ପରମାଣୁ ବୋମା ସଞ୍ଚୟକାରୀ, ଉତ୍ପାଦନକାରୀମାନଙ୍କ ତୀବ୍ର ଓ ହିଂସାତ୍ମକ ମନୋଭାବ ସମାଜରେ ଆଜି ଘଟୁଥିବା ଦୁଷ୍କର୍ମ, ଡକେଇତି, ଦୁର୍ଘଟଣା ଆଦିର କାରଣ।
‘ସାରାସାର ବୁଝି ଦେଉଥାନ୍ତେ ଲୋକେ, ଓହ୍ଲାଇ ଆସନ୍ତା ସ୍ବର୍ଗ ମର୍ତ୍ତ୍ୟ-ଲୋକେ।’ ଜୀବନକୁ ଦୁନିଆକୁ ଫେଣେଇ ଫେଣେଇ ମହାର୍ହ ଓ ଅସାଧାରଣ ଅଭିଜ୍ଞତା ସମ୍ପନ୍ନ କବିବର, ତାଙ୍କ ଜୀବନ ବ୍ୟାପୀ ଅନୁଭୂତିରୁ ଏ କଥା ତାଙ୍କ ଦରବାର କାବ୍ୟରେ ଲେଖିଛନ୍ତି। ପୁରାଣ କଥା ମନେପଡ଼େ, ଦେବର୍ଷି ନାରଦ ରାବଣଙ୍କ କାନେ କାନେ କହିଗଲେ, ‘ସୀତା ହରଣ, ରାବଣ ମରଣ।’ ଏ କଥା କହି ଗଲେନି ଖାଲି, ଯାଦୁ ବିଜ୍ଞାପନ, ଯାଦୁ କମ୍ପାନୀବାଲା କାନ୍ଥବାଡ଼ରେ ମାରିବା ପରି, ସେ ସ୍ବର୍ଣ୍ଣ ଲଙ୍କାପୁରୀର ସବୁ କାନ୍ଥ ବାଡ଼ରେ ଲେଖି ଦେଇ ଗଲେ। କ’ଣ ହେଲା? ୫୬ଗଣ୍ଡା ଯୁଗକୁ ଅମୋଘ ବର ପାଇଥିବା ରାବଣ, ଗୋଟେ ଯୁଗ ବି ବଞ୍ଚି ପାରିଲେନି। ସୀତା ହରଣ କଲେ, ବଂଶମେଧ ଯଜ୍ଞରେ ବଂଶ ବୁଡ଼ାଇ ନିଜେ ବୁଡ଼ି ସ୍ବର୍ଣ୍ଣ ଲଙ୍କାକୁ ଅଙ୍ଗାର ଲଙ୍କା ବନେଇ ଦେଇ ଗଲେ। ଯେଡ଼େ ପଣ୍ଡିତ ହୁଅ, ପଣ୍ଡିତପଣିଆ ଆଡ଼କେ, ମୋହାନ୍ଧତା ଆଉ ଆଡ଼କେ। ରାବଣ ସ୍ବଂୟସିଦ୍ଧ ଶିବତାଣ୍ଡବ ସ୍ତୋତ୍ର ଓ ଆୟୁର୍ବେଦ ଶାସ୍ତ୍ରର ଅମୋଘ ପୁସ୍ତକ ‘ଅର୍କ ଦୀପିକା’ ଲେଖିଛନ୍ତି, କେବଳ ରାବଣ ନୁହଁ, ଅଜ୍ଞାନତା, ମୋହାନ୍ଧତା ପ୍ରଭୁର ଅମୋଘ ଅସ୍ତ୍ର, ଏ ଉପରମୁହାଁ ମଣିଷକୁ ବାଗକୁ ବାଟକୁ ଆଣିବାକୁ। ସେ ପ୍ରତି ଯୁଗରେ କେତେ ଉଦ୍ଧତ ଉପରମୁହାଁଙ୍କୁ ଛିନିଛତ୍ର କରି ଦେଇଛନ୍ତି। ଅମରୀ ଲଟା, ବିନା ଯତ୍ନ, ବିନା ପାଣିରେ ବି ଘୁଘୁ ମାଡ଼ିଗଲା ପରି ଏଇ। ଯେତେ ଉତ୍ପାତ ଲଣ୍ଡା ଭୂଇଁରେ ଚେର ଭୂଇଁ ଧରିଗଲା ପରି ଏ ଗୁଡ଼ା କାଳକୁ କାଳ, ଯୁଗକୁ ଯୁଗ ପତିଆରା ଖେଦାନ୍ତି, ଉତ୍ପାତ ହୁଅନ୍ତି, ମରନ୍ତି। ଦଶ ଅବତାରରୁ ପ୍ରଭୁର ଏ କ୍ରୀଡ଼ାନୈପୁଣ୍ୟ ଜାଣି ହୁଏ, ବୁଝି ହୁଏନି କିନ୍ତୁ।
