ସୂକ୍ଷ୍ମ କୌଶଳ କାରିଗରଙ୍କୁ ସେମାନଙ୍କ ବଜାର ଚାହିଦା ବୃଦ୍ଧି ସହ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ

ଭୁବନେଶ୍ୱର: କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗରମାନଙ୍କ ପାଇଁ ଜୁଲାଇ ଏକ ଉତ୍ସାହଜନକ ମାସ ଥିଲା । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପରେ ମହିଳାମାନଙ୍କ ‘ଦକ୍ଷତା ଏବଂ ଉଦ୍ୟୋଗ ବିକାଶ’ ନିମନ୍ତେ ଚାଲିଥିବା ଏକ ପ୍ରକଳ୍ପ ଯାହାକି ‘ସଂକଳ୍ପ’ କେନ୍ଦ୍ରାପଡ଼ା ପ୍ରକଳ୍ପ ନାମରେ ବେଶ ଜଣାଶୁଣା । ଏହି ଅବସରରେ ପ୍ରକଳ୍ପ ଅଧୀନରେ କାରିଗରମାନଙ୍କ ପାଇଁ ପର୍ଯ୍ୟାୟକ୍ରମେ କର୍ମଶାଳାମାନ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଗୁଡ଼ିକ ଅପେକ୍ଷାକୃତ କମ୍‌ ଶିକ୍ଷା ଦିଆଯାଉଥିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କୌଶଳ ଯଥା: ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ ଫିଡ୍‌ବ୍ୟାକ୍‌, ଗ୍ରାହକଙ୍କ ମତାମତ, ଆଧୁନିକ ଦିନର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଏବଂ ଟିକସ ଏବଂ ଦୈନନ୍ଦିନ ଆର୍ଥିକ ପରିଚାଳନାର ମୌଳିକ ବିଷୟ ଉପରେ କେନ୍ଦ୍ରିତ ଥିଲା ।
ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଅଧିନସ୍ଥ ସ୍କୁଲ ଅଫ ସଷ୍ଟେନେବିଲିଟିର ଡିନ ପ୍ରଫେସର ସୁତପା ପତିଙ୍କ ଦ୍ୱାରା ସଚେତନ ଉତ୍ପାଦନ ଓ ସ୍ଥିରତା କର୍ମଶାଳା ତଥା ସ୍କୁଲ ଅଫ୍‌ କମର୍ସର ସହକାରୀ ପ୍ରଫେସର ଅଭିମନ୍ୟୁ ସାହୁଙ୍କ ଦ୍ୱାରା ଆର୍ଥିକ ବୁଝାମଣା କର୍ମଶାଳା ଯଥାକ୍ରମେ ପରିଚାଳନା କରାଯାଇଥିଲା । ବ୍ରାଣ୍ଡ ଫିଡ୍‌ବ୍ୟାକ୍‌ ଏବଂ ପାରସ୍ପରିକ ଆଦାନପ୍ରଦାନ କର୍ମଶାଳାରେ ୬ଟି ଅଧିବେଶନ ହାତତିଆରି ସାମଗ୍ରୀର ଖୁଚୁରା ବ୍ୟବସାୟ କରୁଥିବା ୬ଟି ଭିନ୍ନ ଭିନ୍ନ ବ୍ରାଣ୍ଡ ସହିତ ପରିଚାଳିତ ହୋଇଥିଲା । ଏହି ୬ଟି ବ୍ରାଣ୍ଡ ସ୍ଥାନୀୟ ଏବଂ ଜାତୀୟସ୍ତରର ଯଥା: ଇକାଇ ଆସାଇ, କ୍ରାଫଫ କାଉନ୍‌ସିଲ୍‌ ଇଣ୍ଡିଆ, ଫିକ୍ସି ଫ୍ଲୋ, ଭିଣ୍ଟେଜ୍‌ ଭିଷ୍ଟାରା, ସିମ୍ପଲ୍‌ କ୍ରେଜି ଏବଂ ଡିଆର୍‌ପି ଆର୍ଟଲାଇଫ୍‌ ଥିଲା ।

