ଚର୍ଚ୍ଚାରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ: ବିଜେପି ପାଖରେ ମ୍ୟାଜିକ୍‍ ନମ୍ବର, ବିଜେଡି କସୁଛି ଅଙ୍କ

ହରଭଙ୍ଗା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ବ୍ଲକରେ ନିର୍ବାଚନୀ ଉଷ୍ମତା ଏକପ୍ରକାର ହ୍ରାସ ପାଇଛି।ପଂଚାୟତ ନିର୍ବାଚନରେ ଶାସକ ଦଳର ଭଲ ପ୍ରଦର୍ଶନ ଯୋଗୁଁ ବ୍ଲକର ୩ଟି ଜିଲ୍ଲାପରିଷଦ ଆସନ ବିଜେଡି ହାତେଇବାକୁ ସକ୍ଷମ ହୋଇଛି। ଅନ୍ୟପଟେ ଢିଲା ରଣନୀତି ଯୋଗୁଁ ଶାସକ ବିଜେଡି ହାତରୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ଖସିଯିବା ଯଥେଷ୍ଟ ଆଶଙ୍କା ରହିଛି। ଏଥର ବ୍ଲକ ଅଧ୍ୟକ୍ଷ ଆସନ ବିଜେପି ହାତକୁ ଚାଲିଗଲେ ଶାସକ ଦଳର ଛାମୁଆ ନେତା ପ୍ରଦୀପ ବାବୁଙ୍କ ରାଜନୈତିକ କ୍ୟାରିୟର ଉପରେ ଏହାର ବଡ ପ୍ରଭାବ ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋରଧରିଛି।

ଅନ୍ୟପଟେ ବିଜେପି ବ୍ଲକ ଅଧ୍ୟକ୍ଷ ଆସନ ଅକ୍ତିଆର କଲେ ସୁଶାନ୍ତ, ସରୋଜଙ୍କ ରାଜନୈତିକ କ୍ୟାରିୟର ଉପରେ ଏକ ବଡ ପରିବର୍ତନ ଆଣିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଜୋରଧରିଛି। ରାଜନୈତିକ ଦୃଷ୍ଟି କୋଣରୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ଅନେକ ଗୁରୁତ୍ୱବହନ କରୁଛି। ଏଥର ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୩ଟି ଜିଲ୍ଲାପରିଷଦ ଜୋନ୍‍ର ୨୨ ପଂଚାୟତକୁ ନେଇ ହରଭଙ୍ଗା ପଂଚାୟତ ସମିତି ଗଠନ ହୋଇଛି। ୭ନଂ ଜିଲ୍ଲାପରିଷଦ ଜୋନ୍‍ର ୭ଟି ପଂଚାୟତରୁ ବିଜେପି ୫ଟି ସମିତି ସଭ୍ୟ ହାତେଇଥିବା ବେଳେ ବିଜେଡିକୁ ମିିଳିଛି ମାତ୍ର ୨ଟି। ୮ନଂ ଜିଲ୍ଲାପରିଷଦ ଜୋନ୍‍ର ୮ଟି ପଂଚାୟତରୁ ୪ଟି ସମିତିସଭ୍ୟ ବିଜେଡି ହାତେଇଥିବା ବେଳେ ୩ଟି ବିଜେପି ଏବଂ ଗୋଟିଏ ସ୍ୱାଧିନ ରହିଛି। ସେହିପରି ୯ନଂ ଜିଲ୍ଲାପରିଷଦ ଜୋନର ୭ଟି ପଂଚାୟତରୁ ୪ଟି ସମିତିସଭ୍ୟ ବିଜେପି ହାତେଇଥିବାବେଳେ ୩ଟି ବିଜେଡି ହାଇତେଇଛି। ଅଧ୍ୟକ୍ଷ ଆସନ ଅକ୍ତିଆର ପାଇଁ ମ୍ୟାଜିକ୍‍ ନମ୍ବର ୧୨ ଦରକାର ପଡୁଥିବାବେଳେ ବିଜେପି ଏହି ଦୌଡରେ ଆଗରେ ରହିଛି। ମ୍ୟାଜିକ୍‍ ନମ୍ବରରୁ ବିଜେଡି ୦୩ଟି ସମିତିସଭ୍ୟ ତଳେ ରହିଛି। ଏଭଳି ସ୍ଥଳେ ସରୋଜ, ସୁଶାନ୍ତ ଦୁଇ ଭାଇଙ୍କ ରାଜନୈତିକ ରଣକୌଶଳ ଆଗରେ ବିଜେଡିର ଛାମୁଆ ନେତା ପ୍ରଦୀପ ବାବୁଙ୍କ ଟିମର ରଣକୌଶଳ ଫେଲ ମାରିଛି। ଫଳରେ ଏଥର ବ୍ଲକ ଅଧ୍ୟକ୍ଷ ପ୍ରଥମଥର ପାଇଁ ବିଜେପି ଅକ୍ତିଆର କରିବ ବୋଲି ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ଏହି ଦୌଡ଼ରେ ଦୁଇଭାଇଙ୍କୁ ବିଜେଡି କିଭଳି ଚେକ୍‍ ଦେଉଛି ତାକୁ ନେଇ ସବୁଠି ଉତ୍କଣ୍ଠା ଲାଗିରହିଛି।

