ଗୁଲଜାରଙ୍କ ବୃତ୍ତଚିତ୍ରରେ କବି ହଳଧର
କଟକ: ‘‘ଚିଠି ଦେଉଁଛେର୍ ହଳଧର୍, ଚିଠି ଦେଉଁଛେର୍ ହଲଧର୍। ଦୁଃଖ୍ ଭର୍ ତୋର୍ ପିଲାଟି ଟାକର୍ କବିତା ଜନମ୍ କର୍। ସମାଜ କେ ଶୁଦ୍ଧି କର୍ଁବୁ ବୋଇଲେଁ ପହଲେ ତୁଁ ହଅ ଶୌଉଁଚ୍, ପର୍ ହାଥ୍ ଧରିଁ ଝିକ୍ବୁ ବୋଏଁଲେ ପହ୍ଲେ ଚଢ୍ତୁଁ ପାହୁଚ୍….।’
ପଖାଳରୁ ପଦ୍ମଶ୍ରୀର ଲମ୍ବାଯାତ୍ରା କିଛି କମ୍ ନଥିଲା। ଅତର୍କିତ ଜାତୀୟ ସ୍ତରରେ ଦେଇଥିଲା ପରିଚିତି। ଶରୀର ଗଠନ, ବେଶଭୂଷା, ଭାଷା ଓ ବୋଲି ଭିନ୍ନ ଥିଲେ ବି ହଜିଯାଉଥିବା ସ୍ବଦେଶୀ କୋଶଳୀ ଭାଷାକୁ ସଞ୍ଜୀବନୀ ଦେଇ ନିଜ କବିତା ମାଧ୍ୟମରେ ବଞ୍ଚାଇ ରଖିଥିବା ଏଇ ଆଦିବାସୀ କବିପ୍ରାଣ ଡକ୍ଟର ହଳଧର ନାଗଙ୍କୁ ନେଇ ଏବେ ଜାତୀୟ ସ୍ତରରେ ପୁଣି ଆଉ ଏକ ର୍ଚଚ୍ଚା। ସମ୍ବଲପୁରର ଆଦିବାସୀ ଘେରା ଘେଁସ ମାଟିର ସନ୍ତାନ, ଓଡ଼ିଶା ତଥା ଭାରତର କୃତବିଦ୍ୟ ସାରସ୍ବତ ସାଧକ ହଳଧରଙ୍କ ପ୍ରଶଂସାରେ ଏବେ ଶତଜିହ୍ବ ହୋଇପଡିଛନ୍ତି ଭାରତର ବର୍ଷିୟାନ୍ ସାହିତ୍ୟ ସାଧକ, ବିଶିଷ୍ଟ କବି, ଗୀତିକାର ତଥା ଖ୍ୟାତାନାମା ଚଳଚ୍ଚିତ୍ର ନିର୍ଦେଶକ ସଂପୂର୍ଣ୍ଣ ସିଂହ କାଲ୍ରା ଓରଫ ଗୁଲଜାର।
ହଳଧରଙ୍କ କବିତା ଓ ତାଙ୍କ ଜୀବନଶୈଳୀକୁ ନେଇ ୭ ମିନିଟ୍ ୪୯ ସେକେଣ୍ଡର ଏକ ବୃତ୍ତଚିତ୍ର(ଡକ୍ୟୁମେଣ୍ଟାରୀ) ପ୍ରସ୍ତୁତ କରିଛନ୍ତି ଗୁଲଜାର୍। ଭାରତବାଲା ପ୍ରସ୍ତୁତ ‘ଭର୍ଚୁଆଲ ଭାରତ’ର ଏହି ବୃତ୍ତଚିତ୍ରରେ ହଳଧରଙ୍କ ଦୁଇ କାଳଜୟୀ କବିତା ଏଥିରେ ରହିଛି। ‘ଚିଠି ଦେଉଛେର୍ ହଳଧର୍’ ଓ ‘କବିର କଲମ୍ ଗାରୁଁ…’ର ବ୍ୟବଚ୍ଛେଦ କରିଛନ୍ତି ଗୁଲଜାର। ଏହି ପୃଥିବୀର ପ୍ରଥମ ଅଧିବାସୀ ଓ ମାଟିରେ ପ୍ରଥମ ଅଧିକାର ରଖୁଥିବା ବ୍ୟକ୍ତି ହେଉଛି ଆଦିବାସୀ। ଅସହ୍ୟ ଅଭାବବୋଧ ତୃତୀୟ ଶ୍ରେଣୀରୁ ବସ୍ତାନୀରେ ଡୋରି ବାନ୍ଧିବାକୁ ବାଧ୍ୟ କରିଥିଲା; ହେଲେ ଯେଉଁ ମାନବିକ ଆବେଗର କଥା ସେ କବିତାରେ ଫୁଟାଇଛନ୍ତି ତାହା କୋଶଳୀ ଲୋକକବି ହଳଧରଙ୍କୁ କାହିଁ କେତେ ଉପରକୁ ନେଇଯାଇଛି। ୨୦୧୬ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହେବା ସହ ରାଜ୍ୟ, ଦେଶ ଓ ବିଦେଶରୁ ପାଇଛନ୍ତି ହଜାର ହଜାର ସମ୍ମାନ, ପୁରସ୍କାର ଓ ପ୍ରମାଣପତ୍ର। ଦାରିଦ୍ର୍ୟର ଅସହ୍ୟ ତାଡନା ସତ୍ତ୍ବେ ସମାଜର ଅସମାନତା ପ୍ରତି ବିଦ୍ରୋହ ନକରି କବି ହଳଧର ତାଙ୍କ କବିତାରେ ଯେଉଁ ବିଶ୍ବପ୍ରେମର ବାର୍ତ୍ତା ଦେଇଛନ୍ତି ତାହାକୁ ଗୁଲଜାର ପ୍ରଶଂସା