www.samajalive.in
Monday, December 8, 2025
27.1 C
Bhubaneswar

ସଂସଦରେ ଉଚ୍ଛେଦ ହେବା ଯାଏଁ ଜାରି ରହିବ କୃଷକ ଆନ୍ଦୋଳନ – କୃଷକ ନେତା ରାକେଶ ଟିକାୟତ

କୃଷକ ସଂଘ ନେତା ତଥା ଦେଶରେ ଗତ ଦେଢ଼ବର୍ଷ ହେବ ୩ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ନେଇଥିବା ରାକେଶ ଟିକାୟତ କହିଛନ୍ତି ସଂଘ ସେହିଦିନକୁ ଅପେକ୍ଷା କରିଛି, ଯେଉଁଦିନ ସରକାର ସଂସଦରେ ୩ ଟି କୃଷି ଆଇନକୁ ନିରସ୍ତ୍ର କରିବେ। ସେ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟତୀତ କୃଷକଙ୍କ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟା ସଂପର୍କରେ ସରକାର କୃଷକ ସଂଘ ସହ ଆଲୋଚନା କରିବା ଆବଶ୍ୟକ।

କୃଷକମାନଙ୍କ ମିଳିତ ସଂଘ ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବା ସଂପର୍କିତ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। କୃଷକ ନେତାମାନେ ଏକ ବକ୍ତବ୍ୟରେ କହିଛନ୍ତି ସଂସଦୀୟ ପ୍ରଣାଳୀରେ ଏହି ଘୋଷଣାକୁ ବାସ୍ତବତାରେ ପରିଣତ ହେବାଯାଏ ସେମାନେ ଅପେକ୍ଷା କରିବେ। ସେମାନେ କହିଛନ୍ତି କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଚାଲିଥିବା ଆନ୍ଦୋଳନ କେବଳ ୩ଟି ଆଇନକୁ ନେଇ ନିରସ୍ତ୍ର କରିବା ନୁହେଁ, ବରଂ ସମସ୍ତ କୃଷିଭିତ୍ତିକ ଉତ୍ପାଦନ ଏବଂ କୃଷକମାନଙ୍କୁ ଲାଭ ଯୋଗାଇଦେବା ସଂପର୍କିତ ଅଟେ। ଏଥି ସହିତ କୃଷକ ସଂଗଠନଗୁଡ଼ିକ ବିଦ୍ୟୁତ୍‍ ସଂଶୋଧନ ବିଧେୟକକୁ ଫେରାଇ ନେବାକୁ ଦାବି କରିଛନ୍ତି।

- Advertisement -

ପଞ୍ଜାବ ଏବଂ ହରିଆନାରେ କୃଷି ଆଇନକୁ ବିରୋଧ କରି ଧାରଣାରେ ବସିଥିବା ବିଭିନ୍ନ ରାଜନୈତିକ ଓ ଧାର୍ମିକ ନେତାମାନେ ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେମାନେ ନିଜ ନିଜ ଭିତରେ ମିଷ୍ଟାନ୍ନ ବଣ୍ଟନ କରି ଖୁସି ପାଳିଛନ୍ତି। ଶିରୋମଣି ଅକାଳୀଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ, ପଞ୍ଜାବ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁ, ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖ୍‍ଜିନ୍ଦର ସିଂ ରାନ୍ଧୱା, ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ଅଧ୍ୟକ୍ଷ ବିବି ଜାଗିର କୌର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଏ ନେଇ ଶୁଭେଚ୍ଛା ଜଣାଇଛନ୍ତି। ଜନତା ଦଳ ସିକ୍ୟୁଲାର ପାର୍ଟିର ଅଧ୍ୟକ୍ଷ ଏଚ୍‍.ଡି ଦେବେଗୌଡ଼ା ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

କୃଷି ଆଇନକୁ ପ୍ରତ୍ୟାହାର ନିଷ୍ପତ୍ତି କରିବା ନେଇ ବିରୋଧୀଦଳ ନେତା ଏବଂ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସ୍ୱାଗତ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍‍ କରି କହିଛନ୍ତି କୃଷି ଆଇନ ପ୍ରତ୍ୟାହାର କରିବା ସତ୍ୟାଗ୍ରହର ବିଜୟ ଭଳି ଅଟେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି ଏହା ଦେଶର କୃଷି ଏବଂ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍ୱାଗତଯୋଗ୍ୟ ପଦଦେପ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‍ଟେନ ଅମରିନ୍ଦର ସିଂ ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ସଂପର୍କିତ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରତ୍ୟେକ ପଞ୍ଜାବ ଅଧିବାସୀଙ୍କ ଦାବି ପୂରଣ କରିବା ଏବଂ କୃଷି ଆଇନ ପ୍ରତ୍ୟାହାର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଆଗାମୀ ଦିନରେ ସରକାର କୃଷକମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିବେ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‍.କେ. ଷ୍ଟାଲିନ୍‍ ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ଇତିହାସ ଆମକୁ ଗଣତନ୍ତ୍ରରେ ଲୋକମାନଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଶିଖାଏ। ଶ୍ରୀ ଷ୍ଟାଲିନ୍‍ ସମସ୍ତ କୃଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଗତବର୍ଷ ସଂସଦର ମୌସୁମୀ ଅଧିବେଶନରେ ୩ଟି କୃଷି ବିଲ୍‍ ଆଇନରେ ପରିଣତ ହୋଇଥିଲା। ଏଥିରେ ଉତ୍ପାଦନ ଏବଂ ବାଣିଜ୍ୟ ଅଧିନିୟମ ୨୦୨୦, କୃଷକ ସଶକ୍ତିକରଣ ଓ କୃଷି ସେବା ଅଧିନିୟମ ୨୦୨୦ ଏବଂ ଆବଶ୍ୟକ ବସ୍ତୁ ଅଧିନିୟମ ୨୦୨୦ ସାମିଲ ଥିଲା। ଏହା ଆଇନରେ ପରିଣତ ହେବା ପରେ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିବାର ସୁବିଧା ଦିଆଯାଇଥିଲା। ଏହାଛଡ଼ା କୃଷି ସେବା ଅଧିନିୟମରେ କ୍ଷୁଦ୍ର ନାମମାତ୍ର ଚାଷୀମାନଙ୍କୁ ଚାଷକାର୍ଯ୍ୟ ପାଇଁ ଆବଶ୍ୟକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। ଏହାଛଡ଼ା ଆବଶ୍ୟକ ବସ୍ତୁ ଅଧିନିୟମ ଅଧୀନରେ ଖାଇବା ତେଲ, ଆଳୁ, ପିଆଜ ଏବଂ ଡାଲି ଭଳି ଦ୍ରବ୍ୟ ଉପରେ ନିୟନ୍ତ୍ରଣ ଲାଗୁ କରାଯାଇଥିଲା।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories