାବିଲାର ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ଚୀନରୁ ଉଦ୍ଧାର ହୋଇଥିବା ୬୦୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ସେ ଅନୁଧ୍ୟାନ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ପି.କେ. ସିହ୍ନା, କ୍ୟାବିନେଟ ସଚିବ ରାଜୀବ ଗୌବା, ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଏବଂ ଅନ୍ୟ ମନ୍ତ୍ରଣାଳୟର ସଚିବମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ଗୃହ ରାଷ୍ଟ୍ର ମନ୍ତ୍ରୀ ଜି. କିଷନ ରେଡ୍ଡୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନସୁଖ ଲାଲ ମାଣ୍ଡଭ୍ୟ ପ୍ରମୁଖଙ୍କୁ ସାମିଲ କରାଯାଇଛି। ଏହି ମନ୍ତ୍ରୀ ଗୋଷ୍ଠୀ ଦେଶରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା, ଅନୁଧ୍ୟାନ ଏବଂ ମୂଲ୍ୟାଙ୍କନ କରିବେ।
ସୋମବାର ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନ ଠାରେ ମନ୍ତ୍ରୀ ଗୋଷ୍ଠୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱାସ୍ଥ୍ୟ, ଜାହାଜ ଚଳାଚଳ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ ଏବଂ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହି ବୈଠକରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଅଧ୍ୟକ୍ଷତା କରିଥିଲେ। ନୋଭେଲ କରୋନା ଭୂତାଣୁ-୨୦୧୯ର ସ୍ଥିତି ସମ୍ପର୍କରେ ଏକ ଉପସ୍ଥାପନା ମନ୍ତ୍ରୀ ଗୋଷ୍ଠୀଙ୍କ ଆଗରେ କରାଯାଇଥିଲା। ଆଜି କେରଳରେ ତିନି ଜଣ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସମ୍ପର୍କରେ ବୈଠକରେ ସୂଚୀତ କରାଯାଇଥିଲା। ଏଥିସହିତ ଦେଶରେ କରୋନା ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ, ଯେପରିକି ରବିବାର ଜାରି ହୋଇଥିବା ଯାତ୍ରା ସତର୍କତା, ଅସ୍ଥାୟୀ ଭାବେ ଇ-ଭିସା ସୁବିଧା ବନ୍ଦ ଆଦି ସମ୍ପର୍କରେ ବୈଠକରେ ଅବଗତ କରାଯାଇଥିଲା।

