କାଟୁକରୁ କଟକଣା
ଏ ସଂସାର ସବୁ କିଛି ନୁହଁ। ‘ଇହଲୋକ’ ଓ ‘ପରଲୋକ’ ବିଶ୍ବାସ ଉପରେ ଏ ଦେଶର ଶାସ୍ତ୍ର ପୁରାଣ ନୀତି, ନିୟମ ସବୁ ପର୍ଯ୍ୟବସିତ। କୌଣସିମତେ ଦୋଷରୁ ଖସିଗଲେ ବା କୌଣସିମତେ ଉଚ୍ଚାସନ ପାଇ ଏ ଦୁନିଆରେ ଦିନ କଟେଇ ଦେଇ ହୋଇପାରେ; ମାତ୍ର କାର୍ଯ୍ୟର ପରିଣତି ‘ପାପ, ପୁଣ୍ୟ’ରୁ କିଏ କେମିତି ଖସିବ? ସେଥିପାଇଁ ଏ ଜନ୍ମରେ ଦଣ୍ଡ ଭୋଗୁଥିବା, ଜଣେ ନିରୀହ ଲୋକକୁ ଦେଖି ଲୋକେ କହିଥା’ନ୍ତି, ‘‘ୟେ ପ୍ରାରବ୍ଧ ଫଳ’’। ପୂର୍ବଜନ୍ମ ପାପର ଦଣ୍ଡ ଭୋଗ ନ କରି ଖସିଆସିଥିବା ଜଣେ ପ୍ରାରବ୍ଧକୁ ଏଡ଼ି ପାରେନି। ଦରବାରରେ କବିବର ରାଧାନାଥ ଲେଖିଛନ୍ତି, ‘‘ବଡ଼ ଟାଣ, ଭାଇ ଚିତ୍ରଗୁପ୍ତ-ହିଆ, ବିଚକ୍ଷଣ ତା’ର ପାଞ୍ଜିଆ- ପଣିଆ। ଥାଉ ଆନ, ଚିତ୍ତେ ଚିନ୍ତୁଥାଉ ଯାହା, ତା’ ପାଞ୍ଜିରେ ଲେଖା ହୋଇଯାଏ ତାହା। ନରର ସମଗ୍ର ଜୀବନର ଚିତ୍ର, ପଲକେ ଦେଖାଏ ସେ ପାଞ୍ଜି ବିଚିତ୍ର। ଚିତ୍ତପୁରେ ଅଛି ଯେତେ ଗଳିକୁଞ୍ଚି, ରହି ନପାରେ ତା’ ଆଲୋକରେ ଲୁଚି। କି ବହିର୍ଜଗତେ, କି ଅନ୍ତର୍ଜଗତେ, ଯେତେବେଳେ ଯାହା ଘଟେ ଏ ମରତେ। ସବୁ ଲେଖେ ସେହି ପାଞ୍ଜିକାର ରାଢ଼, କଡ଼ା ଦାଢ଼ ତହୁଁ ଯାଏ ନାହିଁ ଛାଡ଼।’’ କ୍ଷମା ଏକ ଦେବୋପମ ଗୁଣ। କୁହାଯାଇଛି, ‘‘କ୍ଷମାଶସ୍ତ୍ରଂ କରେ ଯସ୍ୟ ଦୁର୍ଜନଃ କିଂ କରିଷ୍ୟତି, ଅତୃଣେ ପତିତୋ ବହ୍ନିଃ ସ୍ବୟମେବୋପଶାମ୍ୟତି’’। ମାତ୍ର ଏହା ପାପର ଫଳକୁ ନିଭାଇ ପାରେନି କି ତମାଦି ମଧ୍ୟ କରି ପାରେନି। ମନକୁ ଅବଶ୍ୟ ସ୍ବଚ୍ଛ ଓ ଶାନ୍ତ କରିଦିଏ। ମାଲିମୋକଦ୍ଦମା, ପୁଲିସ ଫାଣ୍ଡିକୁ, ଯାଇପାରୁ ନ ଥିବା ଏକ ନିରୀହ ଲୋକକୁ ଏକ ଦୈବ ଶକ୍ତି ସାହାଯ୍ୟ କରେ। କୁହାଯାଏ ‘‘ଅରକ୍ଷିତକୁ ଦଇବ ସାହା’’।
ଗୁରୁତର ରୋଗରେ ପୀଡ଼ିତ ରାଜାଙ୍କ ଚିକିତ୍ସା ପାଇଁ ଗୋଟିଏ ବାଳକର ପିତ୍ତକୋଷ ଲୋଡ଼ା ପଡ଼ିଲା। କିଏ କାହା ପୁଅକୁ ରାଜାଙ୍କ ଚିକିତ୍ସା ପାଇଁ ମରଣ ମୁହଁକୁ ଠେଲି ଦେବ? ତିନି ସନ୍ତାନ ଥିବା ଗୋଟିଏ ଗରିବ ପରିବାରକୁ ବହୁ ଅର୍ଥ ଯଚାଗଲା। ଟଙ୍କା ଲୋଭ ସେମାନେ ସମ୍ବରଣ କରି ପାରିଲେନି। ତେବେ ବାପ କହିଲା, ‘‘ମୁଁ ବଡ଼ ପୁଅକୁ ଦେଇ ପାରିବିନି।’’ ମା’ ପଣତକାନିରେ ଲୁହ ପୋଛୁ ପୋଛୁ କହିଲା, ‘‘ସାନ ପୁଅ ମୋର କୋଳପୋଛା ପୁଅ ତାକୁ ମୁଁ ଦେଇ ପାରିବିନି।’’ ବାକି ରହିଗଲା ମଝିଆ ପୁଅ। ସେ କାହାର ହେଲାନି। ରାଜାଙ୍କ ଲୋକ ତାକୁ ନେଇଗଲେ। ତାକୁ ଲଣ୍ଡା କରି ଆବଶ୍ୟକ ପୂଜାଦିପରେ ଘାତକ ହାଣିବାକୁ ପ୍ରସ୍ତୁତ ହେଲା, ରଜା ନିଜେ ଏ କଥା ଦେଖୁଥା’ନ୍ତି। ଘାତକ ଖଣ୍ଡା ଉଞ୍ଚାଇଲାବେଳେ ୧୬/୧୭ ବର୍ଷର ଏଇ ବାଳକଟି ଆକାଶକୁ ଚାହିଁ ମୁରୁକି ହସିଦେଲା। ରାଜା ଏଥିରେ ଘୋର ବିସ୍ମିତ ହୋଇଗଲେ। କାନ୍ଦିବା, ଭୀତତ୍ରସ୍ତ ହେବା ପରିବର୍ତ୍ତେ ଇୟେ ହସୁଚି କ’ଣ? ପାଗଳଟେ କି! ଘାତକକୁ ରହିବା ପାଇଁ ନିର୍ଦେଶ ଦେଇ ବାଳକକୁ ପଚାରିଲେ, ‘‘ଆରେ ତତେ ଏବେ ବଳି ଦିଆଯାଉଚି, ତୁ ମରିବୁ। ଏ କଥା କ’ଣ ଜାଣିପାରୁନୁ, ହସୁଛୁ କ’ଣ?’’ ବାଳକଟି କହିଲା, ‘‘ହଁ ସବୁ ଜାଣୁଛି। ମାତ୍ର ଦେଖୁଛି ପ୍ରଭୁଙ୍କ କରାମତି, ବଳ। ତାଙ୍କୁ କହୁଥିଲି, ବାପ ମା’ ସନ୍ତାନର ରକ୍ଷକ। ମାତ୍ର ଅର୍ଥ ଲୋଭରେ ସେମାନେ ନିଜ ରକ୍ତଗଢ଼ା ପୁଅକୁ ମରଣ ମୁହଁକୁ ଠେଲିଦେଲେ। ରାଜ୍ୟର ରାଜା ତାଙ୍କ ପ୍ରଜାଙ୍କ ସୁରକ୍ଷା ଦେଖନ୍ତି, ମାତ୍ର ନିଜ ଜୀବନ ରକ୍ଷା ପାଇଁ ସେ ଏକ ନିରୀହ ନିଷ୍ପାପ ଶିଶୁକୁ ବଳି ଦେଉଛନ୍ତି। ଏପରି ପରିସ୍ଥିତିରେ ହେ ସର୍ବଶକ୍ତିମାନ୍ ବୋଲାଉଥିବା ପ୍ରଭୁ! ତମେ ଆଉ କ’ଣ କରି ପାରିବ କହି ହସିଦେଲି।’’ ଏଥିରେ ରାଜା ଘୋର ଲଜ୍ଜିତ ଓ ବିବେକହୀନ ଅନୁଭବ କରି ତୁରନ୍ତ ବାଳକକୁ ମୁକ୍ତ କରିଦେଲେ।
ତେଣୁ ଏ ଦୁନିଆରେ ପ୍ରଭୁର ବିଚାରବୋଧ କେବେ ବି ଭ୍ରାନ୍ତ ନୁହଁ। ମାନ୍ୟବର ଶୀର୍ଷ ଅଦାଲତ ଏବେ ଗୋଟେ ରାୟ ଦେଇଛନ୍ତି। ସେଇ ରାୟ ଏ ଦେଶ ସଂସ୍କାର, ସଂସ୍କୃତି, ନ୍ୟାୟାନ୍ୟାୟର ଏକ ପ୍ରତିଧ୍ବନି ପରି ମନେହେଲା। ଏକ ମୋକଦ୍ଦମାର ରାୟ ଦେଇ ମାନ୍ୟବର ଶୀର୍ଷ ଅଦାଲତ କହିଛନ୍ତି ଯେ ‘କ୍ଷମା ପ୍ରାର୍ଥନା’ ଦୋଷୀର ଦଣ୍ଡକୁ ବା ମୋକଦ୍ଦମାକୁ ଏଡ଼େଇ ପାରିବନି। ଆମ ଶାସ୍ତ୍ରରେ ଦୋଷ ବା ପାପର ପ୍ରାୟଶ୍ଚିତ୍ତ କରାଯାଇଛି। ଏ ପ୍ରାୟଶ୍ଚିତ୍ତ ବ୍ୟବସ୍ଥା କ’ଣ କୋଉ ଦଣ୍ଡରୁ କମ କି। ତା’ର ପ୍ରତିଧ୍ବନିରେ ଏକ ମୋକଦ୍ଦମାର ବିଚାର ବେଳେ ଗୋଟିଏ ପକ୍ଷ କ୍ଷମା ପ୍ରାର୍ଥନା କରିଥିଲେ। ମାତ୍ର ଏ କ୍ଷମା ପ୍ରାର୍ଥନାକୁ ଅଗ୍ରାହ୍ୟ କରି ମାନ୍ୟବର ଅଦାଲତ କହିଲେ ଯେ ‘‘Apology can’t stop criminal proceedings.’’ ପୁଣି ଆଜିକାଲି ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ନାମରେ ଯେଉଁ ଇଲେକ୍ଟ୍ରନିକ୍ସ କାରବାର ବଢ଼ି ବଢ଼ି ଚାଲିଛି ତାହା ସମାଜ ପାଇଁ ଘୋର ଦୁର୍ଦଶାର କାରଣ ହୋଇଛି। ଏଥିରେ ବାପ ମା’ କେହି ନାହିଁ। ଅଶ୍ଳୀଳ, ନଗ୍ନ ଭାଷା ଓ ଭାବ ଏଥିରେ ନିରଙ୍କୁଶ ଚାଲିଛି। ପାଟି କଲେ କିଏ ଶୁଣୁଛି? ମୁହୂର୍ତ୍ତକ ମଧ୍ୟରେ ଜଣେ ଏଥିରେ ପଠେଇଥିବା କଦର୍ଯ୍ୟ ଶସ୍ତା ଖବର ଚାରିଆଡ଼େ ବ୍ୟାପି ଯାଉଛି। ସୋସିଆଲ ମିଡିଆରେ ଏବେ ମାନ୍ୟବର ଅଦାଲତ ପରୋକ୍ଷରେ ଏକ ଅଙ୍କୁଶ ଦେଇଛନ୍ତି। ସୋସିଆଲ ବା ସାମାଜିକ ଗଣମାଧ୍ୟମରେ ନିଜକୁ ସଂପୃକ୍ତ କରିବାର କିଛି ଆବଶ୍ୟକତା ନାହିଁ। ତଥାପି ଯଦି କେହି ଏଥିରେ ସଂପୃକ୍ତ ହେଲା ସେ ତା’ ଦାୟିତ୍ବ ନେବାକୁ ବାଧ୍ୟ, ତା’ ସଂପୃକ୍ତର ଦଣ୍ଡ ଓ କୈଫିୟତ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ସେ କହିଛନ୍ତି, ‘‘Using social media is not essential, but if one is using it then one should be ready to face the consequence”. ସେତିକି ନୁହଁ ଏ ଦୀର୍ଘ ବ୍ୟବଧାନରେ ମାନ୍ୟବର ଅଦାଲତ ତାଙ୍କ ଦାଢ଼ ଦେଖେଇଛନ୍ତି। ଏ ଦେଶରେ ଯାହା ଇଚ୍ଛା ତା’ ଘଟିବ ବୋପା ମା’ କେହି ନାହାନ୍ତି, ସେ ଭାବ ମାନ୍ୟବର ଶୀର୍ଷ ଅଦାଲତଙ୍କ ଧମକ ଓ ଘୋଷଣାରେ ଦୂର ହୋଇଯାଇଛି। ସେ କହିଛନ୍ତି ‘‘People must face music for abusive posts.” ଅକଥା, ଅଶ୍ଳୀଳ ବାର୍ତ୍ତା ପ୍ରେରଣଦାତା ପରିଣତି ଭୋଗିବାକୁ ବାଧ୍ୟ।
ତଥାପି ତ ଦଳେ ଅଛନ୍ତି, ‘‘ମତେ ତୁ ଯେତିକି ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।’’ ‘‘ଅଙ୍ଗାରଂ ଶତ ଧୌତେନ ମଳିନତ୍ବଂ ନ ଜାୟତେ।’’ ତେବେ ଏମାନଙ୍କ ସଂଖ୍ୟା ବଢ଼ିବା ବିପଦର ଓ ଉଦ୍ବେଗର କଥା। ଜୟ ଜଗନ୍ନାଥ।
Comments are closed.