କୋଲକାତା: ଭାରତୀୟ ନିର୍ବାଚନ ଆୟୋଗ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ଅନୀଲ ଚନ୍ଦ୍ର ପୁନେଠାଙ୍କ ସମେତ ପଶ୍ଚିମବଙ୍ଗର ୨ ଜଣ ପୁଲିସ କମିଶନରଙ୍କୁ ହଟାଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗ ଆସିଥିଲା। ଏହା ପରେ ନିର୍ବାଚନ ଆୟୋଗ ତାଙ୍କୁ ଏପ୍ରିଲ ୬ ତାରିଖ ସକାଳ ୧୧ଟା ସୁଦ୍ଧା ହଟାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ସେହିଭଳି ଅନୁରୂପ ଅଭିଯୋଗକ୍ରମେ ପଶ୍ଚିମବଙ୍ଗର କୋଲକାତା ପୁଲିସ କମିଶନର ଅନୁଜ ଶର୍ମା ଏବଂ ବିଧାନନଗର ପୁଲିସ କମିଶନର ଜ୍ଞାନୱନ୍ତ ସିଂହଙ୍କୁ ବଦଳି କରିଛନ୍ତି। ନିର୍ବାଚନ ଆୟୋଗ ଶୁକ୍ରବାର ରାତିରେ ଏହି ନିର୍ଦେଶ ଦେଇଛନ୍ତି।
ଅନୁଜଙ୍କ ସ୍ଥାନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଡିଜି ଡ. ରାଜେଶ କୁମାରଙ୍କୁ କୋଲକାତା ପୁଲିସ କମିଶନର ଏବଂ ଏଡିଜି ନଟରାଜନ ରମେଶ ବାବୁଙ୍କୁ ବିଧାନନଗର ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଇଛନ୍ତି। ଏହା ସହିତ ବିଧାନନଗରର ଡିସି(ଏୟାରପୋର୍ଟ) ଆଭାନୁ ରବୀନ୍ଦ୍ରନାଥଙ୍କୁ ବୀରଭୂମ୍ର ନୂଆ ଏସପି ଏବଂ ଡିସି କେଏପି ଶ୍ରୀହରି ପାଣ୍ଡେଙ୍କୁ ଡାଏମଣ୍ଡ ହାରବର ଏସପି ଭାବେ ନିଯୁକ୍ତ କରାଯାଇଥିବା ଚିଠିରେ ଦର୍ଶାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଏ ସମ୍ପର୍କିତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦେବାକୁ ମୁଖ୍ୟ ଶାସନ ସଚିବକୁ କୁହାଯାଇଛି। ସେହିପରି ଯେଉଁ ଅଧିକାରୀଙ୍କୁ ବଦଳି କରାଯାଇଛି ସେମାନଙ୍କୁ କୌଣସି ନିର୍ବାଚନୀ କାର୍ଯ୍ୟରେ ନିୟୋଜିନ ନ କରିବାକୁ ମଧ୍ୟ ଆୟୋଗ ନିର୍ଦେଶ ଦେଇଛନ୍ତି।



