ନୂଆଦିଲ୍ଲୀ : ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)ରେ ନାମ ନଥିବା ଲୋକମାନେ ଆସନ୍ତା ଲୋକସଭା ନିର୍ବାଚନରେ ଭୋଟ ଦେଇପାରିବେ ଓ ଏହାଦ୍ୱାରା ସେମାନଙ୍କର ମତଦାନ ଅଧିକାର ପ୍ରଭାବିତ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ ମଙ୍ଗଳବାର ସୁପ୍ରିମକୋର୍ଟରେ କହିଛି। ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ ପ୍ରଶ୍ନ କରିଥିଲେ ଯେ ଯେଉଁ ଲୋକଙ୍କ ନାମ ଏନଆରସିରେ ନାହିଁ ଓ ଭୋଟର ତାଲିକାରେ ଅଛି, ସେମାନଙ୍କ କ୍ଷେତ୍ରରେ କ’ଣ କରାଯିବ। ଏହା ଉପରେ ନିର୍ବାଚନ ଆୟୋଗ ମଙ୍ଗଳବାର ନିଜ ଜବାବ ରଖିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ୍ ସଂଜୀବ ଖନ୍ନାଙ୍କ ଖଣ୍ଡପୀଠ ଏନ୍ଆରସି ଯୋଗୁଁ ମତଦାତାଙ୍କ ନାମ ହଟାଇବା ଓ ଯୋଡ଼ିବା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମାର୍ଚ୍ଚ ୨୮ ମଧ୍ୟରେ ଦାଖଲ କରିବାକୁ ନିର୍ବାଚନ ଆୟୋଗକୁ ନିର୍ଦେଶ ଦେଇଛନ୍ତି। ୨୦୧୭, ୨୦୧୮ ଏବଂ ୨୦୧୯ ନିର୍ବାଚନ ଭୋଟର ତାଲିକାଙ୍କ ନାମ ଦେବାକୁ ମଧ୍ୟ କୁହାଯାଇଛି। ଏହା ପୂର୍ବରୁ କୋର୍ଟ ନିର୍ବାଚନ କମିଟି ସଚିବଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଏହି କ୍ରମରେ ମଙ୍ଗଳବାର ନିର୍ବାଚନ କମିଟି ସଚିବ ସୁପ୍ରିମକୋର୍ଟରେ ହାଜର ହୋଇ କହିଛନ୍ତି ଯେ ଏନ୍ଆରସିରେ ନାମ ନଥିବା ଲୋକଙ୍କ ମତାଧିକାର ପ୍ରଭାବିତ ହେବ ନାହିଁ। ଯେଉଁମାନଙ୍କ ନାମ ଭୋଟର ତାଲିକାରେ ଅଛି, ସେମାନେ ଭୋଟ ଦେଇପାରିବେ। ଆୟୋଗଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟକୁ କହିଥିଲେ ଯେ ଗୋପାଳ ସେଠ ଏବଂ ସୁଶାନ୍ତ ସେନଙ୍କ ଆବେଦନକୁ ବିଚାରକୁ ନେବା ଅନୁଚିତ। କାରଣ ଗତ ୩ ବର୍ଷ ହେବ ସେମାନଙ୍କ ନାମ ମତଦାତା ତାଲିକାରୁ ହଟିନାହିଁ। ଏହି ମାମଲାର ଆସନ୍ତା ଶୁଣାଣି ମାର୍ଚ୍ଚ ୨୮ରେ ହେବ।
ପ୍ରକାଶ ଯେ ଆବେଦନକାରୀ କହିଛନ୍ତି ଯେ କେତେକ ଲୋକଙ୍କ ନାମ ଭୋଟର ତାଲିକାରେ ଅଛି ଓ ଏନ୍ଆରସିରେ ନାହିଁ। ଏଥିଯୋଗୁଁ ମତଦାନ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଭୋଟ ଦେଇପାରିବେ ଏନଆରସିରେ ନାମ ନଥିବା ଲୋକ
Popular Categories



