ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି। ଋଷର ସୈନ୍ୟବାହିନୀ ୟୁକ୍ରେନର ରାଜଧାନୀ କିଭକୁ ଘେରି ରହିଛନ୍ତି । ସେହିପରି ରୁଷ ପକ୍ଷରୁ ୟୁକ୍ରେନର ଅନ୍ୟତମ ସହର ଖାର୍କିଭ ଉପରେ ଭୀଷଣ ବୋମାମାଡ ଜାରି ରହିଛି। ରୁଷ ସେନା ୟୁରୋପର ବୃହତ୍ତମ ଆଣବିକ ଶକ୍ତି କେନ୍ଦ୍ର ଆଡକୁ ଆଗଉଛି । ଯଦିଓ ଋଷ ୟୁକ୍ରେନରେ ତାର ଧ୍ୱଂସ ଲୀଳା ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ଅନେକ ସହରକୁ ରୁଷ ଧ୍ୱଂସ କରିବାରେ ଲାଗିଛି। ତେବେ ଏହି ଯୁଦ୍ଧରେ ରୁଷର ୪୯୮ ସୈନିକ ନିହତ ହୋଇଥିବା ସ୍ବୀକାର କରିଛି । ପ୍ରଥମ ଥର ପାଇଁ ରୁଷ ତା’ର ସୈନିକ ନିହତ ହୋଇଥିବା ନେଇ ସୂଚନା ଦେଇଛି। ତେବେ ୟୁକ୍ରେନ, ରୁଷ ସୈନ୍ୟ ସେଠାରୁ ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ଏକ ପ୍ରସ୍ତାବ ଗୃହିତ କରିଛି।
ଇତି ମଧ୍ୟରେ ୟୁକ୍ରେନର ସହର ଖେରସନକୁ ସମ୍ପୂର୍ଣ୍ଣ ଭାବେ କବଜା କରିଛି ବୋଲି ରୁଷ ଦାବି କରିଛି । କିନ୍ତୁ ସହରର ମେୟର ଏହାକୁ ପ୍ରତ୍ୟାଖାନ କରିଛନ୍ତି। ଅନ୍ୟପକ୍ଷରେ ସଂକଟର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ଆଲୋଚନା ହେବାକୁ ଯାଉଛି ।