Image Courtesy: Amar ujala

ଲୋକମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଚୀନରୁ ଫେରିବା ପରେ ଯାତ୍ରୀଙ୍କୁ ପୃଥକ ଭାବେ ରଖାଯାଇପାରେ। ୧୫ ଜାନୁଆରୀ, ୨୦୨୦ ପରଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଯେଉଁମାନେ ଚୀନ ଯାତ୍ରା କରିଛନ୍ତି ଏବଂ ଯେଉଁମାନେ ଚୀନ ଯାତ୍ରା କରିବେ ସେମାନଙ୍କୁ ଫେରିବା ପରେ ଅଲଗା ରଖାଯିବ। ଆହୁରି ଚୀନ ପାସପୋର୍ଟଧାରୀଙ୍କ ପାଇଁ ଇ-ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ଚୀନ ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ଅସ୍ଥାୟୀ ଭାବେ ବୈଧ ହେବ ନାହିଁ । ଚୀନରୁ ଫିଜିକାଲ ଭିସା ପାଇଁ ଅନଲାଇନ ଆବେଦନ ଦାଖଲ ସୁବିଧା ସ୍ଥଗିତ ରଖାଯାଇଛି। ଭାରତ ଗସ୍ତ କରିବା ଜରୁରୀ ହୋଇଥିଲେ ବେଜିଂସ୍ଥିତ ଭାରତୀୟ ଦୂତାବାସ ଏବଂ ଶାଙ୍ଘାଇ ଓ ଗୁଆଙ୍ଗଝୋଉସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଯୋଗାଯୋଗ କରିବା ଲାଗି କୁହାଯାଇଛି। ଏହି ଯାତ୍ରା ସତର୍କତା ପାଳନ କରିବା ଲାଗି ଚୀନରୁ ଯାତ୍ରା କରୁଥିବା ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ କମ୍ପାନୀଗୁଡ଼ିକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେହିପରି ଉହାନରୁ ଉଦ୍ଧାର କରାଯାଇଥିବା ୬୪୫ ଜଣ ଯାତ୍ରୀଙ୍କୁ ଦୁଇଟି ପୃଥକ ନିରୀକ୍ଷଣ କେନ୍ଦ୍ରରେ ରଖାଯାଇଛି। ଆଇଟିବିପି ଏବଂ ସେନାବାହିନୀ ଦ୍ୱାରା ଏହି କ୍ୟାମ୍ପ ପରିଚାଳିତ ହେଉଛି। ସମସ୍ତ ଅନ୍ତେବାସୀଙ୍କର ପ୍ରତ୍ୟେକ ଦିନ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି ବୋଲି ମନ୍ତ୍ରୀଗୋଷ୍ଠୀକୁ ଅବଗତ କରାଯାଇଥିଲା। ଏଥିସହିତ ଏହି ସୂଚନା ଦିଆଯାଇଥିଲା ଯେ ଆଜି ସୁଦ୍ଧା ମୋଟ ୫୯୩ଟି ବିମାନରେ ଆସିଥିବା ୭୨,୩୫୩ ଜଣ ଯାତ୍ରୀଙ୍କର ଯାଞ୍ଚ କରାଯାଇଛି। ୨୧ଟି ବିମାନ ବନ୍ଦର ସମେତ ଅନ୍ତର୍ଜାତୀୟ ବନ୍ଦର, ନେପାଳକୁ ଲାଗିଥିବା ସ୍ଥଳସୀମାରେ ଆଗନ୍ତୁକମାନଙ୍କୁ ଯାଞ୍ଚ କରାଯାଉଛି। ସିଙ୍ଗାପୁର, ଥାଇଲାଣ୍ଡ, ହଂକଂ ଓ ଚୀନରୁ ଆସୁଥିବା ସମସ୍ତ ବିମାନର ବ୍ୟାପକ ଯାଞ୍ଚ କରାଯାଉଛି।

- Advertisement -
Image Courtesy: Amar ujala

୨୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୮୧୫ ଜଣ ଲୋକଙ୍କୁ ଗୋଷ୍ଠୀ ନିରୀକ୍ଷଣରେ ରଖାଯାଇଛି। ବର୍ତମାନସୁଦ୍ଧା ୩୩୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୩୩୫ଟି ନେଗେଟିଭ, ୩ଟି ପଜିଟିଭ ବାହାରିଛି। ଆହୁରି ୭୦ଟି ନମୁନା ପରୀକ୍ଷା ପର୍ୟ୍ୟାୟରେ ରହିଛି। ଆଇସିଏମଆର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁନେ ନୋଭେଲ କରୋନା ଭୂତାଣୁ ନିରୂପଣ କରିବା ଲାଗି ନୋଡାଲ ସେଣ୍ଟର ଭାବେ କାର୍ୟ୍ୟ କରୁଛି। ୧୨ଟି ପରୀକ୍ଷାଗାର କାର୍ୟ୍ୟକ୍ଷମ କରାଯାଇଛି ଏବଂ ଏଠାରେ ନମୁନା ପରୀକ୍ଷା କରାଯାଉଛି। ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ଓ ଏନ୯୫ ମାସ୍କ ମହଜୁଦ କରି ରଖାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ପ୍ରତିଦିନ ଉଚ୍ଚସ୍ତରରେ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରାଯାଉଛି। ଏକ ଚବିଶ ଘଣ୍ଟିଆ କଂଟ୍ରୋଲ ରୁମ (୦୧୧-୨୩୯୭୮୦୪୬) ଖୋଲାଯାଇଛି। ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ ଜରିଆରେ ବ୍ୟାପକ ସଚେତନତା କରାଯାଉଛି।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦାନ, ବୈଦେଶିକ ମନ୍ତ୍ରଣାଳୟ ସଚିବ ଏଚ.ବର୍ଦ୍ଧନ ଶ୍ରୀଙ୍ଗଲା, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା, ସ୍ୱତନ୍ତ୍ର ସଚିବ (ସ୍ୱାସ୍ଥ୍ୟ) ସଞ୍ଜୀବା କୁମାର, ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ବନ୍ଦୋପାଧ୍ୟାୟଙ୍କ ସମେତ ସମ୍ପୃକ୍ତ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories