ନୂଆଦିଲ୍ଲୀ: ଆସନ୍ତା ୨୬ତାରିଖକୁ କଳା ଦିବସ ଭାବେ ପାଳନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା। କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲିଥିବା କୃଷକ ଆନ୍ଦୋଳନକୁ ଏହି ଦିନ ୬ ମାସ ପୂରଣ ହେଉଥିବା ପରିପ୍ରେକ୍ଷୀରେ କୃଷକ ସଂଗଠନଗୁଡ଼ିକ ଏପରି ନିଷ୍ପତ୍ତି ନେଇଛନ୍ତି। କୃଷକ ନେତା ବଲବୀର ସିଂହ ରାଜେୱାଲାଙ୍କ ସୂଚନାନୁସାରେ ସେ ଦିନ କୃଷକମାନେ କଳା ପତାକା ଉତ୍ତୋଳନ କରିବେ।
ଏହାକୁ ସମର୍ଥନ ପୂର୍ବକ ଜନସାଧାରଣ ନିଜ ନିଜ ଘର ଉପରେ କଳା ପତାକା ଉଡ଼ାଇବାକୁ ସେ ନିବେଦନ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଛତା ତଳେ ଆନ୍ଦୋଳନରେ ୪୦ରୁ ଅଧିକ କୃଷକ ସଂଗଠନ ସାମିଲ ହୋଇଛନ୍ତି। ନଭେମ୍ବର ୨୬ରୁ ସେମାନେ ରାଜଧାନୀ ଦିଲ୍ଲୀ ସୀମାନ୍ତ ଟିକ୍ରି, ଗାଜିପୁର ଓ ସିଙ୍ଘୁଠାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି।



