ସମ୍ବଲପୁର: ସମ୍ବଲପୁର ଜିଲା ବର୍ଷିୟାନ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ କାଈଁଶୀର ସିଂହପାଲି ଫୁଟବଲ ପଡିଆଠାରେ ୨୬ତମ ସୈରେନ୍ଦ୍ରି ନାୟକ ସ୍ମାରକୀ ଆନ୍ତଃ ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ସମ୍ପନ୍ନ ହୋଇଯାଇଛି। ଏଥିରେ ଫାଇନାଲ ମ୍ୟାଚ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଣ୍ଢେନପାଲି ଦଳ ମଧ୍ୟରେ ଆୟୋଜିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଦିଲ୍ଲୀ ପବ୍ଲିକ ସ୍କୁଲର ଅନିକେତ ସିଂ, ସତ୍ୟମ ନାୟକ ଓ ସିଦ୍ଧାନ୍ତ ନାୟକଙ୍କ ଗୋଲ ବଳରେ ସମୁଦାୟ ୪ – ୦ ଗୋଲରେ ମୁଣ୍ଢେନପାଲି ଦଳକୁ ପରାସ୍ତ କରି ଚଳିତ ବର୍ଷର ଚମ୍ପିଆନ ହୋଇଛି।
ଖେଳକୁ ମଥୁରା ଓରାମ, ଜଳେନ୍ଦ୍ର ଓରାମ, ଜଗେନ୍ଦ୍ର ଓରାମ ଓ ଶାନ୍ତା ରନବିଡା ରେଫରୀ ରୂପେ ପରିଚାଳନା କରିଥିଲେ । ଉଦଘାପନୀ ଉତ୍ସବରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଓ ପୂର୍ବତନ ବିଧାୟକ ନାଉରୀ ନାଏକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଚମ୍ପିଆନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାର ବେଷ୍ଟ ଗୋଲ କିପର ଚିପଲିମାନ ହାଇସ୍କୁଲର ସୁନୀଲ ଭୂଏ, ମ୍ୟାନ ଅଫ ଦ ମ୍ୟାଚ ମୁଣ୍ଢେନପାଲି ଦଳର ଓମ ପ୍ରକାଶ ଡନସନା, ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ଦିଲ୍ଲୀ ପବ୍ଲିକ ସ୍କୁଲର ସିଦ୍ଧାନ୍ତ ନାୟକ, ବେଷ୍ଟ ଡିସିପ୍ଲିନ ଟିମ କାଈଁଶୀର ହାଇସ୍କୁଲ ଦଳକୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ସଭାପତି ଗୋକୁଳ ଚନ୍ଦ୍ର ଦର୍ଜୀ, ସାଧାରଣ ସମ୍ପାଦକ ସଦାଶିବ ପୁରୋହିତଙ୍କ ସମେତ ସମସ୍ତ ସଦସ୍ୟମାନେ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।