prayash

ପ୍ରକାଶ ଯେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ହରଭଙ୍ଗା ବ୍ଲକ ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ। ଏହି ବ୍ଲକର ଭୋଟର ସବୁ ନିର୍ବାଚନ ସମୟରେ ବୌଦ୍ଧ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟନିର୍ଦ୍ଧାରଣ କରିଥାନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏହି ବ୍ଲକ ଅନେକ ଗୁରୁତ୍ୱ ରଖୁଥିବାରୁ ସବୁବେଳେ ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ଚାଲିଥାଏ। ମୋଟାମୋଟି ଭାବେ କହିବାକୁ ଗଲେ ଅଧ୍ୟକ୍ଷ ଆସନ ବିଧାୟକ ପ୍ରାର୍ଥୀଙ୍କ ରାଜନୈତିକ କ୍ୟାରୟର ପାଇଁ ଭାଗ୍ୟରେଖା ଟାଣିଥାଏ। ତେଣୁ ଏଠାରେ ସବୁ ପଂଚାୟତ ନିର୍ବାଚନରେ ବ୍ଲକ ଚେୟାରମ୍ୟାନ ଆସନ ପାଇଁ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଲାଗିରହିଥାଏ।

ସୂଚନା ଥାଉ କି, ପ୍ରଥମଥର ପାଇଁ ୧୯୯୭ରେ ଜନତାଦଳ ହାତରୁ ଏହି ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲା। ଏହାପଛରେ ଜନତାଦଳର ଅପ୍ରତିଦ୍ୱନ୍ଦୀ ନେତା ସ୍ୱର୍ଗତ ଦିଗାମ୍ବର ପ୍ରଧାନଙ୍କ ହାତଥିବା ଚର୍ଚ୍ଚା ହୋଇଥିଲା। ମାତ୍ର ତାଙ୍କ ଦେହାନ୍ତ ପରେ ଜନତାଦଳର ସଂଗଠନ ଦୁର୍ବଳ ଫଳରେ ୨୦୦୨ରୁ କ୍ରମାଗତ ୩ଥର ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଅଧ୍ୟକ୍ଷ ଆସନ ଗଠନ ହୋଇଥିଲା। ହେଲେ ୨୦୧୪ ଶେଷ ବେଳକୁ ଏହି ଆସନ କଂଗ୍ରେସ ହାତରୁ ବିଜେଡି ପାଖକୁ ଚାଲିଯାଇଥିଲା। ଗତ ୨୦୧୭ରେ ଏହି ଆସନ ବିଜେଡି ଅକ୍ତିଆର କରିଥିଲା ସତ ଏହା ପଛରେ ମଧ୍ୟ ଶୁଶାନ୍ତଙ୍କ ଭିତିରିଆ ସମର୍ଥନ ରହିଥିବା ଶାସକ ବିଜେଡିକୁ ଜଣାଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଅଧ୍ୟକ୍ଷ ଆସନ ଅକ୍ତିଆରରେ ଶୁଶାନ୍ତଙ୍କ ରାଜନୈତିକ ଅଭିଜ୍ଞତା ଯଥେଷ୍ଟ ଅଧିକ ରହିଛି। ସୁଶାନ୍ତଙ୍କ ରଣନୀତିରେ ଏହି ଆସନ ଏଥର ବିଜେଡି ହାତରୁ ଖସିଯିବା ଯଥେଷ୍ଟ ସମ୍ଭାବନା ମଧ୍ୟ ଅଛି। ତେଣୁ ସୁଶାନ୍ତଙ୍କୁ କିପରି ଶାସକ ଦଳ ଚେକ୍‍ ଦେଉଛି ତାକୁ ନେଇ ସବୁ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 

kalyan agarbati

Comments are closed.