ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନଷ୍ଟେବଳ(ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବା ନିଷ୍ପତିକୁ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏହି ନିଷ୍ପତି ଆମର ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି । ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିର୍ଣ୍ଣୟ ଯୁବଶକ୍ତିଙ୍କ ପାଇଁ ସମ୍ଭାବନାର ନୂଆ ଦ୍ୱାର ଖୋଲିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି । ସିଏପିଏଫ ପାଇଁ କନଷ୍ଟେବଳ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଭାରତୀୟ ଭାଷାରେ ହେବା ଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗମାନେ ଉପକୃତ ହେବେ । ବିଶେଷ ଭାବରେ ଗ୍ରାମାଞ୍ଚଳର ଯୁବବର୍ଗମାନେ ଏହାର ସୁବିଧା ପାଇପାରିବେ । ଏହି ନିର୍ଣ୍ଣୟ ସବୁ ଭାରତୀୟ ଭାଷାର ପ୍ରଚାର ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।