କରିଛନ୍ତି। ସତେଯେମିତି ହଳଧରଙ୍କ କବିତାକୁ ପ୍ରମାଣିକ ଚିତ୍ରରେ ଉତ୍ଥାପନ କରି ଗୁଲଜାର ନିଜେ ହଳଧରଙ୍କୁ ଚିଠି ଳେଖୁଥିବା ଦର୍ଶାଇଛନ୍ତି। ପ୍ରାଚୀନ କବିମାନଙ୍କ ଭଳି ସୃଜନଶୀଳତାର ବିଭୂଦତ୍ତ ପ୍ରତିଭା କବି ହଳଧରଙ୍କୁ ମିଳିଥିବା ଗୁଲଜାର କହିଛନ୍ତି। ପଙ୍କରୁ ପଦ୍ମ ପ୍ରସ୍ଫୁଟିତ ହେବାଭଳି ହଳଧରଙ୍କ କବିପ୍ରାଣ ଦକ୍ଷତାକୁ ଗୁଲଜାର ପ୍ରଶଂସା କରିଛନ୍ତି। ଗତ ୧୭ ତାରିଖରେ ଏହି ବୃତ୍ତଚିତ୍ରର କର୍ଟନ୍ରେଜର ୟୁ ଟ୍ୟୁବ୍ରେ ଆସିଥିବାବେଳେ ପୂରା ଭିଡ଼ିଓ ଗତକାଲି(୨୨ ତାରିଖ)ଅପ୍ଲୋଡ୍ କରାଯାଇଛି। ଗୁଲଜାରଙ୍କ ପ୍ରଚ୍ଛଦପଟ ସ୍ବର ଓ ହୃଦୟସ୍ପର୍ଶୀ ଅଭିବ୍ୟକ୍ତି ସତେଯେମିତି କବିମନସ୍କ ହଳଧରଙ୍କ ଲାଗି ପୂର୍ଣ୍ଣ ସମର୍ପିତ ଭାବର ଏକ ନିଚ୍ଛକ ପରିପ୍ରକାଶ ରହିଛି ଏହି ପ୍ରାମାଣିକ ଚିତ୍ରରେ। ‘‘
ହ୍ବାଟ୍ସ୍ ଆପ୍, ଫେସ୍ବୁକ୍ ଓ ୟୁ-ଟ୍ୟୁବ୍ରେ ଏହା ଭାଇରାଲ ହେବା ପରେ ଏହାକୁ ହଜାର ହଜାର ଦର୍ଶକ ଦେଖିବା ଆରମ୍ଭ କରିଛନ୍ତି। ମାତ୍ର ୧୦ ଘଣ୍ଟା ଭିତରେ ଏହାକୁ ୩୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି। ସମ୍ବଲପୁରୀ ଓ କୋଶଲୀ ଭାଷା ବୁଝୁଥିବା ବ୍ୟକ୍ତିଙ୍କ ଲାଗି ସତରେ ହଳଧର ଓ ତାଙ୍କ କବିତାକୃତିର ଏହା ଏକ ପ୍ରାଣସ୍ପର୍ଶୀ ଅଭିବ୍ୟକ୍ତିଟିଏ ନିଶ୍ଚୟ। ଘେଁସର ୫ ଫୁଟ ପ୍ରସ୍ଥ ଓ ୭ ଫୁଟ ଦୈର୍ଘ୍ୟର ବିଶିଷ୍ଟ ୩୫ ବର୍ଗଫୁଟ ଘରକୁ ସାରସ୍ବତ ସାଧନା କୁଟୀରରେ ପରିଣତ କରିଥିବା ହଳଧରଙ୍କ କବିତା ସତରେ କାଳଜୟୀ। ନିକଟରେ ଶୀତଳଷଷ୍ଠୀରେ ସମ୍ବଲପୁରରେ ରାଗଚଣା (ଘୁଘୁନି) ବିକୁଥିବା ପଦ୍ମଶ୍ରୀ ହଳଧରଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବାବେଳେ ହଳଧର ଏହାର ସଫେଇ ଦେଇଥିଲେ। ଶ୍ରମକୁ ସମ୍ମାନ ଓ ନିଜ ବୃତ୍ତିକୁ ନେଇ ସବୁବେଳେ ଖୁସି ଥିବା ହଳଧରଙ୍କୁ ସେଭଳି ସରକାରୀ ପ୍ରେତ୍ସାହନ ମିଳି ନଥିଲେ ମଧ୍ୟ ଗୁଲଜାରଙ୍କ ଏହି ବୃତ୍ତଚିତ୍ର ତାଙ୍କୁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆଣିଛି। ‘‘ ଅମୃତ ଝରୁ ସାତ ସମୁଦ୍ରରୁ, ସ୍ବର୍ଗର ଜହ୍ନ, ମାଁର ଥନ, ମହତ ନୀତିର ଧାରୁ, କବିର କଲମ୍ ଗାରୁଁ, କବିର କଲମ୍ ଗାରୁଁ….’’ କବିତାର ଭାଷା କୋଶଳୀ ହୋଇପାରେ; କିନ୍ତୁ ହଳଧରଙ୍କ ଏହି ସରଳ ସାହିତ୍ୟରେ ରହିଛି ବିଶ୍ବ ମାନବବାଦର ଦର୍ଶନ। ଭୂମି ଓ ଭୂମାକୁ ଗୋଟିଏ ଧାରରେ ଆଙ୍କିଥିବା କବିପ୍ରାଣ।
Comments are closed.