prayash

ଏହି ବର୍ଷରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା କର୍ମଶାଳାଗୁଡ଼ିକରେ ଇବାଣିଜ୍ୟ, ଖୁଚୁରା ଏବଂ ସାମାଜିକ ଗଣମାଧ୍ୟମ ଓ ଫୋନ୍‌ ଫଟୋଗ୍ରାଫି ଉପରେ ଧ୍ୟାନ ଦିଆଯିବ । ‘ସ୍କିଲ୍‌ ଇଣ୍ଡିଆ’ (କୌଶଳ ଭାରତ) କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ପୂର୍ବରୁ ରହିଥିବା ଦକ୍ଷତା ପ୍ରଶିକ୍ଷଣ ପଦକ୍ଷେପଗୁଡ଼ିକୁ ଏକତ୍ର କରିବା ଏବଂ ପ୍ରଶିକ୍ଷଣ ପ୍ରଚେଷ୍ଟାର ପରିମାପ ଏବଂ ଗୁଣବତ୍ତାର ସମିଶ୍ରଣ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନରେ ଦକ୍ଷତା ଆହରଣ ଏବଂ ଜୀବିକାର ଉନ୍ନତି ନିମନ୍ତେ ଜ୍ଞାନ ସଚେତନତା (ସଂକଳ୍ପ) ୨୦୧୮ ମସିହରେ ପ୍ରତିଷ୍ଠା କରାଯାଇଥିଲା ।
ସଂକଳ୍ପ କେନ୍ଦ୍ରାପଡ଼ା ପ୍ରକଳ୍ପଟି ୨୦୨୦ ମସିହା ନଭେମ୍ବର ମାସରେ ଆରମ୍ଭ ହୋଇଥିଲା, ଯାହା ଜାତୀୟ ଆଦେଶ ଅଧୀନସ୍ଥ ଏକ ପାଇଲଟ୍‌ ପ୍ରକଳ୍ପ । ଏହି ପ୍ରକଳ୍ପଟି ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ, ଭାରତ ସରକାର, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା, ଓଡ଼ିଶା ଦ୍ୱାରା କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପ ଜରିଆରେ କେନ୍ଦ୍ରାପଡ଼ା ଜିଲ୍ଲାର କାଇଁଚ ଶିଳ୍ପ ପୁଞ୍ଜ (କ୍ଲଷ୍ଟର)ରେ ପ୍ରକଳ୍ପ ଅଧିନସ୍ଥ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ୩୦ରୁ ଊର୍ଦ୍ଧ୍ୱ ଗ୍ରାମର ୩୦୦୦ରୁ ଊର୍ଦ୍ଧ୍ୱ ମହିଳା କାରିଗର ଉପକୃତ ହେବେ ।
ଏହି ପ୍ରକଳ୍ପର ପ୍ରଶିକ୍ଷଣ ଏବଂ କାର୍ଯ୍ୟକ୍ରମ କ୍ଷେତ୍ରଗୁଡ଼ିକ ଯଥା: ଶିଳ୍ପ ପ୍ରଶିକ୍ଷଣ, ନମୂନା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ, ଉଦ୍ୟୋଗିକ ପ୍ରଶିକ୍ଷଣ, ବ୍ୟବହାରିକ କୌଶଳ ପ୍ରଶିକ୍ଷଣ, ବିପଣନ ବ୍ୟବସ୍ଥା, ବୈଷୟିକ ଜ୍ଞାନକୌଶଳ, ପ୍ରଦର୍ଶନ (ଏକ୍ସପୋଜର) ଏବଂ ଭିତ୍ତିଭୂମି ଇତ୍ୟାଦିରେ ବିଭକ୍ତ କରାଯାଇଛି । କାରିଗରମାନେ ସେମାନଙ୍କର ସୋସିଆଲ୍‌ ମିଡିଆକୁ ବ୍ୟବହାର କରି ସ୍ୱ ଓଡ଼ିଶା (swa.odisha) ମାଧ୍ୟମରେ ତଥା ପ୍ରଦର୍ଶନୀ ଏବଂ କ୍ରେତା-ବିକ୍ରେତା ସମ୍ମିଳନୀ ମାଧ୍ୟମରେ ନିୟମିତ ଅର୍ଡର ଗ୍ରହଣ କରି ଆସୁଛନ୍ତି । କର୍ମଶାଳା ସମୟରେ ଶିଖାଯାଇଥିବା ସୂକ୍ଷ୍ମ କୌଶଳ କାରିଗରମାନଙ୍କୁ ସେମାନଙ୍କର ବଜାର ଚାହିଦା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେଉଛି ।

kalyan agarbati

Comments are closed.