ଏ ମଣିଷ ମହାଜ୍ଞାନୀ ବନିଲାଣି, ଚନ୍ଦ୍ରମଣ୍ଡଳ ଯାଇ ଫେରିଲାଣି, ବ୍ୟୋମଯାନ, ଜଳଯାନ, ପାତାଳଭେଦୀ ଯାନ ବି ତିଆରି କରି ପ୍ରଭୁଙ୍କୁ ଖତେଇ ହେଲାଣି। ସେକ୍ସ୍ପିୟର ଲେଖିଛନ୍ତି, ‘His glassy essence, like an angry ape plays such fantastic tricks before high heaven, As makes the angels weep.’ ଛାଡ଼ନ୍ତୁ ସେ ବ୍ୟାଖ୍ୟା। ବିଶ୍ବରେ ଆମ ହିସାବରେ ସଂଘଟିତ ଦୁଇଟି ମହାଯୁଦ୍ଧର ଭୟାନକ ପରିଣତି ଅବିସ୍ମରଣୀୟ। ଦ୍ବିତୀୟ ମହାଯୁଦ୍ଧରେ ନାଗାସାକୀ, ହିରୋସୀମା ଉପରେ ବିଶ୍ବର ପ୍ରଥମ ପରମାଣୁ ବୋମା ନିକ୍ଷେପ ହେଲା ଓ ଏ ଦୁଇ ସହର ପାଉଁଶ ଗଦା ବନିଗଲା। ଏଥିରୁ ଦୁର୍ଭାଗ୍ୟକୁ ବଞ୍ଚିଯାଇଥିବା ଲୋକେ ଶାରୀରିକ ଅକ୍ଷମ ଓ ପଙ୍ଗୁ ହୋଇ ଯନ୍ତ୍ରଣା ଆହୁରି ଭୋଗିବାକୁ ବଞ୍ଚିରହିଲେ। ପରମାଣୁ ବୋମା ଯେ କି ଭୟଙ୍କର ଓ ରାକ୍ଷସମାନଙ୍କ ଯୋଗ୍ୟ ଏକ ଧ୍ବଂସାତ୍ମକ ଅସ୍ତ୍ର ଏ କଥା ସାରା ଜନ ସମାଜ ବୁଝିଥିଲା। ମାତ୍ର ସେଇ କ୍ଷଣିକ କଥା। ଚିରନ୍ତନ ସତ୍ୟ ଯଦି ମନରେ ବସା ବାନ୍ଧି ରହନ୍ତା, ତେବେ କାହିଁକି ଏତେ ଦ୍ବନ୍ଦ୍ବ, ଏତେ କୁଟିଳତା ଏ ଜୀବନକୁ ଅଭିଶପ୍ତମୟ କରୁଥାନ୍ତା। ଏବେ ହିସାବ ମିଳିଛି ଯେ ପରମାଣୁ ବୋମା ଆହୁରି ତିଆରି ଚାଲିଛି।
ସବୁଠୁ ବିସ୍ମୟ ଓ ଉଦ୍ବେଗର କଥା ହେଲା, ପରମାଣୁ ବୋମା ଯେ ଯେତେ ଅଧିକ ସମ୍ପାଦି ପାରିଲା ସେ ସେତେ ଅଧିକ କ୍ଷମତାଶାଳୀ ଓ ତା’ ପତିଆରା ସେତେ ଅଧିକ। ସତରେ କେଡ଼େ ବୁଦ୍ଧିଆ ଏ ବିଷ ଉତ୍ପାଦନକାରୀ ମ ! ଭସ୍ମାସୁର ପ୍ରଭୁ ଶିବଙ୍କୁ ବର ମାଗିଲା। ଏମିତି ବର ଦିଅ ଯେ ସାରା ଲୋକ ମତେ ଡରିବେ। ମୁଁ ଯାହା ମୁଣ୍ଡରେ ହାତ ରଖିବି ସେ ଭସ୍ମ ହୋଇଯିବ। ଆରେ ଏ ରାକ୍ଷେସିଆ ବୁଦ୍ଧିକୁ ଧିକ୍, ମୁଣ୍ଡରେ ହାତ ରଖି ଆଶୀର୍ବାଦ ପାଇବାକୁ ଲୋକେ କହନ୍ତି, ‘ଆଜ୍ଞା, ମୋ ମୁଣ୍ଡରେ ହାତରଖି ଦିଅନ୍ତୁ।’ ଏବେ ଦେଖନ୍ତୁ, ଭସ୍ମାସୁର ବରଦାତାଙ୍କ ମୁଣ୍ଡରେ ହାତ ରଖି ଏ ବରର ପରୀକ୍ଷା ଚାହିଁଲା।
ଆଜି ଆମ ଏ ମୁଣ୍ଡିଆଳ ସମାଜର ଯାହା ନୀତି, ନିଶାଣ ହୋଇଛି। ନିଜ ମୁଣ୍ଡରେ ହାତ ରଖି ସେ ମଲା ନା ନାହିଁ ମ! ଏବେ ପରମାଣୁ ବୋମା ବିଷୟରେ ଖବର ପ୍ରକାଶ ପାଇଛି ଯେ, ସଂପ୍ରତି ବିଶ୍ବରେ ୧୨,୫୧୨ଟି ପରମାଣୁ ବୋମା ରହିଛି ଯାହା ସମଗ୍ର ବିଶ୍ବକୁ ଧ୍ବଂସ କରି ଦେବାକୁ ଯଥେଷ୍ଟ ବୋଲି କୁହାଯାଉଛି। ପୂର୍ବ ବର୍ଷ ତୁଳନାରେ ଏହା ୮୬ଟି ଅଧିକ ହୋଇଛି। ଏହି ମହଜୁଦ ବୋମାର ୯୦ ପ୍ରତିଶତ ରୁଷିଆ ଓ ଆମେରିକା ପାଖରେ ରହିଛି। ଚୀନ ମଧ୍ୟ ତାହାର ପରମାଣୁ ବୋମା ସଂଖ୍ୟା ୩୫୦ରୁ ୪୧୦ ବୃଦ୍ଧି କରିଛି। ସାରା ବିଶ୍ବରେ ପରମାଣୁ ବୋମା ବୃଦ୍ଧି ପ୍ରତିଯୋଗିତାମୂଳକ ଭାବେ ଚାଲିଛି। ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧରୁ ଯୁଦ୍ଧ କେମିତି ଭୟାନକ ହୋଇଉଠିଛି ତା’ ଜଣାପଡ଼େ। ବାଘ ବାଘ ମଧ୍ୟରେ ଲଢ଼େଇ କି ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଲଢ଼େଇଠାରୁ ମଣିଷ ଲଢ଼େଇ ଢେର ଭିନ୍ନ ଥିଲା। ଏହା ଅହଂକାର, ପ୍ରତିହିଂସା ବା ପତିଆରା ଖେଳର ନୋହିଁ ଶାନ୍ତି ସମୃଦ୍ଧି ପାଇଁ ପ୍ରତିଯୋଗିତାମୂଳକ ଜ୍ଞାନକୌଶଳ, କାରିଗରୀ ବିଦ୍ୟା ହାସଲ ଲଢ଼େଇ ଓ ଯୁଦ୍ଧ ଥିଲା। ମାତ୍ର ଏବେ ଇୟେ ‘ଭସ୍ମାସୁର’ର କ୍ଷମତା ଓ ମାନସିକତା ବନିଯାଇଛି। ଏ ପରମାଣୁ ବୋମା ସଞ୍ଚୟକାରୀ, ଉତ୍ପାଦନକାରୀମାନଙ୍କ ତୀବ୍ର ଓ ହିଂସାତ୍ମକ ମନୋଭାବ ସମାଜରେ ଆଜି ଘଟୁଥିବା ଦୁଷ୍କର୍ମ, ଡକେଇତି, ଦୁର୍ଘଟଣା ଆଦିର କାରଣ। ଯେ ଯେତେ ପରମାଣୁ ବୋମା ରଖୁଛି ସେ ସେତେ ଅସ୍ପୃଶ୍ୟ ଓ ଅମାନବୀୟ ବୋଲି ଘୋଷଣା କରାଯାଇ ସେମାନଙ୍କୁ ବାସନ୍ଦ କଲେ ଯାଇ ସାଧୁତା ପାଇଁ ଆଗ୍ରହ ଓ ସାହସ ସୃଷ୍ଟି ହେବ। ହିଂସା, ହିଂସାତ୍ମକ କାମ ପାଇଁ ନିରୁତ୍ସାହିତ, ଭୟ ସୃଷ୍ଟି କରିବ, ତେବେ ଯାଇ ଏ ‘ପତିଆରା’ ମୋହ ଛିଡ଼ିପଡ଼ିବ।



